ମୋଦି ସରକାରଙ୍କ ଶେଷ ଅଧିବେଶନରେ ଭାବୁକ ହେଲେ ମୁଲାୟମ ସିଂ ଯାଦବ, କହିଲେ ଆପଣ ପୁଣି ହୁଅନ୍ତୁ ପ୍ରଧାନମନ୍ତ୍ରୀ

source:www.jagran.com
ନୁଆଦିଲ୍ଲୀ୧୩/୨: ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଚାଲିଥିବା ବୟାନବାଜି ମଧ୍ୟରେ ମୁଲାୟମ ସିଂହ ଯାଦବ ଆଜି ଏକ ବଡ ବୟାନ ଦେଇଛନ୍ତି । ସମାଜବାଦୀ ପାର୍ଟିର ସୁପ୍ରିମୋ ତଥା ସାଂସଦ ମୁଲାୟମ ଲୋକସଭାରେ କହିଲେ ଯେ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବା ଉଚିତ୍ । ବଜେଟ୍ ଅଧିବେଶନର ଶେଷ ଦିନରେ ସେ ଏହି ବୟାନ ଦେଇଛନ୍ତି । ଯେତେବେଳେ ସେ ଏହି ବୟାନ ଦେଇଥିଲେ ସେତେବେଳେ ମୋଦି ମଧ୍ୟ ସଂସଦରେ ଉପସ୍ଥିତ ଥିଲେ ।
ମୁଲାୟମ କହିଲେ, ‘ମୋର କାମନା ଏହା ଯେ ଏଠି ଯେତେ ସଦସ୍ୟ ଅଛନ୍ତି ସେମାନେ ପୁଣି ଚୟନ ହୋଇ ଏଠାକୁ ଆସନ୍ତୁ । ଆମେ (ବିରୋଧୀ) ସଂଖ୍ୟାରେ ବହୁତ କମ୍, ଆମେ ଅଧିକ କିଛି ହାସଲ କରିପାରିବୁନି କିନ୍ତୁ ମୁଁ କାମନା କରୁଛି ଆପଣ(ମୋଦି) ପୁଣି ପ୍ରଧାନମନ୍ତ୍ରୀ ହୋଇ ଆସନ୍ତୁ’ । ମୁଲାୟମଙ୍କ ଏହି ବୟାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଯୋଡି ତାଙ୍କର ଅଭିବାଦନ କଲେ ।

କହିରଖୁଛୁ ଆଜି ବଜେଟ୍ ଅଧିବେଶନର ଶେଷ ଦିନ। ସମସ୍ତ ସାଂସଦ ଲୋକସଭାରେ ନିଜ ଶେଷ ଭାଷଣ ଦେଇଥିଲେ । ଏହି ସମୟରେ ଏପରି ବୟାନ ରଖିଥିଲେ ମୁଲାୟମ ସିଂହ ଯାଦବ । ଆପଣଙ୍କୁ କହିରଖୁଛୁ ଯେତେବେଳେ ସେ ଏହି ବୟାନ ଦେଲେ ତାଙ୍କ ନିକଟରେ ବସିଥିଲେ ୟୁପିଏ ଅଧ୍ଯକ୍ଷ ସୋନିଆ ଗାନ୍ଧୀ । ମୁଲାୟମଙ୍କ ଏହି ବୟାନ ପରେ ସଂସଦରେ କରତାଳି ବର୍ଷା ହେବାକୁ ଲାଗିଲା ।
ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ମୁଲାୟମ ସିଂ ଯାଦବ । ସେ ସୁମିତ୍ରା ମହାଜନଙ୍କୁ ଉତ୍ତମ ପ୍ରକ୍ରିୟାରେ ଗୃହ ଚଳାଇଥିବାରୁ ଅଭିବାଦନ କରିଥିଲେ ।