ଖଲ୍ଲିକୋଟ, ୧୪/୦୭ : ଯୌତୁକ ନିଆଁରେ ଜଳିଲେ ନବବଧୂ। ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କହ୍ନେଇପୁର ଗାଁରେ ସୋମବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ମେଡିକାଲରେ ପୁଲିସ ପହଞ୍ଚି ପଚରାଉଚରା କରୁଛି।
ସୂଚନାନୁଯାୟୀ, ଖଲ୍ଲିକୋଟ କହ୍ନେଇ ପୁର ଗାଁର ଆକାଶ ପରିଡ଼ା ଦୁଇ ବର୍ଷ ତଳେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ମାସ ପରେ ସ୍ୱାମୀ ଆକାଶ ରୋଜଗାର ଉଦ୍ଦେଶ୍ୟରେ ଦୁବାଇ ଚାଲି ଯାଇଥିଲେ। ଏପଟେ ଯୌତୁକ ପାଇଁ ବୋହୂ ଆରତୀକୁ ଶାଶୁ ଘର ଲୋକେ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ରାତିରେ ଶାଶୂ-ବୋହୂଙ୍କ ଭିତର ବଚସା ହୋଇଥିଲା। ଆଜି ସକାଳୁ ଆରତୀଙ୍କ ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ମେଡିକାଲରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆରତୀଙ୍କ ଶରୀରର ୪୦% ପୋଡିଯାଇଛି। ଶାଶୂ ଯୌତୁକ ପାଇଁ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି।