ନୂଆଦିଲ୍ଲୀ,୧୭।୧୨: ଇରାନକୁ ନେଇ ବଡ଼ ବୟାନ ଦେଇଛନ୍ତି ଇସ୍ରାଏଲର ଗୁଇନ୍ଦା ବିଭାଗ ମୁଖ୍ୟ। ‘ମୋସାଦ’ ମୁଖ୍ୟ ଡେଭିଡ୍ ବାର୍ନେୟା କହିଛନ୍ତି,ଇରାନ ଇସ୍ରାଏଲର ରାଜ୍ୟକୁ ନଷ୍ଟ କରିବା ନେଇ ନିଜର ମହତ୍ବକାଂକ୍ଷାକୁ ଛାଡି ପାରିବନି। ପରମାଣୁ ବୋମା ବିକଶିତ କରିବାର ବିଚାର ଏବେ ବି ତା ମନରେ ରହିଛି। ଏହା ସୁନିଶ୍ଚିତ କରିବା ଆମର ଦାୟିତ୍ବ ଯେ, ପରମାଣୁ ପ୍ରୋଜେକ୍ଟ, ଯାହା ଆମେରିକା ସହ ଘନିଷ୍ଠ ସହଯୋଗ ଦ୍ବାରା ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି, କେବେ ବି ସକ୍ରିୟ ନହେଉ। ଇରାନକୁ ଲାଗୁଛି ସେ ପୁଣିଥରେ ଦୁନିଆକୁ ବୋକା ବନାଇ ଆଉ ଏକ ଖରାପ ପରମାଣୁ ଚୁକ୍ତି କରିପାରେ। ଆମେ ଅତୀତରେ ଏଭଳି ହେବାକୁ ଦେଇନଥିଲୁ,କି ଆଗକୁ ଏଭଳି ହେବାକୁ ଦେବୁନି।
ମୋସାଦ ମୁଖ୍ୟଙ୍କ ଏଭଳି ଟିପ୍ପଣୀ ସେହି ଘଟଣାର ୬ ମାସ ପରେ ଆସିଛି ଯେତେବେଳେ ଆମେରିକାର ସମର୍ଥନରେ ଇସ୍ରାଏଲ ପକ୍ଷରୁ ଇରାନ ପରମାଣୁ ୟୁନିଟ୍ ଉପରେ ବୋମାମାଡ଼ ହୋଇଥିଲା। ଏହାର ପରିଣାମ ସ୍ବରୂପ ଦୁଇ ଐତିହାସିକ ଶତ୍ରୁଙ୍କ ମଧ୍ୟରେ ୧୨ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା। ଏହି ସମୟରେ ଇସ୍ରାଏଲ ବହୁ ବୈଜ୍ଞାନିକ ଓ ସେନା କମାଣ୍ଡରଙ୍କୁ ମାରିବାରେ ସଫଳ ହୋଇଥିଲା। ଏହା ଇରାନର ପରମାଣୁ ୟୁନିଟକୁ କ୍ଷତି ପହଁଞ୍ଚାଇଥିଲା, ଯାହାକୁ ଇରାନ ଶାନ୍ତିପୂର୍ଣ୍ଣ ବୋଲି କହୁଛି। ତେବେ ତେହରାନ ସେବେଠାରୁ ଅନ୍ତର୍ଜାତୀୟ ନିରୀକ୍ଷକଙ୍କୁ ବମ୍ ତିଆରି କରିବା ଯୋଗ୍ୟ ୟୁରୋନିୟମ ଭଣ୍ଡାରର ସମୀକ୍ଷା କରିବାଠାରୁ ରୋକି ଦେଇଛି।
ଉଲ୍ଲେଖନୀୟ ଯେ, ଜୁନରେ ଇସ୍ରାଏଲ ଦ୍ବାରା ଇରାନ ଉପରେ ହୋଇଥିବା ଆକ୍ରମଣ ଗତ କିଛି ବର୍ଷରେ ଦୁଇ ପକ୍ଷ ଭିତରେ ସିଧା ସଳଖ ସାମରିକ ସଂଘର୍ଷ ମଧ୍ୟରୁ ଗୋଟିଏ ଥିଲା। ତେବେ ଇସ୍ରାଏଲ ଏହି ସମୟରେ ଗାଜା, ଲେବାନନ୍, ୟେମେନ୍ ଓ ଅନ୍ୟ ସ୍ଥାନରେ ତେହରାନ ସମର୍ଥିତ ମିଲିଶିୟାଙ୍କ ସହ ସଂଘର୍ଷରେ ମଧ୍ୟ ସାମିଲ ଥିଲା। ୨୦୧୫ ରେ ଏକ ଅନ୍ତର୍ଜାତୀୟ ଚୁକ୍ତି ଅନୁସାରେ, କଟକଣାରୁ ମୁକ୍ତି ପାଇବା ପାଇଁ ଇରାନ ନିଜର ପରମାଣୁ ଗତିବିଧିକୁ ସୀମିତ କରିବାର ସହମତି ପ୍ରକାଶ କରିଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିଜ ପ୍ରଥମ କାର୍ଯ୍ୟକାଳରେ ଏହି ଚୁକ୍ତିକୁ ରଦ୍ଦ କରିଦେଇଥିଲେ। ଜୁନ୍ରେ ହୋଇଥିବା ବିମାନ ଆକ୍ରମଣ ପୂର୍ବରୁ ନୂଆ ଚୁକ୍ତି ଉପରେ ଆଲୋଚନା ହୋଇଥିଲା। ଏବେ କୁଟନୀତି ଠପ୍ ହୋଇଯାଇଛି। ଟ୍ରମ୍ପ ନିକଟରେ କହିଥିଲେ, ଇରାନକୁ ଚୁକ୍ତି କରିବାକୁ ହେବ, କିନ୍ତୁ ଏବେ ପରିସ୍ଥିତି ବଦଳି ସାରିଛି।