ଭୁବନେଶ୍ୱର,୨୯।୩ : ରାଜ୍ୟ ସରକାର ଶନିବାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ମୃଣାଳ କାନ୍ତି ଦାସଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ ) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ସେ ପୂର୍ବରୁ ଏନଏଚଏମ ଭୁବନେଶ୍ବରର ଅତିରିକ୍ତ ନିର୍ଦ୍ଦେଶକ ଥିଲେ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।
ସେହିପରି ରାଜସ୍ୱ ବୋର୍ଡର ସ୍ୱତନ୍ତ୍ର ସଚିବ ବୀରେନ୍ଦ୍ର କୋରକୋରାଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବରେ ବଦଳି କରାଯାଇଛି। ଏହା ସହିତ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମନୋରଞ୍ଜନ ମଲ୍ଲିକଙ୍କୁ ଜିଏ ଏବଂ ପିଜି ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ ବଦଳି କରାଯାଇଛି। ଝାରସୁଗୁଡ଼ାର ଜିଲ୍ଲା ପରିଷଦର CDO-କମ୍-EO ପ୍ରବୀର କୁମାର ନାୟକଙ୍କୁ ରାଜସ୍ୱ ବୋର୍ଡର ସଦସ୍ୟ ଅଧୀନରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।