ଦୁଆରମୁହଁରେ ମୌସୁମୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ପାଗ ପୂରା ବଦଳିଯାଇଛି । ଆରମ୍ଭ ହୋଇଯାଇଛି ଝିପିଝିପି ବର୍ଷା । ବିଳମ୍ବିତ ରାତିରୁ ଆହୁରି ବଢ଼ିବ । କାଲି ବି ପ୍ରବଳ ବର୍ଷିବ । ଦୁଆର ମୁହଁରେ ପହଞ୍ଚିଲାଣି ବହୁ ପ୍ରତୀକ୍ଷିତ ମୌସୁମୀ । ଅନୁମାନ କରାଯାଉଛି, ଆସନ୍ତାକାଲି ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ପଡ଼ିବ । ମୌସୁମୀ ଓଡ଼ିଶା ଛୁଇଁଲା ବୋଲି ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ପାଣିପାଗ ବିଭାଗ ବିଧିବଦ୍ଧ ଘୋଷଣା କରିପାରେ । ପ୍ରଥମେ ମୌସୁମୀ ଦକ୍ଷିଣ ଓଡ଼ିଶାରେ ବେଶି ସକ୍ରିୟ ହେବ । ପରେ ପରେ ସାରା ରାଜ୍ୟକୁ ବ୍ୟାପିବ ।
ପାଣିପାଗ ବିଭାଗ କହିଛି, ମୌସୁମୀ ଆଗକୁ ବଢ଼ିଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇଛି । ଯାହାକି ମୌସମୁୀକୁ ଅଧିକ ସକ୍ରିୟ କରାଇବ ।
ଭାରତୀୟ ପାଣିପାଗ କେନ୍ଦ୍ରର ନବନିଯୁକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ ଏଥର ମୌସୁମୀ ଆଗମନ ବହୁ ବିଳମ୍ବ ହୋଇଛି । ସ୍ୱାଭାବିକ ସମୟ ଜୁନ୍ ୧୦ ଥିବାେବେଳେ ଆଜି ଆସି ୨୧ ତାରିଖ ହେଲାଣି । ତେବେ ବର୍ତ୍ତମାନ ମୌସୁମୀର ଆଗମନ ପାଇଁ ବାଟ ପ୍ରସ୍ତୁତ ହେଉଛି । କାଲିଠୁ ରାଜ୍ୟରେ ବର୍ଷା ବଢ଼ିବ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସଙ୍କ ଆକଳନ ହେଲା, ଆସନ୍ତାକାଲି ହିଁ ମୌସୁମୀ ଓଡ଼ିଶାରେ ପାଦ ଥାପିପାରେ । ଆଜିଠୁ ପାଗ ବଦଳିଛି । ବର୍ଷା ଆରମ୍ଭ ହୋଇଛି । ରାତିରେ ପ୍ରବଳ ବର୍ଷା ହୋଇପାରେ ।ଆସନ୍ତାକାଲି ରାଜ୍ୟ ତମାମ ବର୍ଷା ହେବ । ଅଧିକାଂଶ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।
ଶୁକ୍ରବାର ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଭଦ୍ରକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ବର୍ଷା ହୋଇପାରେ । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ଖୋର୍ଦ୍ଧା, ବୌଦ୍ଧ, କଳାହାଣ୍ଡି, କନ୍ଧମାଳର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି ।
ଶନିବାର (୨୨ ତାରିଖରେ) ବର୍ଷା ପରିମାଣ ସାମାନ୍ୟ କମିବ । ତଥାପି ଅନେକ ଜାଗାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୩ରୁ ବର୍ଷା ଆହୁରି କମିବ । କାଁ ଭାଁ ହାଲ୍କାରୁ ମଧ୍ୟମ ବର୍ଷା ହୋଇପାରେ । ଏହି ବର୍ଷା ପ୍ରଭାବରେ କାଲିଠୁ ତାପମାତ୍ରା ବହୁ ମାତ୍ରାରେ କମିଯିବ ।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ବର୍ଷା ଆରମ୍ଭ ହୋଇଛି । କାଲି ଆହୁରି ବଢ଼ିପାରେ । ୨୨ ଯାଏଁ ବର୍ଷା ରହିବ । ୨୩ରୁ କ୍ରମଶଃ କମିବ ବର୍ଷା । କାରଣ ଲଘୁଚାପ ସେତେ ଶକ୍ତିଶାଳୀ ନାହିଁ ।
ତେବେ ଆସନ୍ତାକାଲି ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଅଛି । ଏହା ପ୍ରଭାବରେ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ବର୍ଷା ହେବ । ଅନୁମାନ କରାଯାଉଛି, ଆସନ୍ତାକାଲି ୧୨/୧୩ଟି ଜିଲ୍ଲାକୁ ପ୍ରବେଶ କରିପାରେ ମୌସୁମୀ । ୨୩ ସୁଦ୍ଧା ସମଗ୍ର ରାଜ୍ୟକୁ ମୌସୁମୀ ବ୍ୟାପିପାରେ ଆଜି ବି ପଶ୍ଚିମ ଓଡ଼ିଶାର ୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିଲା । ମାତ୍ର ସକାଳୁ ମେଘୁଆ ପାଗ ଓ ହାଲ୍କା ବର୍ଷା ଯୋଗୁ ଉପକୂଳ ବାତାବାରଣ ଥଣ୍ଡା ପଡ଼ିଥିଲା । ଭୁବନେଶ୍ୱର ତାପମାତ୍ରା ୩୦.୫ ଡିଗ୍ରୀ ଓ କଟକ ୩୧.୫ ଡିଗ୍ରୀକୁ ଖସି ଆସିଥିଲା ।
ଆଜି ସକାଳ ସାଢ଼େ ୮ଟା ଭିତରେ ବାଲେଶ୍ୱର, ଚାନ୍ଦବାଲି, କେନ୍ଦୁଝର, ବାରିପଦା, ଗୋପାଳପୁର, ଭୁବନେଶ୍ୱରରେ ହାଲ୍କା ବର୍ଷା ହୋଇଥିଲା । ପୁରୀରେ ୧୪.୪ ମିଲିମିଟର ଓ ପାରାଦୀପରେ ୧୦.୬ ମିମି ବର୍ଷା ହୋଇଥିଲା । ସକାଳ ସାଢ଼େ ୮ଟା ପରେ କେନ୍ଦୁଝରରେ ୨୨ ମିମି, ପୁରୀରେ ୩୦ ମିମି, ମାଲକାନଗିରିରେ ୧୧ ମିମି, ଝାରସୁଗୁଡ଼ାରେ ୧୪ ମିମି ବର୍ଷା ହୋଇଥିବାବେଳେ ବଲାଙ୍ଗିର, ସମ୍ବଲପୁର, ଭୁବନେଶ୍ୱର, ଗୋପାଳପୁରରେ ହାଲ୍କା ବର୍ଷା ଛିଞ୍ଚିଥିଲା ।