ମୁମ୍ବାଇ,୨୧/୩ : ଆଉ ମାତ୍ର କିଛି ଦିନର ଅପେକ୍ଷା । ଆରମ୍ଭ ହେବ ଆଇପିଏଲ୍ ୨୦୨୬ । ସମସ୍ତଙ୍କ ନଜର ମୁମ୍ବାଇ ଇଣ୍ଡିଆନ୍ସ ଉପରେ ବି ରହିବ । ୫ଥରର ଚାମ୍ପିୟନ୍ସ ମୁମ୍ବାଇ ୨୦୨୦ପରେ କେବେ ଫାଇନାଲରେ ପହଞ୍ଚିପାରିନାହିଁ । ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଦ୍ବିତୀୟ କ୍ବାଲିଫାୟର ପର୍ଯ୍ୟନ୍ତ ଯାତ୍ରା କରିଥିଲା, କିନ୍ତୁ ପଞ୍ଜାବ କିଙ୍ଗ୍ସ ସାମ୍ନାରେ ୫ଓ୍ବିକେଟରେ ପରାଜୟ ପରେ ଟିମ୍ ବାହାରି ଯାଇଥିଲା । ଏବେ ପ୍ରଶ୍ନ ଉଠୁଛି କି ମୁମ୍ବାଇର ଟିମ୍ ଏଥର କେଉଁ ପ୍ଲେଇଂ ଇଲେଭେନ କମ୍ବିନେଶନ ସହ ଓହ୍ଲାଇବ ।
ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଖେଳାଳୀଙ୍କ ମଧ୍ୟରୁ ଜଣେ ହେବେ, ଯିଏ ଓପନିଂର ଭାର ସମ୍ଭାଳିବେ । କ୍ବିଣ୍ଟନ ଡିକକ ୫ବର୍ଷ ପରେ ମୁମ୍ବାଇ ଇଣ୍ଡିଆନ୍ସରେ ଫେରୁଛନ୍ତି, ଯିଏ ରୋହିତଙ୍କ ସହ ଓପନିଂର ଦାୟିତ୍ବ ସମ୍ଭାଳିପାରନ୍ତି । ଉଭୟେ ଭଲ ଫର୍ମରେ ରହୁଛନ୍ତି ତ ବୋଲରଙ୍କୁ କଷ୍ଟ ହୋଇପାରେ । ତିଲକ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ସେହି ବ୍ୟାଟିଂ ପଜିଶନ ମିଳିପାରେ, ଯାହା ଟିମ୍ ଇଣ୍ଡିଆରେ ମିଳିଛି । ମାତ୍ର ଟି-୨୦ ବିଶ୍ବକପର ଶେଷ ମ୍ୟାଚରେ ତିଲକଙ୍କୁ ଲୋୟର ମିଡିଲ ଅର୍ଡ଼ରରେ ପଠାଯାଇଥିଲା ।
ମିଡିଲ ଅର୍ଡ଼ରରେ ବିଲ ଜ୍ୟାକ୍ସ ଜବରଦସ୍ତ ଫର୍ମରେ ଅଛନ୍ତି । ଯିଏ ବିଶ୍ବକପରେ ୧୭୬.୫ର ତୁଫାନୀ ଷ୍ଟ୍ରାଇକ ରେଟରେ ୨୨୬ରନ୍ କରି ଆସିଛନ୍ତି । ତାଙ୍କ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପରେ ସ୍ପିନ ବୋଲର ଅଲରାଉଣ୍ଡର ନମନ ଧୀରଙ୍କୁ ସୁଯୋଗ ମିଳିପାରେ । ନମନ ଧୀରଙ୍କୁ ମୁମ୍ବାଇ ୫.୨୫କୋଟି ଟଙ୍କାରେ ରିଟର୍ନ କରିଥିଲା । ତାଙ୍କ ପରେ ମିଚେଲ ସ୍ୟାଟନର ଆସିପାରନ୍ତି । ଏହାର କାରଣ ନମ୍ବର ୮ପର୍ଯ୍ୟନ୍ତ ମୁମ୍ବାଇ ପାଖରେ ରେଗୁଲାର ବ୍ୟାଟର ବିକଳ୍ପ ରହିବେ । ବିଲ ଜ୍ୟାକ୍ସ, ମିଚେଲ ସ୍ୟାଟନର ଏବଂ ନମନ ଧୀର ତିନି ସ୍ପିନ ବୋଲର ବିକଳ୍ପ ହେବେ । ସେହିଭଳି ଦ୍ରୁତ ବୋଲରର ଭାର ଜସପ୍ରୀତ ବୁମରାହ ଟ୍ରେଣ୍ଟ ବୋଲ୍ଟ ଏବଂ ଦୀପକ ଚାହର ସମ୍ଭାଳି ପାରନ୍ତି । ଚତୁର୍ଥ ଦ୍ରୁତ ବୋଲରର ବିକଳ୍ପ ନିଜେ ହାର୍ଦ୍ଦିକ ପାଣ୍ଡ୍ୟା ହେବେ ।