ନୂଆଦିଲ୍ଲୀ,୧୫/୦୭: ମୁମ୍ବାଇ- ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପକୁ ଆଉ  ଏକ ସଫଳତା । ଏହି ପ୍ରକଳ୍ପ ଲାଗି ସମୁଦ୍ର  ତଳ ଟନେଲ କାମର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ  ହୋଇଛି । ଘାନସୋଲିଠାରୁ ସିଲ୍‌ପଠା ଯାଏ  ଅଣ୍ଡର ସି ଟନେଲ କାମ ସମ୍ପୂର୍ଣ୍ଣ ହୋଇଥିବା  ରେଲୱେ ପକ୍ଷରୁ ସୂଚନା ମିଳିଛି । କେବିସି  ଏହି ରୁଟ୍‌ରେ ଜାପାନର ସିଙ୍କାନସେନ ବୁଲେଟ  ଟ୍ରେନ ଚଳାଚଳ କରାଯିବ । ଏ ନେଇ ଜାପାନ  ସରକାର ସମ୍ମତି ପ୍ରଦାନ କରିଛନ୍ତି । କେବିସି  ଏବଂ ଥାନେ ମଧ୍ୟରେ ୨୧ କିମି ସମୁଦ୍ର ତଳ  ଟନେଲ କାମ ସମ୍ପୂର୍ଣ୍ଣ କରାଯାଇଛି । ବୁଲେଟ  ଟ୍ରେନ ପ୍ରକଳ୍ପର ୩୧୦ କିମି ଭାୟାଡକ୍ଟ କାମ  ଶେଷ କରାଯାଇଛି । ଏଥିରେ ଟ୍ରାକ ବିଛାଇବା,  ଓଭରହେଡ୍‌ ଇଲେକ୍ଟ୍ରିକ କାର୍ଯ୍ୟ, ଷ୍ଟେସନ ଏବଂ  ବ୍ରିଜ କାମ ଦ୍ରୁତ ଗତିରେ ଆଗଉଛି । ଜାପାନର  ସିଙ୍କାନସେନ ଟେକ୍ନୋଲୋଜିରେ ଭାରତରେ  ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ୫୧୦  କିମି ବିଶିଷ୍ଟ ଟ୍ରାକ୍‌ରେ ବୁଲେଟ ଟ୍ରେନ ଚାଲିବ ।  ଏହି ପ୍ରକଳ୍ପର ନଦୀ ଉପରେ ୧୫ଟି ବ୍ରିଜ କାର୍ଯ୍ୟ  ସରିଛି । ଆଉ ୪ଟି ଅଗ୍ରଗତି ଜାରି ରହିଛି ।  ୧୨ଟି ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ ଏବଂ ୪ଟିର  କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।