ମୁମ୍ବାଇ,୭/୮ : ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଲଗାତାର ୫ମ ବର୍ଷ ପାଇଁ କମ୍ପାନୀରୁ କୌଣସି ଦରମା ନେଇ ନାହାଁନ୍ତି। ରିଲାଏନ୍ସର ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରୁ ଅମ୍ବାନୀ କୌଣସି ଦରମା ନେଇ ନାହାଁନ୍ତି। ବାସ୍ତବରେ, କରୋନା ମହାମାରୀ ପରେ ସୃଷ୍ଟି ହୋଇଥିବା ବିକଟ ପରିସ୍ଥିତି ଯୋଗୁଁ, ମୁକେଶ ଅମ୍ବାନୀ ସ୍ୱେଚ୍ଛାକୃତ ଭାବରେ ସମସ୍ତ ପ୍ରକାରର ଭତ୍ତା, ସେବାନିବୃତ୍ତି ଲାଭ ଏବଂ ଯେ କୌଣସି ପ୍ରକାରର କମିଶନ ସମେତ ନିଜର ସମ୍ପୂର୍ଣ୍ଣ ଦରମା ଛାଡିବାକୁ ନିଷ୍ପତ୍ତି ନେଇଥିଲେ।
କରୋନା ପୂର୍ବରୁ, ୨୦୦୮-୦୯ଆର୍ଥିକ ବର୍ଷରୁ ୨୦୧୯-୨୦ଆର୍ଥିକ ବର୍ଷ ମଧ୍ୟରେ, ମୁକେଶ ଅମ୍ବାନୀ ତାଙ୍କର ବାର୍ଷିକ ପାରିଶ୍ରମିକ ୧୫ କୋଟି ଟଙ୍କାରେ ସୀମିତ ରଖିଥିଲେ। କାରଣ ଥିଲା ପରିଚାଳନା ସ୍ତରରେ ଶିଳ୍ପରେ ଏବଂ କମ୍ପାନୀ ପାଇଁ ଏକ ବ୍ୟକ୍ତିଗତ ଉଦାହରଣ ସ୍ଥାପନ କରିବା। ଉଲ୍ଲେଖଯୋଗ୍ୟ ଯେ, ଭାରତରେ କୋଭିଡ୍-୧୯ ମହାମାରୀ ଦେଶର ସାମାଜିକ, ଅର୍ଥନୈତିକ ଏବଂ ଶିଳ୍ପ ପରିସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥିଲା। ରିଲାଏନ୍ସର ବାର୍ଷିକ ରିପୋର୍ଟ ଅନୁଯାୟୀ, କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଖିଲ ମେସୱାନିଙ୍କୁ ବାର୍ଷିକ ମୋଟ ୨୫ କୋଟି ଟଙ୍କା ଦରମା ଏବଂ ଅନ୍ୟାନ୍ୟ ସୁବିଧା ଭାବେ ମିଳୁଛି । ସେହି ସମୟରେ, ତାଙ୍କ ସାନ ଭାଇ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିତଲ ମେସୱାନିଙ୍କ ଦରମା ମଧ୍ୟ ୨୫କୋଟି ଟଙ୍କା ରହିଛି। ରିଲାଏନ୍ସର ଅନ୍ୟତମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.ଏମ.ଏସ. ପ୍ରସାଦଙ୍କୁ ପ୍ରାୟ ୨୦ କୋଟି ଟଙ୍କା ଦରମା ଏବଂ ଅନ୍ୟାନ୍ୟ ସୁବିଧା ଭାବରେ ମିଳୁଛି ବୋଲି ରିଲାଏନ୍ସ ପକ୍ଷରୁ ପ୍ରେସ ରିଲିଜ ଜାରି ହୋଇଛି ।