PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ମାଲିକ ପୁଅକୁ ହତ୍ୟା କରି ଫେରାର, କାନ୍ଥରେ ଲେଖିଲା, ମୁଁ ମାରିଛି

ବେଗୁନିଆ,୩୦ା୧(ଆପ୍ର): “ମୁଁ ମଦ ପିଉଥିଲି, ତାର କ’ଣ ଗଲା । ମତେ ସବୁବେଳେ ନିର୍ଯାତନା ଦେଉଥିଲା । ଏଣୁ ମାରି ଦେଲି’ । ଏସବୁ କଥା ଅଙ୍ଗାରରେ କାନ୍ଥରେ ଲେଖି ହତ୍ୟା ପରେ ଚାକର ଫେରାର ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଶିମୋରରେ ଗତରାତିରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମାଲିକର ପୁଅକୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ଫେରାର ହେବା ପୂର୍ବରୁ ହତ୍ୟାର କାରଣ ଲେଖିଛି । ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ କରିଥିଲେ ମଧ୍ୟ ହତ୍ୟାକାରୀର ପତ୍ତା ପାଇପାରି ନାହିଁ । ହତ୍ୟାକାରୀ ଏଭଳି କାରଣ ଲେଖି ଫେରାର ହେବା ଘଟଣା ଦେଖିବାକୁ ମିଳେନା । ଏଣୁ ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଘଟଣା ଅନୁଯାୟୀ, କଣ୍ଟାମଳିମ ଗ୍ରାମର ଗୋପାଳ ପାତ୍ର ଶିମୋର ବଜାର ନିକଟରେ ଏକ ନୂତନ ଗୃହ ନିର୍ମାଣ କରିଛନ୍ତି । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁର ବାବୁଲି ମହାରଣା(୪୦) ଓରଫ ନରେନ୍ଦ୍ର ଶ୍ରୀ ପାତ୍ରଙ୍କ ଘରେ ରହି ଚାକର ଭାବେ କାମ କରୁଥିଲା । ଶ୍ରୀ ପାତ୍ରଙ୍କ ଘରେ ପ୍ରାୟ ୨ବର୍ଷ ହେଲା ରହି ନୂତନ ଗୃହର କାମଦାମ ବୁଝୁଥିଲା । ଏହି ନୂଆ ଘରେ ଗୋପାଳ ପାତ୍ରଙ୍କ ବଡ଼ପୁଅ ମୃତ ସତ୍ୟବ୍ରତ ଓରଫ ତପି(୨୮) ରାତିରେ ରହିଥାନ୍ତି । ବାବୁଲି ମଧ୍ୟ ସେହି ନୂତନ ଘରେ ରହୁଥିଲା । ଗତକାଲି ବିଳମ୍ବିତ ରାତିରେ ବାବୁଲି ସତ୍ୟବ୍ରତଙ୍କୁ ରାଗରେ ହାଣି ହତ୍ୟା କରିଥିଲା । ମୃତ ସତ୍ୟବ୍ରତଙ୍କ ବେକ, ହାତ, ଶରୀରର ଅନେକ ସ୍ଥାନରେ ହଣା ଦାଗ ରହିଥିବା ଦେଖିବାକୁ ମିଳିଥିଲା ।
ଆଜି ସକାଳୁ ଘର କାମ କରିବା ପାଇଁ ରାଜମିସ୍ତ୍ରି ଆସିବା ବେଳେ କବାଟ ବାହାରେ ତାଲା ଝୁଲୁଥିବା ଦେଖି ଥିଲେ । ରାଜମିସ୍ତ୍ରି ଶ୍ରୀ ପାତ୍ରଙ୍କୁ ଫୋନ୍‌ କରିଥିଲେ । ତେବେ ଶ୍ରୀ ପାତ୍ର ଭୁବନେଶ୍ୱରରେ ରହୁଥିବାରୁ ପୁଅ ସତ୍ୟବ୍ରତଙ୍କ ନିକଟକୁ ଫୋନ୍‌ କରିଥିଲେ । ତେବେ ବାରମ୍ବାର ଫୋନ୍‌ କରିବା ସତ୍ତେ୍ୱ ଫୋନ୍‌ ରିସିଭ୍‌ ନହେବାରୁ ବାଧ୍ୟ ହୋଇ ଶିମୋର ଆସିଥିଲେ । ବାଟରେ ଆସୁଥିବା ବେଳେ ପୂର୍ବର୍ାହ୍ନ ପ୍ରାୟ ୯ଟାରେ ଅଭିଯୁକ୍ତ ବାବୁଲିକୁ ଖୋର୍ଦ୍ଧା ନିକଟସ୍ଥ ତରତୁଆଠାରେ ଚାଲି ଚାଲି ଯାଉଥିବା ଶ୍ରୀ ପାତ୍ର ଦେଖିଥିଲେ । ଶ୍ରୀ ପାତ୍ର କୁଆଡେ ଯାଉଛୁ ବୋଲି ପଚାରିବାରେ ବାବୁଲି ଖୋର୍ଦ୍ଧାରୁ କାମ ସାରି ଫେରିବି ବୋଲି କହିଥିଲା । ଗୋପାଳ ଶିମୋରରେ ପହଞ୍ଚି ଘର ତାଲା ପଡିଥିବା ଦେଖି ନିଜ ପାଖରେ ଥିବା ଚାବିରେ ତାଲା ଖୋଲିଥିଲେ । ଘର ଭିତରକୁ ପଶିବା ପରେ ସତ୍ୟବ୍ରତଙ୍କୁ କେହି ନୃଶଂସ ଭାବେ ହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଚାକର ବାବୁଲି ଉପରେ ଶ୍ରୀ ପାତ୍ରଙ୍କ ସନ୍ଦେହ ଦୃଢ଼ ହୋଇଥିଲା ।
ଫେରାର ଥିବା ବାବୁଲି ଘର କାନ୍ଥରେ ଅଙ୍ଗାରରେ କେତେକ ଯୁବକ ଓ ଜଣେ ଯୁବତୀର ନାମ ଲେଖିଛି । ଏହା ସହ “ମୁଁ ତାଙ୍କୁ ଏତିକି କହିଲି-ମୁଁ ଯଦି ମଦ ଖାଇଲି ତମେ ବେଶ୍ୟା ବାଡ଼ି ଯାଉଛ । ବାବା ଟିକେ ଦୟା କରି ଶୁଣନ୍ତୁ ଆପଣଙ୍କ ପୁଅ ମୋ ପ୍ରତି ଅନେକ ଅନ୍ୟାୟ କରିଥିବାରୁ ସହି ପାରିଲିନି । କାଲି ରାତିରେ ଅନେକ ମାରଧର କରିଥିବାରୁ ସହି ପାରିଲି ନାହିଁ । ମୁଁ କିଛି ନେଇ ନାହିଁ କେବଳ ମୁଦିଟିକୁ ନେଇଛି” । ଏହିଭଳି ଅନେକ କଥା ଘର କାନ୍ଥରେ ଲେଖାଯାଇଛି ।
ଖବର ପାଇ ବାଘମାରୀ ଫାଣ୍ଡି ଅଧିକାରୀଙ୍କ ସମେତ ଖୋର୍ଦ୍ଧା ଥାନା ଅଧିକାରୀ ରଞ୍ଜିତ ସାହୁ ଏବଂ ଏସ୍‌ଡିପିଓ ଯୁଗଳ ଦାସ ତଦନ୍ତ ଆରମ୍ଭ କରିଥିଲେ । ଲୋକମାନେ ଆରମ୍ଭରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆସୁଥିବା ବେଳେ ଲୋକଙ୍କ କଥାକୁ ଗୁରୁତ୍ୱ ନଦେଇ ଦିନ ପ୍ରାୟ ୩ଟା ସମୟରେ ଆମ୍ବୁଲାନ୍ସରେ ମୃତକକୁ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ନେବାକୁ ଉଦ୍ୟମ ହେଉଥିବା ବେଳେ ଉତ୍ତ୍ୟକ୍ତ ହୋଇ ଲୋକେ ବାଘମାରୀ-କଣ୍ଟିଲୋ ରାଜ୍ୟ ରାଜପଥକୁ ଶିମୋର ଛକଠାରେ ଟାୟାର ଜାଳି ଅବରୋଧ କରିଥିଲେ । ପରେ ଭୁବନେଶ୍ୱରର ଏକ ତଦନ୍ତକାରୀ ଦଳ ସନ୍ଧାନୀ କୁକୁର ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିଲେ ।
ଏହି ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ହଜାର ହଜାର ଲୋକ ଭିଡ଼ ଜମାଇଥିବା ବେଳେ ବିଧାୟକ ପ୍ରଶାନ୍ତ ଜଗଦେବ, ସ୍ଥାନୀୟ ସମାଜସେବୀ ପଦୀପ ସାହୁ ପ୍ରମୁଖ ମଧ୍ୟ ପହଞ୍ଚି ଥିଲେ । ଏନେଇ ଖୋର୍ଦ୍ଧା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।