ଉତ୍ତରପ୍ରଦେଶ, ୩।୪: ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ନୈନିତାଲରେ ଜଣେ ଭିଭିଆଇପିଙ୍କୁ ନିୟମ ଶିଖାଇଛି ପୁଲିସ୍ । ଉତ୍ତର ପ୍ରଦେଶର ଜଣେ ବିଧାୟକଙ୍କ ପୁଅଙ୍କୁ ନୈନିତାଲ ବୁଲିବାକୁ ଆସିବା ସମୟରେ ଭାରି ପଡ଼ିଛି 'ପାୱାର' ଦେଖାଇବା । ମାଲ୍ ରୋଡ୍‌ରେ ଟ୍ରାଫିକ୍ ଜାମ୍ ସମୟରେ ବେଆଇନ ଭାବେ ହୁଟର ବଜାଇବା ଏବଂ ପ୍ରଶାସନ ସହ ଯୁକ୍ତିତର୍କ କରିବା ଯୋଗୁଁ ବିଧାୟକଙ୍କ ପୁଅଙ୍କ ଗାଡ଼ିକୁ ସିଜ୍ କରିବା ସହ ମୋଟା ଅଙ୍କର ଚାଲାଣ କାଟିଛି ପୁଲିସ । ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଫତେପୁର ଜାହାନାବାଦ ସିଟ୍‌ରେ ବିଜେପି ବିଧାୟକ ରାଜେନ୍ଦ୍ର ପଟେଲଙ୍କ ପୁଅ ରାହୁଲ ପଟେଲ ନୈନିତାଲ ବୁଲିବାକୁ ଯାଇଥିଲେ । ଗତ ସୋମବାର ମାଲ୍ ରୋଡ୍ରେ ପ୍ରବଳ ଜାମ୍ ଥିବା ବେଳେ ରାହୁଲଙ୍କ ଗାଡ଼ି ଚାଳକ ଜୋରରେ ହୁଟର ବଜାଇବା ଆରମ୍ଭ କରିଥିଲେ । ସେହି ସମୟରେ ସେଠାରେ ନୈନିତାଲ ଏସଡିଏମ୍ ମଧ୍ୟ ଉପସ୍ଥିତ ଥିଲେ । ଅତି ବ୍ୟସ୍ତବହୁଳ ରାସ୍ତାରେ ଅନାବଶ୍ୟକ ହୁଟର ବାଜିବାରୁ ଏସଡିଏମ୍ ଗାଡ଼ିକୁ ଅଟକାଇ ପଚରାଉଚରା କରିଥିଲେ ।

ଏହା ବି ପଢ଼ନ୍ତୁ... ଭାରତ-ପାକିସ୍ତାନ 'ଟ୍ରାକ୍୨' ଟକ୍ ଜାରି ! କତାରରେ ବୈଠକ, ପରଦା ପଛର କୂଟନୀତି କ'ଣ ?

SDMଙ୍କ ସହ ଯୁକ୍ତିତର୍କ:

ଏସଡିଏମ୍ ଗାଡ଼ି ଅଟକାଇବା ପରେ ବିଧାୟକଙ୍କ ପୁଅ ରାହୁଲ ନିଜ ପଦ ପଦବୀର ଦାବି କରି ଅଫିସରଙ୍କ ସହ ଯୁକ୍ତିତର୍କ କରିଥିଲେ । ଗାଡ଼ି ଚାଳକ ଏହା ଜଣେ ବିଧାୟକଙ୍କ ଗାଡ଼ି ବୋଲି କହି ପ୍ରଭାବ ପକାଇବାକୁ ଚେଷ୍ଟା କରିଥିଲେ । ମାତ୍ର କର୍ତ୍ତବ୍ୟନିଷ୍ଠ ଅଫିସର ଏଥିରେ ନଡରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେତେବେଳେ ପୁଲିସ ଗାଡ଼ିର କାଗଜପତ୍ର ମାଗିଥିଲା, ସେତେବେଳେ ରାହୁଲ କିମ୍ବା ତାଙ୍କ ଡ୍ରାଇଭର କୌଣସି ଦସ୍ତାବିଜ୍ ଦେଖାଇ ପାରିନଥିଲେ । ଏପରିକି ଡ୍ରାଇଭରଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନଥିଲା । ପରେ ପୁଲିସ ଅନଲାଇନ୍ ଯାଞ୍ଚ କରିବାରୁ ଗାଡ଼ିର କାଗଜପତ୍ରରେ ମଧ୍ୟ ତ୍ରୁଟି ମିଳିଥିଲା । ଏହାପରେ ପୁଲିସ ତୁରନ୍ତ ଗାଡ଼ିକୁ ସିଜ୍ କରିବା ସହ ଜୋରିମାନା କାଟିଥିଲା ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ:

ଏହି ଘଟଣା ସମୟରେ ସ୍ଥାନୀୟ ଲୋକେ ମଧ୍ୟ ଏସଡିଏମ୍‌ଙ୍କ ସମର୍ଥନରେ ବାହାରିଥିଲେ ଏବଂ ବିଧାୟକଙ୍କ ପୁଅଙ୍କୁ 'ଭିଭିଆଇପି କଲ୍‌ଚର' ଛାଡ଼ିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପର୍ଯ୍ୟଟନ ସ୍ଥଳୀମାନଙ୍କରେ ନେତା ଓ ତାଙ୍କ ସମ୍ପର୍କୀୟଙ୍କ ଏଭଳି ଦାଦାଗିରି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଲୋକେ ଏସଡିଏମ୍‌ଙ୍କୁ ପ୍ରଶଂସା କରୁଛନ୍ତି ।