ଶିଷ୍ଟାଚାର ଜାଣି ନାହାନ୍ତି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ: ସାମ୍ବାଦିକଙ୍କୁ ଆଡ ଆଖିରେ ଚାହିଁଲେନି, ଗଳା ବାଟ ଦେଇ ଚାଲିଗଲେ

ଭୁବନେଶ୍ବର, ୦୭/ ୦୩ : ଓଡ଼ିଶାରେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ମୁମ୍ବାଇର ଅନାମଧେୟ ଅଭିନେତ୍ରୀ ତେଜସ୍ବୀ ପ୍ରକାଶ। ହୋଲି ଅବସରରେ ଓଡ଼ିଶା ଆସିଥିବାବେଳେ ସାମ୍ବାଦିକମାନଙ୍କୁ ଦେଖାଇଥିଲେ ଖରାପ ବ୍ୟବହାର । ନା ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ନା ସମୟ । ବିମାନ ବନ୍ଦରରେ ଓହ୍ଲାଉ ଓହ୍ଲାଉ ସାମ୍ବାଦିକଙ୍କ ବୁମକୁ ଦେଖି ପଛ କରି ପଳାଇଥିଲେ ।
ହୋଟେଲ ହେଉ କି ବିମାନ ବନ୍ଦର । ସବୁଠି ତାଙ୍କର ଅଭଦ୍ରାମୀ ଏବେ ପଦାରେ ପଡ଼ିଛି । ସେଠି କେହି ପଚାରୁ ନାହାନ୍ତି ଏଠି କିନ୍ତୁ ନିଜକୁ ଷ୍ଟାର ବୋଲାଉଛନ୍ତି । ଏଭଳି ବ୍ୟବହାର ଯେ ତାଙ୍କୁ ଡାକିଥିବା ପ୍ରାୟୋଜକ ବି ଶେଷରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଦେଇ ବି ସେହି ଅଭିନେତ୍ରୀଙ୍କ ଆଗରେ ନିଜ ଓଜନ ହରାଇ ବସିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହି ଅଭଦ୍ରୋଚିତ ବ୍ୟବାହରର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯିଏ ବି ଦେଖୁଛି ସିଏ ଏହିମାନଙ୍କୁ ଆଣୁଥିବା ଲୋକଙ୍କ ସହ ସେହି ଅଭିନେତ୍ରୀଙ୍କୁ ବି ଛି ଛା କରୁଛନ୍ତି ।
ପୂର୍ବରୁ ବଲିଉଡ଼ର ଯେତେ ସବୁ ଷ୍ଟାରମାନେ ଆସିଛନ୍ତି ଓଡ଼ିଶାବାସୀ ଓ ଓଡିଆ ମାନେ ସେମାନଙ୍କୁ ଖୁବ୍ ଆଦର ଓ ସମ୍ମାନ ଦେଇଛନ୍ତି । କାରଣ ସେମାନେ ବି ସେମାନଙ୍କ ଆଚାର ବ୍ୟବହାରରେ ଆମ ଓଡ଼ିଶା ଲୋକଙ୍କ ହୃଦୟ ଜିଣିଛନ୍ତି । ଆଉ ସାମ୍ବାଦିକମାନଙ୍କୁ ବହୁ ସମ୍ମାନ ସହଯୋଗ କରିଛନ୍ତି । ଯେଉଁଥି ପାଇଁ ଓଡ଼ିଶା ମିଡ଼ିଆରେ ବି ସେମାନେ ଅନେକ ସମୟରେ ଖବରର ଶିରୋନାମା ପାଲଟିଛନ୍ତି । ଆଉ ଆମ ଓଡ଼ିଶାର ସେଲିବ୍ରେଟିଙ୍କୁ ବି ସେମାନେ ଖୁବ୍ ଆଦର ସମ୍ମାନ କରିଛନ୍ତି । ଓଡ଼ିଶାର ଖାଦ୍ୟ, ପାଣି, ପବନ, ସଂସ୍କୃତି ଓ ପରମ୍ପରାକୁ ସେମାନେ ଖୁବ ଭଲ ପାଇଛନ୍ତି । ଆଉ ପ୍ରଶଂସା ମଧ୍ୟ କରିଛନ୍ତି । ସେଇଥି ପାଇଁ ସେମାନେ ଓଡ଼ିଆଙ୍କର ପ୍ରିୟ ହୋଇ ରହିଛନ୍ତି । ଏମାନଙ୍କୁ ବେଶି ଚର୍ଚ୍ଚା କରାଇଛନ୍ତି ଆମର ଏହି ଓଡ଼ିଶାର ସାମ୍ବାଦିକମାନେ । ସେମାନେ ମଧ୍ୟ ଆମ ସାମ୍ବାଦିକମାନଙ୍କୁ ବହୁ ସମୟ ଦିଅନ୍ତି । କିନ୍ତୁ ଅଭିନେତ୍ରୀ ତେଜସ୍ବୀ ପ୍ରକାଶଙ୍କ କ୍ଷେତ୍ରରେ ସେମିତି କିଛି ହୋଇନଥିଲା । ନା ସେ ସାମ୍ବାଦିକମାନଙ୍କୁ ସମୟ ଦେଇଥିଲେ ନା ପଦେ କଥା ବି ହୋଇଥିଲେ । ଏପରିକି ବାର୍ତ୍ତାଳାପ କରିବାକୁ ବିମାନବନ୍ଦର ଓ ହୋଟେଲରେ ସାମ୍ବାଦିକମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ଆଡ ଆଖିରେ ମଧ୍ୟ ଚାହିିଁନଥିଲେ ।