ମୁମ୍ବାଇ,୪/୫ : ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ଏବଂ ରୟାନ ରିକଲ୍ଟନଙ୍କ ବିସ୍ଫୋରକ ଇନିଂସ ଲକ୍ଷ୍ନୌ ସୁପରଜାଏଣ୍ଟସର ୨୨୮ ରନ୍ କମ୍ ପଡ଼ିଗଲା । ଚଳିତ ଆଇପିଏଲ୍ର ୪୭ତମ ଲିଗ୍ ମୁକାବିଲାରେ ମୁମ୍ବାଇ ଲକ୍ଷ୍ନୌକୁ ୬ୱିକେଟରେ ପରାସ୍ତ କରିଛି । ହିଟମ୍ୟାନ ମୁମ୍ବାଇ ପାଇଁ ସବୁଠାରୁ ବଡ଼ ଇନିଂସ ଖେଳିଛନ୍ତି ୪୪ବଲରେ ୬ଚୌକା ଏବଂ ୭ଛକା ସାହାଯ୍ୟରେ ୮୪ରନର ସ୍କୋର କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ୍ ୧୯୦.୯୧ରହିଛି । ସେହିଭଳି ରିକଲ୍ଟନ ୩୨ବଲରେ ୬ ଚୌକା ଏବଂ ୮ଛକା ଲଗାଇ ୮୩ରନ୍ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ୍ ୨୫୯.୩୮ ଥିଲା।

ରୋହିତ ଏବଂ ରିକଲ୍ଟନ ୬୫ବଲ୍ରେ ପ୍ରଥମ ୱିକେଟ ପାଇଁ ୧୪୩ରନର ପାର୍ଟନରସିପ୍ କରିଥିଲେ। ଏହି ପାର୍ଟନରସିପ୍ ମୁମ୍ବାଇ ପାଇଁ ମ୍ୟାଚ୍କୁ ଏକପାଖିଆ କରିଦେଇଥିଲା । ଲକ୍ଷ୍ନୌର ବୋଲରମାନେ ଉଭୟ ବ୍ୟାଟରଙ୍କ ବିରୁଦ୍ଧରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ୍ ଦେଖାଯାଉଥିଲେ। ଏହି ସିଜନରେ ମୁମ୍ବାଇର କେବଳ ଏହା ତୃତୀୟ ବିଜୟ ଅଟେ , ଯାହା ଟିମ୍ ୧୦ମ୍ୟାଚରୁ ହାସଲ କରିଛି। ଏବେ ମୁମ୍ବାଇ ପାଖରେ ୬ପଏଣ୍ଟ୍ସ ହୋଇଯାଇଛି ।

ମୁମ୍ବାଇର ପ୍ଲେଅଫରେ ପହଞ୍ଚିବା ପାଇଁ ଆଶା ଏବେ ବହୁତ କମ୍। ଯଦି ସେମାନେ ଆଜି ଲକ୍ଷ୍ନୌ ବିପକ୍ଷରେ ହାରିଯାଇଥାନ୍ତେ , ତେବେ ଦଳ ପ୍ଲେଅଫ ଦୌଡ଼ରୁ ସମ୍ପୂର୍ଣ୍ଣ ବାହାର ହୋଇଯାଇଥାନ୍ତା । ବାକି ୪ମ୍ୟାଚ୍ ଜିତିଲେ କୌଣସି ପ୍ରକାରେ ପ୍ଲେଅଫ ସ୍ଥାନ ସୁରକ୍ଷିତ ହୋଇପାରିବ।

ଆଜି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ସୁପରଜାଣ୍ଟ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୫ ଓ୍ବିକେଟ ହରାଇ ୨୨୮ରନ୍ କରି ନେଇଥିଲା ।

ଲକ୍ଷ୍ନୌ ତରଫରୁ ମିଚେଲ୍ ମାର୍ସ ୪୪(୨୫), ଜୋଶ୍ ଇଂଲିଶ ୧୩(୫), ନିକୋଲାସ ପୂରନ୬୩(୨୧), ରିଷଭ ପନ୍ତ ୧୫(୧୦), ଆଇଡେନ ମାକରମ ୩୧*(୨୫), ଅକ୍ଷତ ରଘୁବଂଶୀ ୧୧(୭), ହିମନ୍ତ ସିଂହ ୪୦(୩୧)ର ପାଳି ଖେଳିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବୋଲିଂରେ କୋରବିନ ବୋଚ ୨ଟି ଓ୍ବିକେଟ ନେଇଥିବାବେଳେ ଏଏମ୍ ଗଜନଫର, ୱିଲ ଜ୍ୟାକ୍ସ, ରଘୁ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ପ୍ରକାଶ ଯେ, ଚଳିତ ଆଇପିଏଲ୍ର ୪୭ତମ ଲିଗ୍ ମୁକାବିଲାରେ ଆଜି ୫ଥର ଚାମ୍ପିଅନ୍ ମୁମ୍ବାଇ ଓ ଲକ୍ଷ୍ନୌ ସାମ୍ନାସାମ୍ନି ହୋଇଥିଲେ।