ନୈସର୍ଗିକଙ୍କୁ ପ୍ରଧାନମନ୍ତ୍ରୀ ବାଲ୍ ଶକ୍ତି ପୁରସ୍କାର

ଭୁବନେଶ୍ୱର,୨୨ ।୧(ବ୍ୟୁରୋ): ଚର୍ମ କର୍କଟ ଓ ପାକସ୍ଥଳୀ କର୍କଟରୁ ରକ୍ଷା କରିବା ପାଇଁ ଓଡ଼ିଆ ପୁଅ ନୈସର୍ଗିକ ଲେଙ୍କାଙ୍କ ଉଦ୍ଭାବନକୁ ମିଳିଛି ଜାତୀୟ ସ୍ତରର ସାବାସି । ଏଥିପାଇଁ ମଙ୍ଗଳବାର ରାଷ୍ଟ୍ରପତି ଭବନର ଦରବାର୍ ହଲ୍ରେ ନୈସର୍ଗିକଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମ୍ନାଥ କୋବିନ୍ଦଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ନୈସର୍ଗିକଙ୍କ ଏହି ଉଦ୍ଭାବନ ବିଶେଷ କରି କ୍ୟାନ୍ସର ରୋଗର ନିରାକରଣ ପାଇଁ ଉଦ୍ଦିଷ୍ଟ ।
ଏ ବାବଦରେ ନୈସର୍ଗିକ କହିଛନ୍ତି ଆମ ଘର ଯାଜପୁର ଜିଲ୍ଲାର ନିଲାମ୍ବର ପୁର ଗାଁରେ । ଏଠାରୁ ଅଳ୍ପ ଦୂରରେ ରହିଛି ସୁକିନ୍ଦା କ୍ରୋମାଇଟ୍ ମାଇନ୍ସ । କ୍ରୋମିୟମ୍ ମାଇନିଂ ଯୋଗୁଁ ଖଣିରୁ ବାହାରୁ ଥିବା ବର୍ଜ୍ୟ( ହେକ୍ସା ଭାଲେଣ୍ଟ କ୍ରୋମିୟମ୍) ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ଜନ ଜୀବନକୁ ପ୍ରଭାବିତ କରୁଛି । ଏହି ବର୍ଜ୍ୟ ଦ୍ୱାରା ଖଣି ଅଞ୍ଚଳର ପ୍ରାୟ ୩ ଲକ୍ଷ ଲୋକ ଚର୍ମ ଓ ପାକସ୍ଥଳୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣାକୁ ଗୁରୁତର ସହ ନେଇ ନାଇଜର୍ର ପ୍ଲାଣ୍ଟ ବାୟୋଲୋଜି ଲ୍ୟାବ୍ରେ ଡକ୍ଟର କିଶୋର ଚନ୍ଦ୍ର ଶେଖର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜିକୁ ଦେଢ଼ ବର୍ଷ ହେଲାଣି ଗବେଷଣା କରୁଥିଲି । ଖଣି ଅଞ୍ଚଳର ଲୋକମାନଙ୍କୁ କ୍ୟାନ୍ସର୍ରୁ ରକ୍ଷା କରିବା ପାଇଁ ଡକ୍ଟର ପାଣିଗ୍ରାହୀ ସାର୍ଙ୍କ ସହ ମିଶି ଆମେ ଏକ ପ୍ରକାର ମାଟ୍ରିକ୍ସର ଉଦ୍ଭାବନ କରିଛୁ । ଏକ ସ୍ୱତନ୍ତ୍ର ଶୈବାଳ (ଆନାବିନା ସିଲିଣ୍ଟ୍ରିକା) ଓ ପଲିମରର ମିଶ୍ରଣରେ ଏକ ନୂତନ ଜ୍ଞାନ କୌଶଳ ପ୍ରସ୍ତୁତ କରାଯାଇଛି । ଯାହାକୁ ଆମେ ପାଣି ଓ ମାଟିରେ ଭିନ୍ନ ଭିନ୍ନ ଉପାୟରେ ଉପଯୋଗ କରିପାରିବା । ଯାହାକି କ୍ୟାନ୍ସର ସୃଷ୍ଟିକାରୀ କାସିନୋଜନିକ ଉପାଦାନକୁ ଖାଦ୍ୟଚକ୍ର ମଧ୍ୟକୁ ଯିବାକୁ ଦେବନାହିଁ । ଏହା ଅତି ସାଧାରଣ ଲୋକ ବ୍ୟବହାର କରିପାରିବ । ଏକ ଏକର ଜମି ପାଇଁ ମାତ୍ର ଦେଢ଼ କିଲୋ ପଲିମର ମାଟ୍ରିକ୍ସର ଆବଶ୍ୟକତା ରହିଥିବା ବେଳେ ଏକ କିଲୋ ପଲିମର ମାଟ୍ରିକ୍ସର ଦାମ୍ ମାତ୍ର ୭୦ ଟଙ୍କା ହେବ । ୟୁନିଟ୍ ୮ ଡିଏଭିର ଛାତ୍ର ନୈସର୍ଗିକ ଲେଙ୍କା ବ୍ୟବସାୟୀ ସମରକେତନ ଲେଙ୍କା ଓ ମାତା ଇପ୍ସିତା ପୂଜାରୀଙ୍କ ପୁତ୍ର ଅଟନ୍ତି ।