PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସ୍ତ୍ରୀକୁ ଗଳାଚିପି ମାରିଥିଲା ସ୍ୱାମୀ, ପୁଲିସ୍‌କୁ କୁନି ଝିଅ କହିଲା ହତ୍ୟାର କାହାଣୀ…

ଉମରକୋଟ,୨୪/୦୯: ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର କାକିନାଡା ଅଞ୍ଚଳକୁ ଯାଇଥିଲେ ସ୍ୱାମୀ-ସ୍ତ୍ରୀ । ସେଠାରେ ସ୍ତ୍ରୀକୁ ଗଳା ଚିପି ହତ୍ୟା କରିଛି ସ୍ୱାମୀ । ଅଢ଼େଇ ବର୍ଷର ଝିଅ ଏହି ଲୋମହର୍ଷଣକାରୀ ଦୃଶ୍ୟକୁ ପୁଲିସ୍‌ ଆଗରେ ବଖାଣିବା ପରେ ଅଭିଯୁକ୍ତ ଉମରକୋଟ ବ୍ଲକ୍‌ ସିଲାଟିଗାଁର ମାଣିକ ଘୋଷକୁ ଗିରଫ କରିଛି ସେଠାକାର ପୁଲିସ୍‌ । ଗତ ସୋମବାର ଏହି ଅମାନବୀୟ କାଣ୍ଡ ଘଟିଥିଲେ ହେଁ ଶୁକ୍ରବାର ଏହା ପଦାକୁ ଆସିଛି । ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଲେ କାରାଗାଁର ତପନ ମଣ୍ଡଳଙ୍କ ଝିଅ ଲିପିକା ମଣ୍ଡଳ(୨୨) । କାକିନାଡାରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ଗାଁକୁ ଫେରିଛି ।

ମିଳିଥିବା ସୂଚନା ଅନୁଯାୟୀ, ୭ ବର୍ଷ ତଳେ କାରାଗାଁର ଲିପିକାଙ୍କୁ ବିବାହ କରିଥିଲା ମାଣିକ । ହୋଟେଲ ମ୍ୟାନେଜମେଣ୍ଟ ପାଠପଢ଼ିଥିଲେ ହେଁ ବିବାହ ବେଳକୁ ଚାକିରି କରୁ ନଥିଲା ମାଣିକ । ଗତ ମେ ମାସରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । କଥା ପହଞ୍ଚିଥିଲା ଉମରକୋଟ ଥାନାରେ । ମେ ୮ ତାରିଖରେ ଥାନାରେ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଥିଲା । ଘଟଣା ପରେ ଲିପିକା ତାଙ୍କ ବାପଘରକୁ ଚାଲିଯାଇଥିଲେ । ଏହାର କିଛି ଦିନ ପରେ ଅର୍ଥାତ୍‌ ଜୁନ୍‌ ମାସରେ ମାଣିକଙ୍କ ପରିବାର କାରାଗାଁରେ ପହଞ୍ଚି ଲିପିକାଙ୍କୁ ସାଙ୍ଗରେ ନେବାକୁ ଅଡି ବସିଥିଲେ । ବାପଘର ଲୋକେ କିନ୍ତୁ ଏଥିରେ ରାଜି ହୋଇନଥିଲେ । ଶେଷରେ ଗାଁ ଲୋକଙ୍କୁ ନେଇ ଏକ ବୈଠକ ବସିଥିଲା ଏବଂ ପରେ ଲିପିକାଙ୍କୁ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଯାଇଥିଲା । ପରେ ସେହି ମାସରେ ହିଁ ଲିପିକା ଓ ମାଣିକ ଦାଦନ ଖଟିବାକୁ କାକିନାଡା ଯାଇଥିଲେ । ସେଠାରେ ମାଣିକ ଗୋଟିଏ ହୋଟେଲରେ କାମ କରୁଥିଲା । ଗତ ସୋମବାର ସକାଳ ପ୍ରାୟ ୬ଟା ବେଳେ ମାଣିକ କାକିନାଡାରେ ରହୁଥିବା ତା’ର ସାଙ୍ଗକୁ ଫୋନ୍‌ କରିଥିଲା । ରବିବାର ରାତିରେ ତାଙ୍କ ସ୍ତ୍ରୀ ଲିପିକା ମୂର୍ଚ୍ଛା ରୋଗରେ ପୀଡ଼ିତ ହୋଇ ଆଉ ଉଠୁନଥିବା ଜଣାଇଥିଲା । ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ନେବା ଲାଗି ପରାମର୍ଶ ଦେଇଥିଲେ ତାଙ୍କ ସାଙ୍ଗ । ଆମ୍ବୁଲାନ୍ସ ପହଞ୍ଚିଲା ବେଳକୁ ଲିପିକାଙ୍କ ମୃତ୍ୟୁ ହୋଇସାରିଥିଲା । ଏହାପରେ ସାଙ୍ଗ ଜଣକ ସେଠାରେ ପହଞ୍ଚିଥିଲେ ଓ ଲିପିକାଙ୍କ ଗଳାରେ ଚିପିବା ଦାଗ ରହିଥିବା ଦେଖିଥିଲେ ।

ଖବର ପହଞ୍ଚିଥିଲା କାକିନାଡା ପୁଲିସ୍‌ ନିକଟରେ । ପୁଲିସ୍‌ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ସବୁଠାରୁ ବଡ଼କଥା ହେଲା, ଲିପିକାଙ୍କ ଅଢ଼େଇ ବର୍ଷର ଝିଅ ମାହି ଘୋଷ ପୁଲିସ୍‌ ନିକଟରେ ବଖାଣି ଥିଲା ଯେ, ଏହା ଏକ ହତ୍ୟାକାଣ୍ଡ । ତା’ ମା’ଙ୍କୁ କିଭଳି ମାଣିକ ଗଳାଚିପି ହତ୍ୟା କରିଥିଲା -ସେସବୁ ଦୃଶ୍ୟକୁ ଟିକିନିଖି ବଖାଣିଥିଲା । ମାହିର ବୟାନ ଆଧାରରେ ପୁଲିସ୍‌ ମାଣିକକୁ ଗିରଫ କରିଥିଲା । ପରେ ସତ୍ୟାସତ୍ୟ ସ୍ୱୀକାର କରିଥିଲା ମାଣିକ । ପୁଲିସ୍‌ ଆଗରେ କହିଥିଲା ଯେ, ଲିପିକାଙ୍କୁ ମୂର୍ଚ୍ଛା ରୋଗ ଧରିବା ପରେ ସେ ତାଙ୍କ ପାଟି ପାଖରେ ଆଙ୍ଗୁଠି ରଖିଥିଲା । ଲିପିକା ଆଙ୍ଗୁଠିକୁ କାମୁଡ଼ି ଦେବାରୁ ସେ ରାଗି କରି ଗଳାଚିପି ହତ୍ୟା କରିଥିଲା ।

ଏଭଳି ଦୁଃଖଦ ଖବରପାଇ ସେଠାରେ ପହଞ୍ଚିଥିଲେ ଲିପିକାଙ୍କ ବାପା ତପନ ମଣ୍ଡଳ । ପୁଲିସ୍‌ ତାଙ୍କୁ ଶବ ବ୍ୟବଚ୍ଛେଦ କରାଇ ହସ୍ତାନ୍ତର କରିଥିଲା । ଆଜି ସନ୍ଧ୍ୟାରେ ମୃତଦେହ ସହ ନାତୁଣୀକୁ ସାଙ୍ଗରେ ଧରି ଏଠାରେ ପହଞ୍ଚିଥିଲେ ତପନ । କାରାଗାଁରେ ଲିପିକାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ତପନ କହିଛନ୍ତି, ସେ ଦିନମଜୁରିଆ ଭାବେ କାମ କରି ନିଜ ପରିବାର ଚଳାଉଛନ୍ତି । ତାଙ୍କ ଝିଅକୁ କେବେହେଲେ ମୂର୍ଚ୍ଛା ବେମାର ନଥିଲା । ଯୋଜନାବଦ୍ଧ ଭାବେ ମାଣିକ ତାଙ୍କ ଝିଅକୁ ହତ୍ୟା କରିଛି । ତପନ ଏହା ବି କହିଛନ୍ତି ଯେ, ତାଙ୍କ ଝିଅ ନାଁରେ ୪ ଏକର ଜମି ରହିଥିଲା । ତାକୁ ମାଣିକ ତା’ ଜ୍ୱାଇଁକୁ ବିକ୍ରି କରି ଦେଇଛି ।