ଏମଏସ୍ଏମଇ ବାଣିଜ୍ୟ ମେଳାରେ ଆଲୋଚନାଚକ୍ର: ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ନୋଡାଲ ସଂସ୍ଥା ରହୁ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଏମ୍ଏସ୍ଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଜି ‘ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ ଓ ଜେଡ୍’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ରାଜ୍ୟର ଏକ ନୋଡାଲ୍ ସଂସ୍ଥା ଗଠନ ପାଇଁ ଆଲୋଚନାରୁ ମତ ଆସିଛି ।
ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ପ୍ୟାକେଜିଂର ନିର୍ଦ୍ଦେଶକ ଡା. ଏନ୍ସି. ସାହା କହିଥିଲେ, ପ୍ୟାକେଜିଂ ଓ ଖାଦ୍ୟ ପ୍ରକ୍ରିୟାକରଣ ପରସ୍ପରର ପରିପୂରକ । ଭାରତ ଓ ଚୀନରେ ପ୍ୟାକେଜିଂର ବ୍ୟବହାର ସବୁଠୁ ଅଧିକ । ଏହି ଶିଳ୍ପରେ ପୁଞ୍ଜିନିବେଶ କଲେ ଉଦ୍ୟୋଗୀମାନେ ଲାଭବାନ ହେବେ ବୋଲି ସେ କହିଥିଲେ । ଖାଦ୍ୟ ଓ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ଏକ ନୋଡାଲ ସଂସ୍ଥା ଗଠନ କରିବାକୁ ଓୱାଇଇଏ ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମିଶ୍ର କହିଥିଲେ ।
ଏଫଏସଏସଏଆଇର ପରାମର୍ଶଦାତା ଡ. ଡିପି ଗୁହା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଆକ୍ଟ-୨୦୦୬ ଉପରେ ଆଲୋଚନା କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଭ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ବାୟୁ, ଜଳ, ପରିବେଶ ସୁରକ୍ଷା ଆଇନ ଓ ଅନ୍ୟ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗୋ-ସ୍ୱିଫ୍ଟ ପୋର୍ଟାଲ ସହ ସଂଯୁକ୍ତ ହୋଇଛି । ଏହାଦ୍ୱାରା ଇଜ୍ ଅଫ ଡୁଇଁର ସୁଫଳ ପାଇହେବ । ସମୟ ଅନୁସାରେ ଅନୁମତି ପ୍ରଦାନ ପାଇଁ ବୋର୍ଡର ଏକ ନିଜସ୍ୱ ୱେବସାଇଟ୍ ଅଛି ବୋଲି ସେ ସୂଚନା ଦେଇଥିଲେ ।
କ୍ୟୁସିଆଇର ବରିଷ୍ଠ ନିର୍ଦ୍ଦେଶକ ଡ.ଏ ରାଜ୍ ଜିରୋ ଡିଫେକ୍ଟ ଓ ଜିରୋ ଇଫେକ୍ଟ ଉପରେ ଆଲୋଚନା କରିଥିଲେ । ଏମଏସଏମଇଗୁଡିକୁ ଅନଲାଇନ୍ରେ ଟ୍ରେଡ୍ ଲାଇସେନ୍ସ ଦିଆଯାଉଛି ବୋଲି ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ କହିଥିଲେ । ଆପିକଲ୍ର ପରିଚାଳନା ନିର୍ଦ୍ଦେଶକ ଡା.ଏସଏସ ଦେ, ଏମଏସଏମଇ ବିଭାଗ ଉପଶାସନ ସଚିବ ମାନସୀ ମାନ୍ଧାତା ଉପସ୍ଥିତ ଥିଲେ ।