PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ପାଇଖାନା ଟାଙ୍କିରୁ ମିଳିଲା ପୁଲିସ୍‌ ବାପ ଓ ଶିଶୁପୁତ୍ରର ମୃତଦେହ : ଟାଙ୍ଗିଆରେ ହାଣି ସାନଭାଇ ଫିଙ୍ଗିଦେଇଥିଲା

ବାମରା,୧୨।୮: କଳି ଲାଗୁଥିଲେ । ମାରପିଟ୍‌ ବି ହେଉଥିଲା । ଗତ ୪ ବର୍ଷ ହେଲା ସେମାନଙ୍କ ମଧ୍ୟରେ ସୁସମ୍ପର୍କ ନଥିଲା । ହେଲେ ସାନଭାଇ ଏତେ ନୃଶଂସ ହୋଇପାରିବ ଏହା କେହି ଭାବିପାରି ନଥିଲେ । ସେଇଥିପାଇଁ ଗତ ଦୁଇ ଦିନ ଧରି ଗାଁ ଲୋକ ବଡ଼ଭାଇର ପରିବାରକୁ ନଦେଖି ଦେହପା’ ପାଇଁ ଡାକ୍ତରଖାନା ଯାଇଥିବେ ବୋଲି ଭାବି ନେଇଥିଲେ । ହେଲେ ଯାହା ଘଟିଯାଇଛି ତାହା ପୂରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଦୁଇଦିନ ପରେ ପାଇଖାନା ଟାଙ୍କିରୁ ପୁଲିସ୍‌ ବାପ ଓ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିଛି । ମୁମୂର୍ଷୁ ଅବସ୍ଥାରେ ବଡ଼ଭାଇଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସୁନ୍ଦରଗଡ଼ ସଦର ହସ୍‌ପିଟାଲକୁ ପଠାଇଛି । ଅଭିଯୁକ୍ତ ସାନ ଭାଇକୁ ଗିରଫ କରି ତଦନ୍ତ ଜାରି ରଖିଛି ପୁଲିସ୍‌ ।

ସମ୍ବଲପୁର ଜିଲ୍ଲା ବାମରା ବାଉଁଶଲଗା ପଞ୍ଚାୟତ ତାଳଡିହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ଥାନୀୟ ଅଙ୍ଗନବାଡ଼ି ପାଇଖାନା ଟାଙ୍କିରୁ ବାପା ଓ ଶିଶୁପୁତ୍ରଙ୍କ ମୃତଦେହ ଅଗ୍ନିଶମ ବିଭାଗ ଓ ଗୋବିନ୍ଦପୁର ପୁଲିସ ଉଦ୍ଧାର କରିଛି । ପୁଲିସ ସୂଚନାନୁଯାୟୀ, ତାଳଡିହି ଗାଁର ଜୟରାମ କିଶାନଙ୍କର ୩ ପୁଅ ଦିଲୀପ, ପ୍ରଦୀପ ଓ ସନାତନ ଏବଂ ଗୋଟିଏ ଝିଅ ଅଛନ୍ତି । ମଝିଆ ପୁଅ ପ୍ରଦୀପ ବାହାରେ ରହି କାମ କରନ୍ତି । ଦିଲୀପ ଓ ସନାତନ ଦୁଇଭାଇ ଏକା ସାଙ୍ଗରେ ରହୁଥିଲେ । ୪ବର୍ଷ ପୂର୍ବେ ଗାଁର ଜଣେ ଯୁବତୀ ସରୀତାଙ୍କୁ ଦିଲୀପ ଭଲପାଇ ବିବାହ କରିଥିଲେ । ତାଙ୍କର ଗୋଟିଏ ଶିଶୁପୁତ୍ର ହୋଇଥିଲା । ଏହା ପରେ ଭାଇ ଭାଇ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହିଥିଲା । ଗତ ୬ ମାସ ପୂର୍ବରୁ ଦିଲୀପ ଧାନକଟା ଦାଆରେ ସନାତନଙ୍କୁ ଆକ୍ରମଣ କରିଥିଲା । ଏହା ପରେ ମଧ୍ୟ ବାରମ୍ବାର ଦୁଇଭାଇ ମଧ୍ୟରେ କଳହ ଲାଗିରହିଥିଲା ।

ଗତ ରବିବାର ରାତିରେ ଦୁଇଭାଇ ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିଲା । ଏଥିରେ ସନାତନ ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ଦିଲୀପଙ୍କୁ ହାଣି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ଭାଉଜ ସରୀତା ଲୋକଙ୍କୁ କହିଦେବେ ବୋଲି ଭାବି ତାଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲା ସନାତନ । ଏଥିରେ ସରୀତା ଅଚେତ ହୋଇ ପଡ଼ିଯାଇଥିଲେ । ସରୀତା ଓ ଦିଲୀପ ଉଭୟ ମରିଯାଇଥିବା ଭାବି ସେମାନଙ୍କୁ ବୋହିଆଣି ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ବାଉଁଶଲଗା-ତାଳଡିହି-ବନ୍ଧପଡ଼ାର ଅଙ୍ଗନୱାଡ଼ିି ପାଇଖାନା ଟାଙ୍କିରେ ଶିଶୁପୁତ୍ର, ଭାଇ ଦିଲୀପ ଓ ସରୀତାଙ୍କୁ ପକାଇ ଦେଇଥିଲା । ନିକଟ ଏକ ବନ୍ଧରେ ଟାଙ୍ଗିଆ ଫିଙ୍ଗିଦେଇ ଗାଧୋଇ ସାରି ଘରକୁ ଯାଇଥିଲା ।

ଦିଲୀପଙ୍କ ପରିବାରକୁ ସୋମବାର ସକାଳେ ନ ଦେଖି ଗାଁ ଲୋକ ସହ ପରିବାରର ଅନ୍ୟମାନେ ମଧ୍ୟ ଡାକ୍ତରଖାନା କି ଅନ୍ୟ କେଉଁଠିକୁ ଯାଇଥିବେ ବୋଲି ଭାବୁଥିଲେ । ହେଲେ ସେମାନେ ରାତିରେ ମଧ୍ୟ ଘରକୁ ନ ଫେରିବାରୁ ଦିଲୀପଙ୍କ ମା’ କିଛି ଅଘଟଣ ଘଟିଥିବା ଅନୁମାନ କରି ଗୋବିନ୍ଦପୁର ପୁଲିସକୁ ସୂଚନା ଦେଇଥିଲେ । ଗୋବିନ୍ଦପୁର ପୁଲିସ ପହଞ୍ଚି ତନାଘନା କରିବା ପରେ ପାଇଖାନା ଟାଙ୍କିରେ ସେମାନଙ୍କୁ ପକାଯାଇଥିବା ଜାଣି ଅଗ୍ନିଶମ ବିଭାଗକୁ ଜଣାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରଥମେ ସରୀତାଙ୍କୁ ପାଇଖାନାରୁ ବାହାର କରିଥିଲେ । ସେ ଅଚେତ ଥିବା ଜଣାପଡ଼ିଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାମରା ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ପଠାଇଥିଲା । ଏହାପରେ ତାଙ୍କ ଶିଶୁପୁତ୍ର ବିଶ୍ୱରାଜ (୩)ଙ୍କ ମୃତଦେହ ଓ ଘଣ୍ଟାଏ ପରିଶ୍ରମ କରି ଶେଷରେ ଦିଲୀପଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି । ବାପ-ପୁଅଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ ସାନଭାଇ ସନାତନକୁ ଗୋବିନ୍ଦପୁର ପୁଲିସ ଗିରଫ କରି ତଦନ୍ତ ଜାରି ରଖିଛି ।