PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

‘ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ କେନ୍ଦ୍ର ବଜେଟ୍‌’: ମୃତ୍ୟୁଞ୍ଜୟ ମହାପାତ୍ର

କେନ୍ଦ୍ର ବଜେଟ୍‌ ୨୦୧୯-୨୦ ବାବଦରେ ରାଷ୍ଟ୍ରାୟତ୍ତ ସିଣ୍ଡିକେଟ୍‌ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଏମ୍‌ଡି ତଥା ସିଇଓ) ମୃତ୍ୟୁଞ୍ଜୟ ମହାପାତ୍ର ଅନେକ ସକାରାତ୍ମକ ମନ୍ତବ୍ୟ ରଖିଛନ୍ତି । ବ୍ୟାଙ୍କ କ୍ଷେତ୍ର, ପୁଞ୍ଜିନିବେଶ ଏବଂ ଗ୍ରାମୀଣ କ୍ଷେତ୍ରକୁ ଦୃଷ୍ଟିରେ ରଖି ଅନେକ ପ୍ରସ୍ତାବ ବଜେଟ୍‌ରେ ରହିଥିବା ସେ କହିଛନ୍ତି । ବଜେଟ୍‌କୁ ନେଇ ଓଡ଼ିଶା ଜନ୍ମିତ ଶ୍ରୀ ମହାପାତ୍ର ‘ପ୍ରମେୟ’କୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଦେଇଛନ୍ତି । ତାହାର କିୟଦଂଶ ଏଠାରେ ଉପସ୍ଥାପନ କରାଗଲା…

ପ୍ରଶ୍ନ: କେନ୍ଦ୍ର ବଜେଟ୍‌ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ଉପରେ କି ପ୍ରଭାବ ପକାଇବ?
ଉତ୍ତର: ମୋ ଦୃଷ୍ଟିରେ ଏହି ବଜେଟ୍‌ ବେଶ୍‌ ଦୂରଦର୍ଶୀ । ବିଶେଷକରି ଆର୍ଥିକ ଅଭିବୃଦ୍ଧିକୁ ଏହା ତ୍ୱରାନ୍ୱିତ କରିବ । ଏଥିରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଇଛି । ଏହାଛଡ଼ା ପୁଞ୍ଜିନିବେଶ, ଗ୍ରାମୀଣ ବିକାଶ ଆଦି ସବୁପ୍ରକାର ବ୍ୟବସ୍ଥାକୁ ନଜରରେ ରଖାଯାଇ ପ୍ରସ୍ତାବମାନ ଅଣାଯାଇଛି । ବ୍ୟାଙ୍କିଙ୍ଗ୍‌ ଏବଂ ଆଉ ଯେଉଁ ଯେଉଁ କ୍ଷେତ୍ରରେ ଉତ୍ପାଦନ ସହ ରୋଜଗାର ଆସିପାରିବ, ତା’ ଉପରେ ଧ୍ୟାନ ରଖାଯାଇଛି ।
ପ୍ରଶ୍ନ: ବଜେଟ୍‌ରେ ଏନ୍‌ବିଏଫ୍‌ସିକୁ ସୁଧାରିବା ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ଆପଣ ଭାବୁଛନ୍ତି କି ତାହା ଠିକ୍‌?
ଉତ୍ତର: ଯେଉଁ ଭଲ ଏନ୍‌ବିଏଫ୍‌ସି (ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନି) ଭାରତରେ ଅଛନ୍ତି, ସେମାନେ ତାଙ୍କର କ୍ଷତି ପରିଚାଳନା ପାଇଁ ଠିକ୍‌ ସମୟରେ ପଦକ୍ଷେପ ନେଉଛନ୍ତି । ନିଜ ଦାୟିତ୍ୱକୁ ଠିକ୍‌ ଭାବେ ତୁଲାଇବା ପାଇଁ ଯାହା ଟଙ୍କା ଦରକାର, ତା’ର ବ୍ୟବସ୍ଥା ଆଗରୁ କରୁଛନ୍ତି । ବର୍ତ୍ତମାନ ସରକାର ବଜେଟ୍‌ରେ ଘୋଷଣା କରିଛନ୍ତି ଯେ ଯଦି କୌଣସି ବ୍ୟାଙ୍କ, ଏନ୍‌ବିଏଫ୍‌ସିଠାରୁ କିଛି ସମ୍ପତ୍ତି କିଣିବ, ଯଦି କୌଣସି ଋଣ କରିଥିବା ଲୋକ ସେହି ସମ୍ପତ୍ତିରେ ଖିଲାପକାରୀ ହେଲା, ତା’ହେଲେ ତାହାର ୧୦% ଭାରତ ସରକାର ବହନ କରିବେ । ଏହା ଏକ ଉଚିତ ପଦକ୍ଷେପ ।

ପ୍ରଶ୍ନ: ବଜେଟ୍‌ରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ପାଇଁ ୭୦,୦୦୦ କୋଟି ଟଙ୍କାର ପୁନଃ ପୁଞ୍ଜିକରଣ ବ୍ୟବସ୍ଥା ହୋଇଛି । ଅଭିବୃଦ୍ଧି ପାଇଁ ଏହା ଉଚିତ ପଦକ୍ଷେପ କି?
ଉତ୍ତର: ନିଶ୍ଚିତ । କାରଣ ବ୍ୟାଙ୍କଗୁଡ଼ିକର ପୁଞ୍ଜିକରଣ ପାଇଁ ଯାହା ନିର୍ଦ୍ଧାରିତ ସୀମାରେଖା ଆର୍‌ବିଆଇ ଏବଂ ବାସିଲ୍‌ ଦ୍ୱାରା ଧାର୍ଯ୍ୟ କରାଯାଇଛି, ତାହାଠାରୁ ଅଧିକରେ ଅଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯିବାକୁ ଥିବା ନୂଆ ମୂଳଧନ ବ୍ୟାଙ୍କଗୁଡ଼ିକ ଶିଳ୍ପ କ୍ଷେତ୍ର, ବାଣିଜ୍ୟ ଓ ରାସ୍ତାଘାଟ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରିପାରିବେ । ସରକାର ମୂଳଧନ ହିସାବରେ ଯେଉଁ ୭୦,୦୦୦ କୋଟି ଦେବାକୁ ପ୍ରସ୍ତାବ ରଖିଛନ୍ତି, ବ୍ୟାଙ୍କଗୁଡ଼ିକ ତା’ର ୧୦ଗୁଣ ବା ୭ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିପାରିବେ ।

ପ୍ରଶ୍ନ: ଓଡ଼ିଶା ପାଇଁ ଏଥର ବଜେଟ୍‌ କି ପ୍ରକାର ସହାୟକ ହେବ?
ଉତ୍ତର: ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ । ଏଥିରେ ସ୍ମାର୍ଟ ସିଟିର ବହୁତ କିଛି ବିକାଶମୂଳକ କାର୍ଯ୍ୟ କରାଯାଉଥିବା ବେଳେ ଓଡ଼ିଶାର ଯୁବକଯୁବତୀ ବହୁତ ପରିଶ୍ରମୀ, ଦକ୍ଷ ଓ ଆଗକୁ ଯିବା ପାଇଁ ସବୁବେଳେ ଇଚ୍ଛୁକ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ରିହାତି ଦରରେ ଋଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । କେନ୍ଦ୍ର ସରକାର ଛୋଟ ଉଦ୍ୟୋଗୀଙ୍କ ଋଣ ପରିଶୋଧର ୨% ବହନ କରିବାକୁ ଘୋଷଣା କରିଛନ୍ତି, ଯାହା କି ସ୍ୱାଗତଯୋଗ୍ୟ । ସିଣ୍ଡିକେଟ୍‌ ବ୍ୟାଙ୍କର ଓଡ଼ିଶାରେ ୧୧୦ଟି ଶାଖା ଥିବା ବେଳେ ଆଗାମୀ ଆର୍ଥିକବର୍ଷରେ ଆଉ ୧୦-୧୨ଟି ଶାଖା ଖୋଲିବାର ଯୋଜନା ଅଛି । ଆମର ବ୍ୟାଙ୍କ ମଧ୍ୟ ଛୋଟ ଉଦ୍ୟୋଗୀଙ୍କୁ ଓଡ଼ିଶାରେ ସୁବିଧା ଦରରେ ଋଣ ଯୋଗାଇ ପାରିବ ।

ସମ୍ବନ୍ଧିତ ଖବର