ନୂଆଦିଲ୍ଲୀ ୨୯/୦୭: ଜୁନ୍ ୧୨ରେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଅନେକ ପରିବାରକୁ ଛାରଖାର କରିଦେଇଥିଲା । ଉଡ଼ାଣର ମାତ୍ର କେଇ ସେକେଣ୍ଡ୍ ପରେ ବିମାନଟି ବିଜେ ମେଡିକାଲ କଲେଜ ହଷ୍ଟେଲ ଓ ରେସିଡେନ୍ସିଆଲ କ୍ୱାର୍ଟର୍ସ ଉପରେ ଖସିବାରୁ ଅକାଳରେ ଲିଭିଯାଇଥିଲା ଅନେକ ଜୀବନ ଦୀପ । ସେହି ଦୁର୍ଘଟଣା ସମୟର ଏକ ପ୍ରେରଣାପ୍ରଦ କାହାଣୀ ଏବେ ସାମ୍ନାକୁ ଆସିଛି । ବିମାନ ଦୁର୍ଘଟଣା ପରେ ମନୀଷା କଚ୍ଛାଡିୟା (୩୦) ନାମ୍ନୀ ଜଣେ ମହିଳା ନିଜର ୮ ମାସର ପୁଅ ଧ୍ୟାଂଶ ପାଇଁ ସାଜିଥିଲେ ସୁରକ୍ଷା କବଚ । ଚାରିଆଡ଼େ ପରିବ୍ୟାପ୍ତ ନିଆଁ ଓ ଧୂଆଁର ବଳୟକୁ ଖାତିର ନ କରି ପିଲାଟିକୁ ଛାତିରେ ଜାକି ଘରୁ ବାହାରକୁ ଆଣିବାରେ ସଫଳ ହୋଇଥିଲେ ସେ । ତାଙ୍କର ସେହି ସାହସିକ କାର୍ଯ୍ୟ ଯୋଗୁ ବର୍ତ୍ତିଯାଇଛି ଧ୍ୟାଂଶର ଜୀବନ । ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ଗତ ସପ୍ତାହରେ ଉଭୟ ମା’ ଓ ପୁଅ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ।
ମନୀଷାଙ୍କ ସ୍ୱାମୀ ଡାକ୍ତର କପିଲ କଚ୍ଛାଡି଼ୟା ବିଜେ ମେଡିକାଲ କଲେଜର ୟୁରୋଲୋଜି ବିଭାଗରେ ରେସିଡେଣ୍ଟ୍ ଡାକ୍ତର ଭାବେ କାର୍ଯ୍ୟ କରନ୍ତି । ଜୁନ୍ ୧୨ରେ ଏୟାରଇଣ୍ଡିଆ ବିମାନ ଏଆଇ୧୭୧ ବିଜେ ମେଡିକାଲ କଲେଜ ହଷ୍ଟେଲ ଓ ରେସିଡେନ୍ସିଆଲ କ୍ୱାର୍ଟର୍ସ ଉପରେ ଖସିବା ସମୟରେ କପିଲ ଡ୍ୟୁଟିରେ ଥିଲେ । ମନୀଷା ଓ ଧ୍ୟାଂଶ କ୍ୱାର୍ଟର୍ସରେ ଥିଲେ । ମନୀଷାଙ୍କ ଅନୁସାରେ, ବିମାନଟି ପ୍ରଚଣ୍ଡ ଶବ୍ଦ କରି ଖସିବା ପରେ କିଛି ସମୟ ପାଇଁ ଚାରିଆଡ଼ ଅନ୍ଧାର ହୋଇଯାଇଥିଲା । ଘରେ ଅଚାନକ ନିଆଁ ଲାଗିଯାଇଥିଲା । ସେ କିଛି ବୁଝି ପାରିନଥିଲେ ମଧ୍ୟ ଶିଶୁପୁତ୍ରକୁ ଛାତିରେ ଜାକି ଘରୁ ବାହାରକୁ ଦୌଡିଥିଲେ । ବାହାରେ ନିଆଁ ଓ ପ୍ରବଳ ଧୂଆଁ ଯୋଗୁ କିଛି ଦେଖିବା ପ୍ରାୟତଃ ଅସମ୍ଭବ ଥିଲା । ତଥାପି ସେ ଜୀବନ ବିକଳରେ ଦୌଡି ଚାଲିଥିଲେ ।
ନିଆଁର ବଳୟ ଦେଇ ଯିବା ଯୋଗୁ ସେମାନଙ୍କ ଶରୀରର କିଛି ଅଂଶ ପୋଡିଯାଇଥିଲା । ସେହି ମୁହୂର୍ତ୍ତରେ ସେ ଆଉ ବଞ୍ଚିବେନି ବୋଲି ଭାବି ନେଇଥିଲେ । କିନ୍ତୁ ଅସହ୍ୟ ଯନ୍ତ୍ରଣା ମଧ୍ୟରେ ବି ଧ୍ୟାଂଶକୁ ବଞ୍ଚାଇବାର ଅଛି ବୋଲି ଭାବି ଦୌଡିଥିଲେ । ମନୀଷାଙ୍କ ହାତ ଓ ମୁହଁ ସମେତ ଶରୀରରେ ୨୫ ପ୍ରତିଶତ ପୋଡିଯାଇଥିଲା । କୁନି ଧ୍ୟାଂଶର ଅଧିକ କ୍ଷତି ହୋଇଥିଲା । ତା’ର ମୁହଁ, ଦୁଇ ହାତ, ପେଟ ଓ ଛାତି ସମେତ ୩୬ ପ୍ରତିଶତ ପୋଡିଯାଇଥିଲା । ପରବର୍ତ୍ତୀ ସମୟରେ କେଡି ହସ୍ପିଟାଲରେ ଚିକିତ୍ସା ପାଇଁ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା । ବୟସ ଏତେ କମ୍ ହୋଇଥିବାରୁ ତା’ର ମାମଲା ଖୁବ୍ ଜଟିଳ ଥିବା ଡାକ୍ତର କହିଥିଲେ । ଧ୍ୟାଂଶକୁ ସେଠାରେ ପେଡିଆଟ୍ରିକ୍ ଆଇସିୟୁରେ ରଖାଯାଇଥିଲା । ପରେ ସେ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ ହୋଇଥିଲା । ଏହାପରେ ମନୀଷାଙ୍କ ଶରୀରରୁ ଚର୍ମ ନିଆଯାଇ ତା’ର ପୋଡ଼ା କ୍ଷତର ଚିକିତ୍ସାରେ ଲଗାଯାଇଥିଲା । ଶେଷରେ ମା’ର ମମତାର ବିଜୟ ହୋଇଛି । ଗତ ସପ୍ତାହରେ ମନୀଷା ଓ ଧ୍ୟାଂଶ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ।