ଅମରାବତୀ ୧୭/୦୫: ଆନ୍ଧ୍ରପ୍ରଦେଶରେ ଜନସଂଖ୍ୟା କମିଯାଉଥିବାରୁ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ଜନସଂଖ୍ୟା ବଢ଼ାଇବା ଲାଗି ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଏଣିକି ରାଜ୍ୟରେ ଯେଉଁ ପରିବାର ୩ୟ ସନ୍ତାନ ଜନ୍ମ ଦେବେ ସରକାର ତାଙ୍କୁ ୩୦ ହଜାର ଟଙ୍କା ଦେବେ । ସେହିଭଳି ୪ର୍ଥ ସନ୍ତାନ ପାଇଁ ୪୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ।
ଶ୍ରୀକାକୁଲମ୍ ଜିଲ୍ଲାର ନରସନ୍ନାପେଟାରେ ଆଜି ଆୟୋଜିତ ‘ସ୍ୱର୍ଣ୍ଣ ଆନ୍ଧ୍ର-ସ୍ୱଚ୍ଛ ଆନ୍ଧ୍ର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଏହି ଘୋଷଣା କରିଛନ୍ତି । କହିଛନ୍ତି ପୂର୍ବରୁ ସେ ଜନସଂଖ୍ୟା ନିୟନ୍ତ୍ରଣ ସପକ୍ଷରେ ଥିଲେ । କିନ୍ତୁ ଏବେ ସମୟ ବଦଳିଯାଇଛି । ଏବେ ଜନ୍ମହାର ବଢ଼ାଇବାର ସମୟ ଆସିଛି । ମାସକ ଭିତରେ ସବିଶେଷ ସୂଚନା ଜାରି କରାଯିବ । ଚନ୍ଦ୍ରବାବୁ କହିଛନ୍ତି ଯେ କିଛି ପରିବାରର ଆୟ ବୃଦ୍ଧି ପାଇଥିଲେ ମଧ୍ୟ ସେମାନେ ଗୋଟିଏ ସନ୍ତାନ ଜନ୍ମ ଦେବାକୁ ଚାହୁଁଛନ୍ତି । କିଛି ଲୋକ ଯଦି ପ୍ରଥମ ସନ୍ତାନ ପୁଅ ନ ହୁଏ ତେବେ ଦ୍ୱିତୀୟ ସନ୍ତାନ ଜନ୍ମ ଦେଉଛନ୍ତି । ଏଭଳି ପଦକ୍ଷେପ ଯୋଗୁ ରାଜ୍ୟରେ ଜନସଂଖ୍ୟା ହାର ହ୍ରାସ ପାଇବାରେ ଲାଗିଛି । ସନ୍ତାନ ବୋଝ ନୁହେଁ, ବରଂ ଦେଶର ସମ୍ପତ୍ତି ଭାବେ ଦେଖିବାକୁ ପଡିବ । ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ଆନ୍ଧ୍ରପ୍ରଦେଶରେ ସନ୍ତାନ ଜନ୍ମ ହାର ନିରନ୍ତର ହ୍ରାସ ପାଉଛି । ବିଶ୍ୱର ଯେକୌଣସି ଦେଶ ବା ରାଜ୍ୟର ଜନସଂଖ୍ୟା ସେତେବେଳେ ସ୍ଥିର ରହିବ, ଯେତେବେଳେ ପ୍ରତ୍ୟେକ ମହିଳା ହାରାହାରି ୨.୧ ସନ୍ତାନ ଜନ୍ମ ଦେବେ । ଯଦି ଏହି ହାର ଆହୁରି ଖସେ, ତେବେ ରାଜ୍ୟର ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପଡ଼ିବ ।
୨୦୨୫ ମାର୍ଚ୍ଚରେ ଚନ୍ଦ୍ରବାବୁ ବିଧାନସଭାରେ କହିଥିଲେ ଯେ ସରକାର ୨ୟ ସନ୍ତାନ ଜନ୍ମ ଦେଉଥିବା ଦମ୍ପତିଙ୍କୁ ୨୫ ହଜାର ଟଙ୍କା ଦେବା ବିଷୟରେ ବିଚାର କରୁଛନ୍ତି । ଅର୍ଥାତ୍ ପୂର୍ବରୁ କେବଳ ୨ୟ ସନ୍ତାନ ଜନ୍ମରେ ଟଙ୍କା ଦେବା ବିଷୟ ସରକାର କହିଥିଲେ । ପରେ ନିଷ୍ପତ୍ତି ବଦଳାଇ ୩ୟ ଓ ୪ର୍ଥ ସନ୍ତାନ ଜନ୍ମରେ ମଧ୍ୟ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ଗତବର୍ଷ ଏପ୍ରିଲରେ ଚନ୍ଦ୍ରବାବୁ ରାଜ୍ୟର ମହିଳାମାନଙ୍କୁ ଅଧିକରୁ ଅଧିକ ସନ୍ତାନ ଜନ୍ମଦେବାକୁ ଅପିଲ କରିଥିଲେ । ସେ କହିଥିଲେ ମହିଳା ସରକାରୀ କର୍ମଚାରୀଙ୍କ ଯେତେ ସନ୍ତାନ ଥାଉନା କାହିଁକି ସେମାନଙ୍କୁ ସନ୍ତାନ ଜନ୍ମ ଲାଗି ୬ମାସ ମାତୃତ୍ୱକାଳୀନ ଛୁଟି ମିଳିବ । ପୂର୍ବରୁ ମହିଳାଙ୍କୁ ଏହି ଛୁଟି କେବଳ ଦୁଇଟି ସନ୍ତାନ କ୍ଷେତ୍ରରେ ସୀମିତ ରହିଥିଲା । ୨ରୁ ଅଧିକ ସନ୍ତାନ ହେଲେ ୧୨ ସପ୍ତାହ ଅର୍ଥାତ ୩ମାସ ଛୁଟି ମିଳୁଥିଲା । ବର୍ତ୍ତମାନ ଏହାକୁ ୬ ମାସ କରାଯାଇଥିବା ଚନ୍ଦ୍ରବାବୁ କହିଥିଲେ ।
ଆହୁରି ପଢ଼ନ୍ତୁ...କରୋନାଠୁ ୨୦ ଗୁଣ ଅଧିକ ଘାତକ ହେଣ୍ଟାଭାଇରସ୍, ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ