ଗୁଣି ସନ୍ଦେହ, ମା’,୪ ଛୁଆଙ୍କୁ ହତ୍ୟା

କୋଇଡା,୨୭ା୧(ଆପ୍ର): ଗୁଣିଗାରେଡ଼ି ସନ୍ଦେହରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ବଡ଼ଇନ୍ଦ୍ରପୁର ଗ୍ରାମ କନ୍ଦାସାହିର ଏକ ଘର ଭିତରେ ମା’ ଓ ତାଙ୍କ ୪ ଜଣ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପ୍ରମାଣ ନଷ୍ଟ କରିବା ଲାଗି ହତ୍ୟାକାରୀମାନେ ମୃତ ଦେହଗୁଡ଼ିକୁ ନିକଟରେ ଥିବା ଏକ କୂଅରେ ଫିଙ୍ଗି ଦେଇଥିଲେ । ଏହି ହତ୍ୟାକାଣ୍ଡ ସମୟରେ ମୃତ ମହିଳାଙ୍କ ସ୍ୱାମୀ ଘରେ ନଥିଲେ । ଖବର ପାଇ ପୁଲିସ୍ କୂଅରୁ ୫ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲା । ପୁଲିସ୍ ଘଟଣାର ତଦନ୍ତ କରି ୬ ଜଣଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରିଛି । ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ବଡ଼ଇନ୍ଦ୍ରପୁର ଗ୍ରାମର ମାଙ୍ଗିରି ମୁଣ୍ଡା (୩୦) ପ୍ରଥମେ ଟାଙ୍ଗର ମୁଣ୍ଡାଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଝିଅ ତୁଳସୀ ଓରଫ ମାର ମୁଣ୍ଡା (୧୦) ଓ ଦୁଇ ପୁଅ ଟେକେଲ ମୁଣ୍ଡା (୮) ଏବଂ ଚାନର ମୁଣ୍ଡା (୪) ଥିଲେ । ବର୍ଷକ ତଳେ ଟାଙ୍ଗରଙ୍କ ମୃତ୍ୟୁ ଘଟିଥିଲା । ଦିଅର ସୁଦାମ ମୁଣ୍ଡାଙ୍କୁ ମାଙ୍ଗିରି ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ବିବାହ ପରେ ମାଙ୍ଗିରିଙ୍କ ଆଉ ଏକ ଝିଅ ହୋଇଥିଲା । ଯାହାର ନାମ ରାଇବାରୀ (୯ ମାସ) । ସୁଦାମ ଡମ୍ପର ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ସେମାନଙ୍କ ପରିବାର ସୁରୁଖୁରୁରେ ଚଳୁଥିଲା । ଗୁରୁବାର ରାତିରେ ସୁଦାମ ଗାଡ଼ି ଚଳାଇବାକୁ ଯାଇଥିଲେ । ଶୁକ୍ରବାର ସକାଳେ ସେ ଘରକୁ ଫେରିଥିଲେ ଏବଂ ଘର ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଏପରିକି ଘର ଭିତରେ ରକ୍ତ ଛିଟା ମଧ୍ୟ ପଡ଼ିଥିଲା । ତାଙ୍କ ପତ୍ନୀ ଓ ପିଲାମାନେ ଘରେ ନଥିବାରୁ ସେମାନଙ୍କୁ ଏଣେତେଣେ ଖୋଜାଖୋଜି କରିଥିଲେ । ମାତ୍ର ପାଇନଥିଲେ । ଏହା ପରେ ସୁଦାମ ଏ ନେଇ କୋଇଡ଼ା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ କେହି ମାରି ଦେଇଛି । ଗତକାଲି ସକାଳେ ଥାନା ଅଧିକାରୀ ସୁଶାନ୍ତ ଦାଶ ସଦଳବଳେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସନ୍ଧାନୀ କୁକୁର ସୁଦାମଙ୍କ ଘରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା ଏକ କୂଅ ନିକଟକୁ ଆସିଥିଲା । କୂଅରେ ଢାଙ୍କୁଣି ପଡ଼ିଥିଲା । ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି କୂଅରୁ ଢାଙ୍କୁଣି ବାହାର କରିବା ପରେ ଭିତରେ ମୃତ ଦେହ ପଡ଼ିଥିବା ଦେଖା ଯାଇଥିଲା । ଅଗ୍ନିଶମ କର୍ମଚାରୀ ଭିତରେ ପଶି ୫ ଜଣଙ୍କ ମୃତ ଦେହକୁ ଉଦ୍ଧାର କରି ଉପରକୁ ଆଣିଥିଲେ । ଏହି ଖବର ପାଇ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ରାଉରକେଲା ଏସ୍ପି ଡା. ଉମାଶଙ୍କର ଦାଶ, ବଣାଇଁ ଏସ୍ଡିପିଓ ଅବକାଶ ରାଉତରାୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଗୁରୁବାର ରାତିରେ ଶାବଳ ଓ କୁରାଢ଼ିରେ ଏମାନଙ୍କୁ ହତ୍ୟା କରାଯିବା ପରେ ମୃତ ଦେହଗୁଡ଼ିକୁ ଟାଣି ଟାଣି ଆଣି କୂଅରେ ପକାଇ ଦେଇଥିଲେ । ଆଜି ଶବଗୁଡ଼ିକର ବ୍ୟବଚ୍ଛେଦ କରାଯାଇଛି । ଅପରପକ୍ଷରେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବା ପରେ ତନାଘନା ଚଳାଇଥିଲା । ୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇବା ପରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ସେହି ଗ୍ରାମରେ ରହୁଛନ୍ତି ଦେବରା ମୁଣ୍ଡା ଓ ସୁମି ମୁଣ୍ଡା । ସେମାନଙ୍କର ଦୁଇ ଝିଅ । ତାଙ୍କ ବଡ଼ ଝିଅ କିଛି ମାସ ତଳେ ମୃ୍ତ୍ୟୁବରଣ କରିଥିଲେ । ଉକ୍ତ ଗ୍ରାମରେ ରହୁଥିବା ଗୁଣିଆ ବୁଧୁରାମଙ୍କୁ ଦେବରା ଡାକି ତାଙ୍କ ଝିଅର ମୃତ୍ୟୁ ବିଷୟରେ ଜାଣିବାକୁ ପାଇଥିଲେ । ମାଙ୍ଗିରି ଜଣେ ଡାହାଣୀ ଓ ସେ ଗୁଣିଗାରେଡ଼ି କରୁଥିବାରୁ ଝିଅ ମୃତ୍ୟୁ ଘଟିଛି ବୋଲି ବୁଧୁରାମ କହିଥିଲେ । ୫ ଦିନ ତଳେ ତାଙ୍କ ସାନ ଝିଅର ଦେହ ଅସୁସ୍ଥ ହୋଇଥିଲା । ଏହା ପରେ ମାଙ୍ଗିରି ଓ ତାଙ୍କ ପରିବାରକୁ ରାସ୍ତାରୁ ହଟାଇବା ଲାଗି ଦେବରା ନିଷ୍ପତ୍ତି ନେଇଥିଲେ । ଗୁରୁବାର ରାତିରେ ସୁଦାମ ଘରେ ନଥିବା ବେଳେ ଦେବରାଙ୍କ ନିର୍ଦ୍ଦେଶରେ କିସ୍ତି ଓରଫ ରାଜୁ ମୁଣ୍ଡା, ସାଲୁ ମୁଣ୍ଡା, ଦଗମ ମୁଣ୍ଡା, ମୋଟୁ ମୁଣ୍ଡା ସୁଦାମ ଘରକୁ ଯାଇ ସେଠାରେ ମାଙ୍ଗିରି ଓ ତାଙ୍କ ୪ ଛୁଆଙ୍କୁ ହତ୍ୟା କରିବା ପରେ କୂଅରେ ଶବଗୁଡ଼ିକୁ ଫିଙ୍ଗି ଦେଇଥିଲେ । ପୁଲିସ୍ ଆଜି ସନ୍ଧ୍ୟାରେ ଉକ୍ତ ୪ ଜଣଙ୍କ ସମେତ ଦେବରା ଏବଂ ବୁଧୁରାମଙ୍କୁ ଗିରଫ କରିଛି । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।