ନବ ଦାସ ହତ୍ୟା ମାମଲା : ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ପୂର୍ବ ଶତ୍ରୁତାରୁ ହତ୍ୟା !

ଭୁବନେଶ୍ଵର, ୨୬/୦୫ : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା। ହତ୍ୟାର ୧୧୮ ଦିନ ପରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଦାଖଲ ହେଲା ପ୍ରିଲିମିନାରୀ ଚାର୍ଜସିଟ୍। ଏହି ଚାର୍ଜସିଟ୍ରେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ମୋଟ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି। ଚାର୍ଜସିଟ୍ରେ ଦଫା ୩୦୭, ୩୦୨ ଓ ୨୭ (୧) ଆର୍ମସ ଆକ୍ଟ ଲାଗିଛି। ମାମଲାର ଅଭିଯୁକ୍ତ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।
ସୂଚନାନୁଯାୟୀ, କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତକାରୀ ଅଧିକାରୀ ଡିଏସପି ରମେଶ ଦୋରାଙ୍କ ନେତୃତ୍ଵରେ ୨ ଜଣ ଅଧିକାରୀ ଗୁରୁବାର ବିଳମ୍ଵିତ ରାତିରେ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଆଜି ଦୁଇ ଅଧିକାରୀ ଜେଏମଏଫସି କୋର୍ଟରେ ପହଞ୍ଚି କୋର୍ଟ ସିଏସଆଇ ଅଫିସରେ ଚାର୍ଜସିଟ୍ ଦାଖଲ କରିଛନ୍ତି। କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ଝାରସୁଗୁଡ଼ା ଏସଡିପିଓ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ।
ଗତ ଜାନୁଆରୀ ୨୯ ତାରିଖ ଦିନ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଠାରେ ଏକ ଦଳୀୟ କାର୍ଯ୍ୟାଳୟ ଉଦ୍ଘାଟନ ପାଇଁ ଯାଇଥିବା ସମୟରେ ପୁଲିସ ଗୁଳିରେ ଟଳି ପଡ଼ିଥିଲେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଜଣେ ପୁଲିସ ଏଏସ୍ଆଇ ହତ୍ୟା କରିବା ଘଟଣାକୁ ଲୋକେ ସହଜରେ ହଜମ କରି ପାରି ନଥିଲେ । ତେଣୁ ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ ଲ୍ୟାବରେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ସେଣ୍ଟ୍ରାଲ ଫରେନସିକ ଲ୍ୟାବ୍ର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପାଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା । ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମ୍ର ଯାଞ୍ଚ ସହ ନିମହାନ୍ସର ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା ନିରୀକ୍ଷା କରିଥିଲେ ।