ଭୁବନେଶ୍ୱର,୨ା୩(ବ୍ୟୁରୋ): ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ବରମୁଣ୍ଡା ଓଭରବ୍ରିଜ୍ ତଳେ ଘଟିଛି ହତ୍ୟାକାଣ୍ଡ । ଯୁବକଙ୍କ ପେଟରେ ସ୍କୃ ଡ୍ରାଇଭର (ପେଚକସ୍) ଭୁସି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟାର ଶିକାର ହୋଇଛନ୍ତି ଖଣ୍ଡଗିରି ଥାନା ଅଧୀନ ତପୋବନ ବସ୍ତିର ଶିବ ଶଙ୍କର ଗଉଡ (୧୯) । ଆକ୍ରମଣରେ ତାଙ୍କ ସାଙ୍ଗ ଲିଙ୍ଗରାଜ ରେଡ୍ଡି ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶିବଙ୍କୁ ହତ୍ୟା କରାଯାଇଥିବା ଖଣ୍ଡଗିରି ଥାନା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ମିଳିଥିବା ସୂଚନା ମୁତାବକ, ଶିବଙ୍କ ନିଜ ଘର ଗଞ୍ଜାମ ଚାରିଛକରେ । ସପରିବାରେ ସେ ଖଣ୍ଡଗିରି ଥାନା ଅଧୀନ ତପୋବନ ବସ୍ତିରେ ରହୁଥିଲେ । ଶିବ ଓ ଲିଙ୍ଗରାଜ ଉଭୟ ରଙ୍ଗମିସ୍ତ୍ରୀ । ଠିକାଦାରଙ୍କ ଠାରୁ ପାଉଣା ଆଣିବା ପାଇଁ ଆଜି ରାତି ସାଢ଼େ ୮ଟା ବେଳେ ଉଭୟ ବସ୍ତିରୁ ଏକ ବାଇକ୍ରେ ବରମୁଣ୍ଡା ଯାଉଥିଲେ । ବରମୁଣ୍ଡା ଓଭରବ୍ରିଜର ସର୍ଭିସ ରୋଡ୍କୁ ଗଡ଼ିବା ବେଳେ ୫-୬ ଜଣ ଦୁର୍ବୃତ୍ତ ଉଭୟଙ୍କ ବାଇକ୍ ଅଟକାଇଥିଲେ । ପରେ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ଏହାପରେ ସେମାନେ ଶିବଙ୍କୁ ନାଳକଡ଼କୁ ଭିଡି ନେଇ ପେଟରେ ସ୍କୃ ଡ୍ରାଇଭର ପୂରାଇ ଦେଇଥିଲେ । ଶିବ ଛଟପଟ ହେବା ଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ବସ୍ଷ୍ଟାଣ୍ଡକୁ ଯାଉଥିବା ଏକ ବସ୍କୁ ଅଟକାଇ ଲିଙ୍ଗରାଜ ଘଟଣା ସମ୍ପର୍କରେ କହିଥିଲେ । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିବ ଓ ଲିଙ୍ଗରାଜଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ହେଲେ ଶିବଙ୍କ ଅଧାବାଟରେ ପ୍ରାଣ ଚାଲି ଯାଇଥିଲା । ପୁଲିସ ଘଟଣାସ୍ଥଳରେ ଖୋଳତାଡ଼ ଆରମ୍ଭ କରିଛି । ଶୁକ୍ରବାର ରାତିରେ ବରମୁଣ୍ଡା ଏକ ହୋଟେଲ୍ରେ ଖାଇବା ବେଳେ କିଛି ଯୁବକଙ୍କ ସହ ଆମର ଝଗଡ଼ା ହୋଇଥିବା ଲିଙ୍ଗରାଜ କହିଛନ୍ତି । ସେହି ଯୁବକମାନେ ରାଗ ସୁଝାଇବା ପାଇଁ ଆକ୍ରମଣ କରିଥିବା ପୁଲିସ ସନ୍ଦେହ କରୁଛି ।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...