ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ପାଣିପାଗ ବିଭାଗ ଡିଜି

ନୂଆଦିଲ୍ଲୀ,୪ ।୬(ଏଜେନ୍ସି): ‘ସାଇକ୍ଲୋନ ମ୍ୟାନ୍’ ନାମରେ ପରିଚିତ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ନୂଆ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ଆସନ୍ତା ଅଗଷ୍ଟ ୧ରୁ ଏହି ପଦବିରେ ଯୋଗ ଦେବେ ଏବଂ ୫ ବର୍ଷ ପାଇଁ କାମ କରିବେ । କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଆଜି ତାଙ୍କ ନିଯୁକ୍ତି ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି । ୫୩ ବର୍ଷୀୟ ମହାପାତ୍ର ଏବେ ଆଇଏମଡିରେ ଅତିରିକ୍ତ ମହାନିର୍ଦ୍ଦେଶକ(ଏଡିଜି) ଭାବେ କାର୍ଯ୍ୟ କରୁଛନ୍ତି । ସେ ଭଦ୍ରକ ଜିଲ୍ଲାର ବାସିନ୍ଦା । ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେ ପ୍ରଥମେ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ରେ ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲେ । ପରେ କୌଣସି କାରଣରୁ ଚାକିରିରୁ ଇସ୍ତଫା ଦେଇ ଭୁବନେଶ୍ୱର ସ୍ଥିତ ଏକ ସରକାରୀ କଲେଜରେ କିଛି ମାସ ଅଧ୍ୟାପନା କରିଥିଲେ । କିଛି ଦିନ ପରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ରେ ଯୋଗ ଦେଇଥିଲେ ।
ମୃତ୍ୟୁଞ୍ଜୟ ନିଜ କାର୍ଯ୍ୟକାଳରେ ଫାଇଲିନ, ତିତଲି ଓ ଲୁବନା ପରି ଅନେକ ବାତ୍ୟାର ମାର୍ଗ ସଠିକ୍ ଭାବେ ଆକଳନ କରିଥିଲେ । ୧୯୯୯ ମସିହାର ମହାବାତ୍ୟା ସମୟରେ ସେ ଭୁବନେଶ୍ୱର ସ୍ଥିତ ଆଇଏମଡି କାର୍ଯ୍ୟାଳୟର ସାଇକ୍ଲୋନ ୱାର୍ଣ୍ଣିଂ ଡିଭିଜନରେ କାର୍ଯ୍ୟ କରୁଥିଲେ । ରାଜଧାନୀ ଦିଲ୍ଲୀ ସ୍ଥିତ ଆଇଏମଡି କାର୍ଯ୍ୟାଳୟକୁ ବଦଳି ହେବା ପରେ ସେ ମୁଖ୍ୟତଃ ବାତ୍ୟାଗୁଡ଼ିକର ମାର୍ଗର ସଠିକ୍ ଆକଳନ କରିବା ଏବଂ ଏସମ୍ପର୍କିତ ଅନ୍ୟ ତଥ୍ୟ ନିର୍ଦ୍ଧାରଣରେ ନିୟୋଜିତ ହୋଇଥିଲେ । ସେ ପ୍ରାୟ ୪୦ରୁ ଅଧିକ ବାତ୍ୟା ଉପରେ ନଜର ରଖିଥିଲେ ।
ଏକଦା ସେ ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ କହିଥିଲେ, ପିଲାଦିନେ ବାତ୍ୟାର ପ୍ରକୋପ ଏବଂ ତା’ଯୋଗୁ ଲୋକଙ୍କ ଦୁର୍ଦ୍ଦଶାକୁ ଦେଖି ସେ ଖୁବ ପ୍ରଭାବିତ ହୋଇଥିଲେ । ତାଙ୍କର ପୈତୃକ ଗ୍ରାମ ବଙ୍ଗୋପସାଗର ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ । ୧୯୭୧ ଅକ୍ଟୋବରରେ ଏକ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଥିଲା । ତାଙ୍କୁ ସେତେବେଳେ ୬ ବର୍ଷ ବୟସ ହୋଇଥିଲା । ସେ ଏହି ବାତ୍ୟାରେ ନିଜର କେତେକ ସମ୍ପର୍କୀୟଙ୍କୁ ହରାଇଥିଲେ । ସେହିପରି ୧୯୮୨ ଅକ୍ଟୋବରରେ ଆଉ ଏକ ବାତ୍ୟା ଯୋଗୁ ବି ଭଦ୍ରକ ସମେତ ଓଡ଼ିଶାର ବିଭିନ୍ନ ଭାଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ବାତ୍ୟାରେ ମୃତ୍ୟୁଞ୍ଜୟଙ୍କ ପରିବାର ଦ୍ୱାରା କରାଯାଇଥିବା ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା । ଏହା ତାଙ୍କ ପରିବାର ପାଇଁ ଆୟର ମୁଖ୍ୟସ୍ରୋତ ହୋଇଥିବାରୁ ସେମାନେ ଭାଙ୍ଗି ପଡ଼ିଥିଲେ ।
ସେସମୟରେ ପାଣିପାଗ ବିଶେଷ କରିବ ବାତ୍ୟା ଏବଂ ତା’ର ମାର୍ଗ ସମ୍ପର୍କରେ ଏଭଳି ଆକଳନ କରାଯାଉନଥିଲା । ତେଣୁ ଧନଜୀବନ କ୍ଷୟକ୍ଷତି ଅଧିକ ହେଉଥିଲା । ଏସବୁ ଘଟଣା ତାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥିଲା ଯାହାଯୋଗୁ ସେ ପରବର୍ତ୍ତୀ ଜୀବନରେ ପାଣିପାଗ ବିଭାଗରେ କାମ କରିବା ଏବଂ ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।