PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଇସ୍କନ ସାମ୍ନାରେ ଭାସିଲା ମୋ ବସ, ମାତ୍ର ୮.୮ ମିମି ବର୍ଷାରେ ମାଡ଼ିଆସିଲା ପାଣି

ଭୁବନେଶ୍ୱର,୨୯/୩: ସାମାନ୍ୟ କାଳବୈଶାଖୀର ଅସରାଏ ବର୍ଷା । ପାଣିପାଗ ସୂଚନା ମୁତାବକ ବର୍ଷାର ମାତ୍ରା ମାତ୍ର ୮ ମିମି । ଏତିକି ମାତ୍ର ବର୍ଷାରେ ଇସ୍କନ୍‌ ସାମନା ରାସ୍ତାକୁ ମାଡ଼ି ଆସିଲା ପାଣି। ନର୍ଦ୍ଦମା ମିଶା କଳା ପାଣିର ସ୍ରୋତ ରାସ୍ତାରେ ଯାଉଥିବା ଓ ପାର୍କିଂ ହୋଇଥିବା ଗାଡ଼ିମୋଟରକୁ ଡୁବାଇ ଦେଲା । ଦୋକାନ ବଜାରରେ ପଶିଗଲା । ଯାତ୍ରୀ ଭର୍ତ୍ତି ହୋଇଥିବା ଏକ ମୋ’ବସ୍‌ ସେହି ଜଳସ୍ରୋତରେ ଫସିଗଲା । ଜଳସ୍ରୋତ ବସ୍‌ ଘୁଞ୍ଚାଇ ନେଉଥିବା ଲକ୍ଷ୍ୟ କରି ଯାତ୍ରୀମାନେ ଭୟରେ ଚିତ୍କାର କରି ଉଠିଲେ । ଅସରାଏ ଅଦିନିଆ ବର୍ଷାରେ ରାଜଧାନୀରେ ଜଳବନ୍ଦୀର ଏମିତି ଦୁର୍ଦ୍ଦଶା । ଆଗକୁ ବର୍ଷା ଦିନରେ ପରିସ୍ଥିତି କ’ଣ ହେବ ତାହା ଏଥିରୁ ସହଜେ ଅନୁମେୟ । କେବଳ ଇସ୍କନ ସାମନା ରାସ୍ତା ନୁହେଁ କଟକ ରୋଡ, ବମିଖାଲ ରାସ୍ତାରେ ପାଣି ଲହଡ଼ି ଖେଳିଲା।

ରାଜଧାନୀର ଅନେକ ତଳିଆ ଅଞ୍ଚଳରେ ପାଣି ପଶିଲା । ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ବିଏମ୍‌ସିର ପ୍ରସ୍ତୁତିକୁ ଅସରାଏ ବର୍ଷା ପଦାରେ ପକାଇଦେଲା। ଅପରାହ୍ଣରେ ରାଜଧାନୀ ଆକାଶରେ କଳା ବାଦଲ ଘୋଟି ଯାଇଥିଲା। ପ୍ରବଳ ପବନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ିରେ ଥରି ଉଠିଥିଲା । ଆରମ୍ଭ ହୋଇଥିଲା ବର୍ଷା । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିଲା । ହଠାତ୍‌ ବର୍ଷା ଯୋଗୁଁ ଇସ୍କନ ଆଗରେ ଅଣ୍ଟାଏ ଉଚ୍ଚରେ ସ୍ରୋତ ପ୍ରବାହ ହୋଇଥିଲା । ସିଆରପି ପଟୁ ଆସୁଥିବା ମୋ ବସ୍‌ ୪୫ ମିନିଟ୍‌ ଧରି ପାଣିରେ ଫସି ଯାଇଥିଲା । ସେହିପରି କାର୍‌, ବାଇକ୍‌ ମଧ୍ୟ ପାଣିରେ ଭାସିଥିଲା । ଇସ୍କନ୍‌ ସାମନା ରୋଡ଼ରେ ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । କିନ୍ତୁ ସମାଧାନ ହୋଇପାରୁନାହିଁ । ଏନ୍‌ଏଚ୍‌ଏଆଇ ଓ ବିଏମସିର ଖାମଖିଆଲି ନୀତି ଯୋଗୁଁ ଲୋକେ ବିପଦରେ ପଡ଼ୁଛନ୍ତି । କଟକ ରୋଡ, ବମିଖାଲ, ଲକ୍ଷ୍ମୀସାଗର, ବଡଗଡ ବ୍ରିଟ୍‌ କଲୋନୀରେ ମଧ୍ୟ ସମାନ ଅବସ୍ଥା ।

ସାମାନ୍ୟ ବର୍ଷାରେ ଏହି ସବୁ ଅଞ୍ଚଳ ବୁଡ଼ିଯାଉଛି । ଜାଗମରା ପଞ୍ଚଶଖାନଗର ରାସ୍ତାରେ ପାଣିର ଲହଡ଼ି । ସ୍ୱେରେଜ ପକ୍ଷରୁ ରାସ୍ତା କାମ ଚାଲୁଥିବା ବେଳେ ସେଠାରେ ଆଣ୍ଠୁଏ କାଦୁଅ ଜମିଛି । ଲୋକେ ନାହିଁନଥିବା ହିନସ୍ତା ହେଉଛନ୍ତି । ବିଏମ୍‌ସି ପକ୍ଷରୁ ଜଳବନ୍ଦୀ ସମସ୍ୟାର ନିରାକରଣ ପ୍ରସଙ୍ଗରେ ବୈଠକ ବସୁଛି। ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ମେୟର ଓ କମିଶନର ବୁଲି ସମୀକ୍ଷା କରୁଥିବା ଫଟୋ ସାମାଜିକ ଗଣମାଧ୍ୟମରେ ବାହାରୁଛି । କନ୍ତୁ ଜଳବନ୍ଦୀ ସମସ୍ୟାରୁ ସହରବାସୀ ମୁକୁଳି ପାରିଲେ ନାହିଁ । ଏଯାଏ ଜମି ଅଧିଗ୍ରହଣ ସରିଲା ନାହିଁ । ମୁକୁଳା ଡ୍ରେନ୍‌ ଅବସ୍ଥା ଶୋଚନୀୟ । ମାତ୍ରା ୮.୮ ମିମି ବର୍ଷାରେ ସହରର ସ୍ଥିତି ଏମିତି । ଆଗକୁ ବର୍ଷା ଆସୁଥିବା ବେଳେ ବିଏମ୍‌ସି କେମିତି ମୁକାବିଲା କରିବ ତାକୁ ନେଇ ତାକୁ ନେଇ ପ୍ରଶ୍ନ ଉଠିଛି । ଅପରାହ୍ଣରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଜାଳିଗଳି ଡ୍ରେନ୍‌ ନଂ-୬ର ଗଳି ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି । ଏହା ସହ ଜଳବନ୍ଦୀ ସମସ୍ୟାର ମଧ୍ୟ ସମୀକ୍ଷା କରିଛନ୍ତି ।