ନୂଆଦିଲ୍ଲୀ: ବଲକାନ୍‌ ଦେଶ ମୋଣ୍ଟେନିଗ୍ରୋରେ ଗଣହତ୍ୟା ନେଇ ଖବର ସାମ୍ନାକୁ ଆସିଛି । ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିବା ଫଳରେ ୧୨ ଜଣ ଲୋକଙ୍କ ଜୀବନ ଯାଇଛି । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ସେପଟେ ବନ୍ଧୁକଧାରୀ ନିଜକୁ ମଧ୍ୟ ଗୁଳି କରି ଜୀବନ ହାରିଥିବା ଜଣାପଡ଼ିଛି । ବୁଧବାର ରାତିରେ ଦେଶର ପଶ୍ଚିମରେ ଥିବା ସହର ସେଟିନଜେର ଏକ ବାରରେ ଏହି ଗଣ ଗୁଳିକାଣ୍ଡ ଘଟିଛି ।  

୪୫ ବର୍ଷୀୟ ସୁଟର ଏକୋ ମାର୍ଟିନୋଭିକ୍‌ ବାରର ମାଲିକ ଏବଂ ତାଙ୍କ ପିଲାମାନଙ୍କୁ ଗୁଳି କରି ହତ୍ୟା କରିଥିବା ନେଇ ଗୃହ ମନ୍ତ୍ରୀ ଡାନିଲୋ ସାରାନୋଭିକ କହିଛନ୍ତି । ଆକ୍ରମଣକାରୀ ଗୁଳିକାଣ୍ଡ ଘଟାଇବା ପରେ ଖସି ପଳାଇଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ପୋଲିସ ଚାରିପଟୁ ଘେରିଯିବା ପରେ ନିଜକୁ ଗୁଳି କରିଦେଇଥିଲା ଆକ୍ରମଣକାରୀ । ସେପଟେ ଗଣହତ୍ୟାକୁ ନେଇ ଦେଶରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଗୁରୁବାର ପାଖରୁ ୩ ଦିନ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଗୃହ ମନ୍ତ୍ରୀ ସାରାନୋଭିକ କହିଛନ୍ତି । 

ପ୍ରଧାନମନ୍ତ୍ରୀ ମିଲୋଜକୋ ସ୍ପାଜିକ୍‌   ଏହି ଗୁଳିକାଣ୍ଡକୁ ଅତ୍ୟନ୍ତ ବିଭତ୍ସ ବୋଲି କହିଛନ୍ତି । ସେପଟେ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ମାର୍ଟିନୋଭିକ୍‌ ବାରରେ ଅନ୍ୟ ଅତିଥିଙ୍କ ସହ ଦିନସାରା ଥିଲା, ସେଠାରେ କୌଣସି କାରଣରୁ ତାର ଅନ୍ୟମାନଙ୍କ ସହ ଝଗଡ଼ା ହୋଇଥିଲା । ଏହା ପରେ ମାର୍ଟିନୋଭିକ୍‌ ଘରକୁ ଯାଇ ସେଠାରୁ ବନ୍ଧୁକ ଆଣିଥିଲା ଏବଂ ବାର ଭିତରେ ଆଖିବୁଜା ଗୁଳିମାଡ଼ କରିଥିଲା ବୋଲି ପୋଲିସ କମିଶନର ଲାଜାର ସ୍କେପାନୋଭିକ୍‌ କହିଛନ୍ତି । 

ସେପଟେ ବୁଧବାର ଆମେରିକାରେ ମଧ୍ୟ ଅଭାବନୀୟ ଘଟଣା ଘଟିଛି । ଆମେରିକାର ସେଣ୍ଟ୍ରାଲ ନ୍ୟୁ ଅର୍ଲିନ୍ସରେ ଜିରୋନାଇଟ୍‌ ସେଲିବ୍ରେସନ ଲାଗି ଅପେକ୍ଷା କରିଥିବା ଭିଡ଼ ଉପରେ ଆକ୍ରମଣକାରୀ ଟ୍ରକ୍‌ ଚଢ଼ାଇ ଦେବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି ।