ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ମୃତ୍ଯୁଞ୍ଜୟ ମହାପାତ୍ର

ଭୁବନେଶ୍ୱର ୪/୬: ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ଭାବେ ନିଯୁକ୍ତି ପାଇଲେ ଓଡିଶାର ମୃତ୍ଯୁଞ୍ଜୟ ମହାପାତ୍ର । ଏଥର କେତେବେଳେ ବାତ୍ୟା ହେବ, ମୌସୁମୀ କେବେ ଆସିବ, ପାଣିପାଗର ସ୍ଥିତି କଣ ରହିବ ସେନେଇ ସୂଚନା ଦେବେ ମୃତ୍ୟୁଞ୍ଜୟ । ପୂର୍ବରୁ ଆଇଏମଡିର ବାତ୍ଯା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ମୃତ୍ଯୁଞ୍ଜୟ ।
ସାରା ଦେଶକୁ ପାଣିପାଗର ଖବର ଦେବେ ଓଡିଆ ପୁଅ ମୃତ୍ଯୁଞ୍ଜୟ ମହାପାତ୍ର । ମୃତ୍ଯୁଞ୍ଜୟଙ୍କ ଜନ୍ମ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ରାଜଗୁରୁପୁର ଗାଁରେ । ଘଣ୍ଟେଶ୍ୱର ଅପର୍ତ୍ତିଚରଣ ଉଚ୍ଚ ବିଦ୍ଯାଳୟରୁ ନିଜ ଶିକ୍ଷା ସମାପ୍ତ କରିଥିଲେ ମୃତ୍ଯୁଞ୍ଜୟ । ଏବେ ତାଙ୍କୁ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଆସନ୍ତା ଅଗଷ୍ଟ ୧ ତାରିଖରୁ ପଦ ସମ୍ଭାଳିବେ ମୃତ୍ଯୁଞ୍ଜୟ । ଏହି ଖବର ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ଗାଁରେ ଉତ୍ସବର ମାହୋଲ ପାଲଟିଛି । ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । କହିରଖୁଛୁ ବାତ୍ଯା ଫୋନିର ଗତିପଥ ସମ୍ପର୍କରେ ସଠିକ୍ ଆକଳନ କରି ରାଜ୍ୟବାସୀଙ୍କୁ ଆଗୁଆ ସତର୍କ କରିପାରିଥିଲେ ମୃତ୍ଯୁଞ୍ଜୟ ।