ନୂଆଦିଲ୍ଲୀ, ୩।୭: ମହାକାଶରେ ଭୟଙ୍କର ବିସ୍ଫୋରଣ । ବିପଦ ଆଣିପାରେ ପ୍ରଳୟଙ୍କାରୀ ସୌର ଝଡ଼ । ସୂର୍ଯ୍ୟ ପୃଷ୍ଠରେ ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ ଘଟିବାରେ ଲାଗିଛି, ଯାହା ସାରା ବିଶ୍ୱର ମହାକାଶ ବିଜ୍ଞାନୀମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ବୈଜ୍ଞାନିକମାନଙ୍କ ସୂଚନା ଅନୁଯାୟୀ, ଗତ ଜୁଲାଇ ୧ ତାରିଖ ବିଳମ୍ବିତ ରାତିରେ ସୂର୍ଯ୍ୟରେ ଏପର୍ଯ୍ୟନ୍ତ ସବୁଠାରୁ ବିପଜ୍ଜନକ ଓ ମହା-ବିନାଶକାରୀ ‘X-Class’ ସୌର ଝଡ଼ ସୃଷ୍ଟି ହୋଇଛି । ମହାକାଶ ବିଜ୍ଞାନ ରେଟିଂ ଅନୁସାରେ, ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବିସ୍ଫୋରଣ । ଏହି ଭୟଙ୍କର ଘଟଣା ପରେ ପୃଥିବୀ ଉପରେ ଏହାର ଘାତକ ପ୍ରଭାବକୁ ନେଇ ବଡ଼ ଆଲର୍ଟ ଜାରି କରାଯାଇଛି । ଋଷିଆନ୍ ଏକାଡେମୀ ଅଫ୍ ସାଇନ୍ସର ସୋଲାର ଲାବ୍ରୋଟୋରୀ ଏହି ବିସ୍ଫୋରଣକୁ ନେଇ ସ୍ପଷ୍ଟ ସୂଚନା ଦେଇଛି । ସୌର ଝଡ଼ଗୁଡ଼ିକୁ ସେମାନଙ୍କର ଶକ୍ତି ଆଧାରରେ A, B, C, M ଏବଂ X କ୍ୟାଟେଗୋରୀରେ ବିଭକ୍ତ କରାଯାଏ । ଏଥିରେ ପ୍ରତ୍ୟେକ ପରବର୍ତ୍ତୀ ସ୍ତର ପୂର୍ବ ସ୍ତର ଅପେକ୍ଷା ୧୦ ଗୁଣ ଅଧିକ ଶକ୍ତିଶାଳୀ ହୋଇଥାଏ । ଏହି ତାଲିକାର ସବୁଠାରୁ ଶୀର୍ଷରେ ରହିଛି ‘X-Class’ । ଏହି କାରଣରୁ ପୃଥିବୀ ପ୍ରତି ଏବେ ଏକ ବଡ଼ ବିପଦ ସୃଷ୍ଟି ହୋଇଛି ।
ମୋବାଇଲ୍, ଇଣ୍ଟରନେଟ୍ ଓ ବିଦ୍ୟୁତ ସେବା ବ୍ଲାକଆଉଟ୍ ଆଶଙ୍କା:
ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ସୂର୍ଯ୍ୟରେ ଏଭଳି ‘X-Class’ ବିସ୍ଫୋରଣ ହେବା ଫଳରେ ବିପୁଳ ପରିମାଣର ଉତ୍ତପ୍ତ ପ୍ଲାଜମାର ବିଶାଳ ବାଦଲ ମହାକାଶରେ ବ୍ୟାପିବାରେ ଲାଗିଛି । ଚାର୍ଜଡ୍ ପାର୍ଟିକଲ୍ସର ଏହି ଘାତକ ସ୍ରୋତ ଯଦି ସିଧାସଳଖ ପୃଥିବୀର ବାୟୁମଣ୍ଡଳ ସହ ଧକ୍କା ହୁଏ, ତେବେ ପୃଥିବୀରେ ଏକ ଭୟଙ୍କର ଜିଓମ୍ୟାଗ୍ନେଟିକ ଝଡ଼ ସୃଷ୍ଟି ହୋଇପାରେ । ବିଶ୍ୱବ୍ୟାପୀ ସାଟେଲାଇଟ୍ ଏବଂ ଜିପିଏସ୍ ସେବା କାମ କରିବା ବନ୍ଦ କରିଦେଇପାରେ । ମୋବାଇଲ୍ ନେଟୱର୍କ ଏବଂ ଇଣ୍ଟରନେଟ୍ ସେବା ନିମିଷକ ମଧ୍ୟରେ ଠପ୍ ହୋଇଯିବାର ଆଶଙ୍କା ରହିଛି । ବିଭିନ୍ନ ଦେଶର ପାୱାର ଗ୍ରିଡ୍ ଫେଲ୍ ହେବା ଯୋଗୁଁ ସାରା ବିଶ୍ୱରେ ଅନ୍ଧାର ସାଙ୍ଗକୁ କୋଟି କୋଟି ଲୋକଙ୍କ ଜୀବନଯାତ୍ରା ସ୍ଥାଣୁ ପାଲଟିଯାଇପାରେ । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମହା-ବିସ୍ଫୋରଣର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୩୦ ତାରିଖରେ ମଧ୍ୟ ସୂର୍ଯ୍ୟ ପୃଷ୍ଠରେ ବ୍ୟାକ୍-ଟୁ-ବ୍ୟାକ୍ ତିନିଥର M-Class ସୌର ଝଡ଼ ସୃଷ୍ଟି ହୋଇଥିଲା । ୨୪ ଘଣ୍ଟା ମଧ୍ୟରେ ସୂର୍ଯ୍ୟଙ୍କର ଏଭଳି ବାରମ୍ବାର କ୍ରୋଧିତ ରୂପ ସ୍ପଷ୍ଟ କରୁଛି ଯେ ସୂର୍ଯ୍ୟ ଏବେ ଏକ ଅତି ସମ୍ୱେଦନଶୀଳ ଓ ବିପଦଜନକ ପର୍ଯ୍ୟାୟ ଦେଇ ଗତି କରୁଛି ।
ଏହା ବି ପଢ଼ନ୍ତୁ... Time Travel: ଭବିଷ୍ୟତରୁ ଫେରିଲେ ରହସ୍ୟମୟ ବ୍ୟକ୍ତି; ତୃତୀୟ ବିଶ୍ୱଯୁଦ୍ଧକୁ ନେଇ କଲେ ଏମିତି ଭବିଷ୍ୟବାଣୀ, ଉଡ଼ିଯିବ ହୋସ୍ !
ସୂର୍ଯ୍ୟ ଭିତରେ ଶୁଭୁଛି ‘ହୃଦସ୍ପନ୍ଦନ’:
ଏସବୁ ମଧ୍ୟରେ ବର୍ମିଂହାମ ୟୁନିଭର୍ସିଟିର ମହାକାଶ ବୈଜ୍ଞାନିକମାନେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛନ୍ତି । ସୂର୍ଯ୍ୟ ଭିତରେ ଏକ ଅଜବ ପ୍ରକାରର କମ୍ପନ ସୃଷ୍ଟି ହେଉଛି, ଯାହାକୁ ବୈଜ୍ଞାନିକମାନେ ସୂର୍ଯ୍ୟର ‘ହୃଦସ୍ପନ୍ଦନ’ ବୋଲି କହୁଛନ୍ତି । ବିଶେଷଜ୍ଞଙ୍କ ମତରେ, ସୂର୍ଯ୍ୟଙ୍କ ଗର୍ଭରେ ମ୍ୟାଗ୍ନେଟିକ ଫିଲ୍ଡର ଦ୍ରୁତ ପରିବର୍ତ୍ତନ ଏବଂ ଏହାର ଭାଙ୍ଗିବା-ଯୋଡ଼ିବା ପ୍ରକ୍ରିୟା ଯୋଗୁଁ ଏହି କମ୍ପନ ହେଉଛି । ସୂର୍ଯ୍ୟଙ୍କର ଏହି ବାରମ୍ବାର ସ୍ପନ୍ଦନ ମହାକାଶର ପାଣିପାଗକୁ ଅଧିକ ବିପଦଜନକ କରିଦେଉଛି, ଯାହାର ପରିଣାମ ପୃଥିବୀକୁ ଭୋଗିବାକୁ ପଡ଼ିପାରେ । ମହାକାଶ ବୈଜ୍ଞାନିକମାନେ ପ୍ରତି ମୁହୂର୍ତ୍ତରେ ସୂର୍ଯ୍ୟଙ୍କର ଏହି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ଏଭଳି ଭୟଙ୍କର ଘଟଣା ଆହୁରି ବଢ଼ିପାରେ । ବାସ୍ତବରେ, ସୂର୍ଯ୍ୟ ବର୍ତ୍ତମାନ ତାର ୧୧ ବର୍ଷର ସୌର ଚକ୍ରର ସବୁଠାରୁ ଶୀର୍ଷ ପର୍ଯ୍ୟାୟ ବା ‘ସୋଲାର ମ୍ୟାକ୍ସିମମ୍’ରେ ପହଞ୍ଚିଛି ।