ପ୍ରେମ ପାଇଁ ୩ ବର୍ଷର ପୁଅକୁ ବିକି ଦେଲା ମା’; ଘଟଣାର ପରଦା ଖୋଲିଦେଲା ଝିଅ

ହାଟଡ଼ିହି,୨୯ । ୫(ଆପ୍ର): ପ୍ରେମ ଆଗରେ ହାର ମାନିଛି ମାତୃତ୍ୱ । ପ୍ରେମକୁ ସାକାର କରିବାକୁ ଯାଇ ଜଣେ ମହିଳା ୩ ବର୍ଷର ପୁଅକୁ ବିକ୍ରି କରିଦେଇଛି । ବିଶ୍ୱାସ ନହେଲେ ବି ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ତାମ୍ପଳା ଗ୍ରାମରେ ।
ହାଟଡିହି ବ୍ଲକ୍ର ତାମ୍ପଳା ଗ୍ରାମର ଏ ମହିଳା ଜଣକ ୬ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ୫ ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛି । ସ୍ୱାମୀ ପରିବାର ଚଳାଇବା ପାଇଁ ରାଜ୍ୟ ବାହାରେ ରହି କାମ କରନ୍ତି । ହେଲେ ମହିଳା ଜଣକ କିଛି ମାସ ହେଲା ନିକଟସ୍ଥ ଇଞ୍ଚୋଳ ଗ୍ରାମର ଜଣେ ଯୁବକକୁ ଭଲ ପାଇ ତା ସହିତ ପ୍ରେମ ସମ୍ପର୍କ ବଢ଼ାଇଥିଲେ । ତେଣୁ ମହିଳା ଜଣକ ପ୍ରେମ ସମ୍ପର୍କକୁ ସାକାର କରିବାକୁ ଯାଇ ମାସେ ତଳେ ବନ୍ତର ଜଣେ ବ୍ୟକ୍ତିଙ୍କୁ ଶିଶୁପୁତ୍ରକୁ ବିକ୍ରି କରିଦେଇଥିଲା । ଏ ବିଷୟରେ କେହି ଜାଣି ପାରିନଥିଲେ । ଏପରିକି ଝିଅକୁ ଏ ସମ୍ପର୍କରେ ବାହାରେ ପ୍ରକାଶ କଲେ ମାରିଦେବାକୁ ଧମକ ଦେଇଥିଲା ।
କିନ୍ତୁ ଆଜି ସକାଳେ ଗ୍ରାମର କିଛି ମହିଳା ତାର ପୁଅ ସମ୍ପର୍କରେ ପଚରା ଉଚୁରା କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା । ମହିଳା ଜଣକ ଏନେଇ ପାଟି ଖୋଲି ନଥିବାବେଳେ ମହିଳାଙ୍କ ଝିଅ ତାର ସାନଭାଇକୁ ମା’ ବିକ୍ରି କରିଦେଇଛି ବୋଲି କହିଛି । ୫ ବର୍ଷ ଝିଅର ଏଭଳି ବୟାନ ପରେ ଘଟଣା ଚାରିଆଡେ ବ୍ୟାପି ଯାଇଥିଲା । ଏନେଇ ଗ୍ରାମବାସୀ ମହିଳାଙ୍କୁ ତାଗିଦ କରିବା ପରେ ମହିଳାଙ୍କ ବାପ ଘରକୁ ଜଣାଇଥିଲେ । ବାପଘର ଲୋକେ ବନ୍ତ ଯାଇ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ । ଏହା ପରେ ଗ୍ରାମର କିଛି ବ୍ୟକ୍ତି ମହିଳାଙ୍କ ବାପଘରକୁ ଯାଇ ଶିଶୁପୁତ୍ରକୁ ଘରକୁ ଆଣିଛନ୍ତି ।