ବିଶ୍ୱ ସ୍ପୋର୍ଟସ ଟିମ୍ ମାଲିକ ତାଲିକା: ସବୁଠୁ ଧନୀ ମୁକେଶ ଅମ୍ବାନି

source:www.livemint.com
ନୂଆଦିଲ୍ଲୀ,୧୮ା୩(ଏଜେନ୍ସି):ଫୋର୍ବସ ପତ୍ରିକା ବିଶ୍ୱର ସ୍ପୋର୍ଟସ ଟିମ୍ଗୁଡିକର ମାଲିକମାନଙ୍କ ଏକ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତୀୟ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ଆର୍ଆଇଏଲ୍) ଅଧ୍ୟକ୍ଷ ମୁକେଶ ଅମ୍ବାନି ଶୀର୍ଷରେ ଅଛନ୍ତି । ମୁକେଶ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ମାଲିକ । ଫୋର୍ବସ ଏହି ତାଲିକାରେ ୨୦ ଜଣ ବ୍ୟକ୍ତିଙ୍କୁ ସାମିଲ କରିଛି । ସୂଚୀ ଅନୁସାରେ, ଗତ ବର୍ଷ ତୁଳନାରେ ଚଳିତବର୍ଷ ୧୩ଟି ଟିମ୍ ମାଲିକଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି ।
୫ ଜଣଙ୍କ ସମ୍ପତ୍ତିରେ ହ୍ରାସ ଘଟିଥିବାବେଳେ ଦୁଇ ଜଣଙ୍କ ସମ୍ପତ୍ତି ଅପରିବର୍ତ୍ତିତ ରହିଛି । ୩.୬ ଲକ୍ଷ କୋଟି ଟଙ୍କା ସମ୍ପତ୍ତିର ମାଲିକ ମୁକେଶ ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ ଟିମ୍କୁ କିଣିଥିଲେ । ତାଲିକାରେ ଏନ୍ବିଏ ଟିମ୍ ଲସ୍ ଏଞ୍ଜେଲସ୍ କ୍ଲିପର୍ସ ମାଲିକ ଷ୍ଟିଭ୍ ବାଲ୍ମର୍ ଦ୍ୱିତୀୟ ଏବଂ ଅଟୋ ରେସିଂ ଟିମ୍ ରେଡ୍ ବୁଲ୍ର ମାଲିକ ଡିଏଟ୍ରିଚ୍ ମାଟେସିଟ୍ଜ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ସହିତ ହକି ଟିମ୍ ସାନ୍ ଜୋସ୍ ସାର୍କର ମାଲିକ ହାସୋ ପ୍ଲେଟ୍ନର ଆଣ୍ଡ୍ ଫ୍ୟାମିଲି, ଚେଲ୍ସି ଫୁଟ୍ବଲ୍ କ୍ଲବ୍ର ମାଲିକ ରୋମାନ ଅବ୍ରାମୋବିଚ୍ ଏବଂ କରୋଲିନା ପାନ୍ଥର୍ସ ଫୁଟ୍ବଲ୍ ଟିମ୍ର ମାଲିକ ଡେଭିଡ୍ ଟେପର ମଧ୍ୟ ତାଲିକାରେ ସାମିଲ ହୋଇଛନ୍ତି ।