PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଶେଷ ପର୍ଯ୍ୟାୟରେ ମୌସୁମୀ , ଜଳଭଣ୍ଡାର ଖାଲି 

ଭୁବନେଶ୍ୱର,୪/୧୦ : ମୌସୁମୀ ଶେଷ ପର୍ଯ୍ୟାୟରେ । ଆଗକୁ କାଁ ଭାଁ ବର୍ଷା । ବଡ଼ ବର୍ଷା ଆଶା କମ୍‌ । କିନ୍ତୁ, ଏବେଠାରୁ ଜଳଭଣ୍ଡାର ଶୁଖି ଚାଲିଛି । ଅନେକ ଖାଲି ପଡ଼ିଛି । ସ୍ଥିତି ଏଭଳି ହେଲାଣି ଜଳ ଅଭାବରୁ ବିଦ୍ୟୁତ ଉତ୍ପାଦନ ପାଖାପାଖି ଅଧା କମିଲାଣି । ଆଗକୁ ସ୍ଥିତି ଆହୁରି ବିଗିଡ଼ିବ । ଜଳଜଳ ଦିଶୁଛି, ବିଦ୍ୟୁତ ସଙ୍କଟ ଘନେଇବ । ଏ ବର୍ଷ ମୌସୁମୀ ଏମିତି ଢାଳିଲା ଯେ ବନ୍ୟା ଡାକି ଆଣିଲା ଅଧା ଓଡ଼ିଶାରେ । ଏତେ ବର୍ଷା ସତ୍ତ୍ବେ ଜଳଭଣ୍ଡାର ଶୁଖିଲା । ବାଲିମେଳା ଜଳଭଣ୍ଡାର ଶୁଖିଲା ପଡ଼ିଛି ।

ଜଳଭଣ୍ଡାରରେ ୪୦% ପାଣି ଥିବାବେଳେ ୬୦% ଅଂଶ ଶୁଖିଲା ପଡ଼ିଛି । ଅପରକୋଲାବ ୩୨% ଫାଙ୍କା ପଡ଼ିଛି । ମାଛକୁଣ୍ଡ ଜଳଭଣ୍ଡାରରେ ୩୬% ଖାଲି, ପାଣି ନାହିଁ । ବର୍ତ୍ତମାନର ସ୍ଥିତି ଯାହା, ବାଲିମେଳା ଜଳଭଣ୍ଡାରରୁ ୭୩.୭୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରୁଛି । ଏ ଜଳଭଣ୍ଡାର ୫୧୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କରିବାର କ୍ଷମତା ରଖିଛି । ରେଙ୍ଗାଲିରୁ ବାହାରୁଛି ୨୦୪ ମେଗାୱାଟ ବିଜୁଳି, ଏହାର କ୍ଷମତା ୨୫୦ ମେଗାୱାଟ ପର୍ଯ୍ୟନ୍ତ ରହିଛି । ଅପର ଇନ୍ଦ୍ରାବତୀର ବିଦ୍ୟୁତ ଉତ୍ପାଦନ କ୍ଷମତା ହେଉଛି ୬୦୦ ମେଗାୱାଟ । ଉତ୍ପାଦନ ହେଉଛି ୪୯୬.୯୫ ମେଗାୱାଟ । ଅପର କୋଲାବ ଜଳଭଣ୍ଡାର କ୍ଷମତା କହୁଛି, ଏଠାରୁ ୩୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ହୋଇପାରିବ । ମାତ୍ର ଜଳ ସଙ୍କଟ ଏମିତି ଯେ, ୭୦ ମେଗାୱାଟ ବିଜୁଳି ବାହାରିପାରୁନି । ଯଦିଓ ହୀରାକୁଦ ଓ ଚିପିଲିମାରେ ଉତ୍ପାଦନ ସେତେ କମିନି, ତଥାପି ମୋଟ ଉପରେ ଦେଖିଲେ ରାଜ୍ୟର ଜଳ ବିଦ୍ୟୁତ ଉତ୍ପାଦନ ସ୍ଥିତି ଚିନ୍ତାଜନକ ।

ସମସ୍ତ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ହାରାହାରି ୨୦୪୦ ମେଗାୱାଟ ବିଜୁଳି ଉତ୍ପାଦନ ହେବା କଥା । ମାତ୍ର ବର୍ଷା ବିଦାୟ ନେଇନଥିବାବେଳେ ଏ କ୍ଷମତା ଖସିଆସିଛି ୧୨୧୫ ମେଗାୱାଟକୁ । ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ପାଣି ଆହୁରି ଶୁଖିବ । ବିଜୁଳି ଉତ୍ପାଦନ ଆହୁରି ହ୍ରାସ ପାଇବ । ସ୍ଥିତି ଯାହା, ଏ ବର୍ଷ ଶୀତରେ ବିଦ୍ୟୁତ ଚାପ ବଢ଼ିବ । ଖରା ଆସିଲାବେଳକୁ ସ୍ଥିତି ଅଣାୟତ୍ତ ହେବ । ଚାହିଦା ବଢ଼ିଲାବେଳକୁ ସଙ୍କଟ ସାଂଘାତିକ ସ୍ଥିତିକୁ ଆସିଯାଇଥିବ । ଚଳିତବର୍ଷ ଜୁନ ପହିଲାରୁ ସେପ୍ଟେମ୍ବର ୩୦ (ମୌସୁମୀ ଅବଧି) ଭିତରେ ରାଜ୍ୟରେ ହାରାହାରି ୧୧୯୬.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା । କେବଳ ଭଦ୍ରକରେ ୨୧% କମ୍‌ ବର୍ଷା ହୋଇଛି । ବୌଦ୍ଧ, କନ୍ଧମାଳ, ଗଜପତି, କୋରାପୁଟରେ ଅଧିକ ବର୍ଷା ହୋଇଥିବାବେଳେ ବାକି ସବୁଠି ବର୍ଷା ପରିମାଣ ସ୍ୱାଭାବିକ ରହିଛି । ଏତେ ବର୍ଷା ସତ୍ତ୍ବେ ଜଳଭଣ୍ଡାର ଖାଲି ପଡ଼ିଛି ।