୧୫ ଶଯ୍ୟା ବିଶିଷ୍ଟ ନିଶାମୁକ୍ତି ଓ ପୁର୍ନବାସ କେନ୍ଦ୍ର ପାଇଁ ଏମଓୟୁ ସ୍ବାକ୍ଷର

ଭୁବନେଶ୍ବର, ୧୭।୫ : ନିଶା ମୁକ୍ତି ଓ ପୁର୍ନବାସ କେନ୍ଦ୍ର ପ୍ରତିଷ୍ଠା ଓ ପରିଚାଳନା ପାଇଁ ଏକ ଏମଓୟୁ କେନ୍ଦୁଝର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ବାକ୍ଷର ହୋଇଛି। ଏହି କେନ୍ଦ୍ରରେ ୧୫ ଶଯ୍ୟା ରହିବ । କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଓ ଖୋର୍ଦ୍ଧା ବିଶ୍ବ ଜୀବନ ସେବା ସଂଘ ମଧ୍ୟରେ ଏହି ଏମଓୟୁ କେନ୍ଦୁଝର ଜିଲାପାଳଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଛି।
ଏହି ଅବସରରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କହିଥିଲେ ଯେ ବିଭିନ୍ନ ଯୋଜନାରେ ସାମାଜିକ ସୁରକ୍ଷା ତଥା ଦିବ୍ୟାଙ୍ଗମାନଙ୍କୁ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ନିଶା ମୁକ୍ତି କେନ୍ଦ୍ର କେନ୍ଦୁଝର ଜନସାଧାରଣକୁ ସେବା ଯୋଗାଇବାରେ ଆହୁରି ଅଧିକ ସହଯୋଗ କରିବ। ଏହି ନିଶା ମୁକ୍ତି ଓ ପୁର୍ନବାସ କେନ୍ଦ୍ରରେ ମଦ୍ୟପାନ , ନିଶା ଦ୍ରବ୍ୟ ଏବଂ ଡ୍ରଗ୍ସ ସେବନକାରୀଙ୍କୁ ଚିକିତ୍ସା ସେବା ମିଳିତ ଭାବେ ଯୋଗାଇ ଦିଆଯିବ।
ଏହି କେନ୍ଦ୍ର ମେ ୨୦୨୨ ଶେଷ ସପ୍ତାହକୁ କାର୍ଯ୍ୟକ୍ଷମ ହେବ। ଜିଲା ଖଣିଜ ଫାଉଣ୍ଡେସନ ସହାୟତାରେ ଏହା କେନ୍ଦୁଝର ଜିଲାରେ ପ୍ରଥମ ନିଶାମୁକ୍ତି କେନ୍ଦ୍ର ଅଟେ । ଜିଲ୍ଲା ପ୍ରଶାସନ ମଧ୍ୟ ରାଙ୍କି ଠାରେ ଏକ ଉନ୍ନତ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିଥିଲା । ଯେଉଁଠାରେ ଭିନ୍ନକ୍ଷମ, ଦୁର୍ବଳ ରୋଗୀ, ବୃଦ୍ଧବୃଦ୍ଧାଙ୍କ ପୁର୍ନବାସ ପାଇଁ ସର୍ବୋତ୍ତମ ମାନର ସେବା ଯୋଗାଇଥାଏ | ଏହି ଏମଓୟୁ ସ୍ବାକ୍ଷର ବେଳେ କେନ୍ଦୁଝର ଡିଏସଏସଓ ଏବଂ ବିଶ୍ବ ଜୀବନ ସେବା ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।