ଭୁବନେଶ୍ୱର,୨୪ ।୮: ଥର୍ ଗାଡ଼ି ଧକ୍କାରେ ମା’-ଝିଅଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସ୍ ବ୍ୟାଙ୍କ୍ ମ୍ୟାନେଜରଙ୍କ ସହ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ପଟିଆର ରୋହନ ରଞ୍ଜନ ରାଉତ ଓ ଜଗତସିଂହପୁର ତିର୍ତ୍ତୋଲର ସୋହମ ରାଜ ତ୍ରିପାଠୀ । ପୁଲିସ୍ ୨ ଜଣଙ୍କୁ ଦିଲ୍ଳୀରୁ ଗିରଫ କରିଥଲା । ଆଜି କୋର୍ଟ ଚାଲାଣ କରାଯାଇଛି । ପୁଲିସ୍ ଏକ ସ୍କର୍ପିଓ ଗାଡ଼ି ଜବତ କରିଛି । ଗତ ୯ ତାରିଖ ସନ୍ଧ୍ୟାରେ ହୋମଗାର୍ଡ ମାନସ ରାଉଳଙ୍କ ପତ୍ନୀ ସାଙ୍ଗରେ ୮ବର୍ଷର ଝିଅ ଓ ୨ବର୍ଷର ପୁଅକୁଧରି ପାତ୍ରପଡ଼ା ସ୍ଥିତ ଭି-୨ ନିକଟରେ ରାସ୍ତା ପାର ହେଉଥିଲେ । ଏହି ସମୟରେ ଥର୍ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିଲା । ତା’ପର ଦିନ ମାନସଙ୍କ ପତ୍ନୀଙ୍କର ମୃତ୍ୟୃ ହୋଇଥିଲା । ପୁଲିସ୍ ମାମଲା ରୁଜୁ କରି ପ୍ରଥମେ ଥର୍ ଗାଡ଼ି ଜବତ କରିଥିଲା । ହେଲେ କୌଣସି ବ୍ୟକ୍ତିଙ୍କୁ ଗିରଫ କରି ପାରି ନଥିଲା ।
ତଦନ୍ତ ସମୟରେ ପୁଲିସ୍ ଜାଣିବାକୁ ପାଇଥିଲା, ଦୁର୍ଘଟଣା କରିଥିବା ଥର୍ ଓ ଆଉ ଏକ ସ୍କର୍ପିଓ ଗାଡ଼ିରେ ୫ ଜଣ ଯୁବକ ପଟିଆରୁ ବାହାରି ଖୋର୍ଦ୍ଧା ଯାଉଥିଲେ । ଖଣ୍ଡଗିରି ଥାନା ପାର ହେବା ପରେ ୨ ଗାଡ଼ି ମଧ୍ୟରେ ରେସିଂ ଆରମ୍ଭ ହୋଇଥିଲା । ଅଭିଯାଗକାରୀଙ୍କ ପତ୍ନୀ ସାଙ୍ଗରେ ଝିଅ ଓ ପୁଅକୁ ଧରି ରାସ୍ତା ପାର ହୋଉଥିବା ସମୟରେ ଥର୍ ଗାଡ଼ି ତାଙ୍କୁ ଧକ୍ମା ଦେଇଥିଲା । ଥର୍ ଗାଡ଼ିରେ ୨ ଜଣ ଓ ସ୍କର୍ପିଓରେ ୩ ଜଣ ଥିଲେ । ଦୁର୍ଘଟଣାରେ ପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ । ପୁଲିସ୍ ପ୍ରଥମେ ଅଙ୍କିତ ସାଙ୍କୁ ଗିରଫ କରିଥିଲା । ଅଙ୍କିତ ସ୍କର୍ପିଓ ଗାଡ଼ିରେ ବସିଥିଲେ । ତାକୁ ଜେରା କରିବା ପରେ ସେ କହିଥିଲା ସ୍କର୍ପିଓ ଗାଡ଼ି ଚଳାଉଥିଲେ କ୍ୟାପିଟାଲ୍ ଥାନା ୟୁନିଟ୍-୧ କ୍ୱାର୍ଟର୍ସ ନମ୍ବର ଭିଆର-୩/୧ରେ ରହୁଥିବା ସୋହମ ରାଜ । ସେ ଏକ ଘରୋଇ ବ୍ୟାଙ୍କ୍ର ମ୍ୟାନେଜର । ଆଉ ରୋହନ ମଧ୍ୟ ସ୍କର୍ପିଓରେ ବସିଥିଲା । ପୁଲିସ୍ ଦୁଇ ଜଣଙ୍କୁ ଧରିବାକୁ ବିଭିନ୍ନ ଆଡେ ଚଢ଼ଉ କରିଥିଲା । ଏହି ସମୟରେ ଜଣାପଡିଥିଲା ଏମାନେ ଏ ରାଜ୍ୟରୁ ସେ ରାଜ୍ୟ ବୁଲୁଛନ୍ତି । ୨ ଜଣ ଦିଲ୍ଳୀରେ ଥିବା ଖବର ପାଇଥିଲା । ପୁଲିସ୍ ଦିଲ୍ଳୀରୁ ୨ ଜଣଙ୍କୁ ଗିରଫ କରିଥିଲା । ହେଲେ କିଲର ଥର ଡ୍ରାଇଭର ଓ ତାଙ୍କ ସହଯୋଗୀ ଏବେ ବି ପୁଲିସ୍କୁ ଚକମା ଦେଇ ଫେରାର ଅଛନ୍ତି ।