ତନୁଶ୍ରୀ ଦତ୍ତଙ୍କୁ ଅସଦାଚରଣ ମାମଲା,ବର୍ଷେ ପରେ ନାନା ପାଟେକରଙ୍କୁ ପୋଲିସର କ୍ଳିନଚିଟ୍

ମୁମ୍ବାଇ,୧୩।୬: ତନୁଶ୍ରୀ ଦତ୍ତ ଓ ନାନା ପାଟେକର ବିବାଦ ଗତ ବର୍ଷ ଖୁବ୍ ଚର୍ଚ୍ଚାରେ ରହିଥିଲା। ତନୁଶ୍ରୀ ଗତ ବର୍ଷ ନାନା ପାଟେକରଙ୍କ ବିରୋଧରେ ଏକ ପୁରୁଣା ମାମଲାରେ ତାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ କରି ବଲିଉଡରେ #ମି ଠୁ’ ଅଭିଯାନ ଆରମ୍ଭ କରିଥିଲେ। ଏବେ ଏହି ବିବାଦ ଉପରେ ଏକ ନୂଆ ଅପଡେଟ୍ ଆସିଛି। ତାହା ହେଲା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୁମ୍ବାଇ ପୋଲିସ ଏକ ସ୍ଥାନୀୟ ଅଦାଲତଙ୍କୁ କହିଛନ୍ତି ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଦ୍ବାରା ନାନା ପାଟେକରଙ୍କ ବିରୋଧରେ ରୁଜୁ କରାଯାଇଥିବା ଅସଦାଚରଣ ମାମଲାରେ ତାଙ୍କ ବିରୋଧରେ ମକଦ୍ଦମା ଚଳାଇବା ନେଇ କୌଣସି ପ୍ରମାଣ ନାହିଁ।
ପୋଲିସ କମିଶନର ପରମଜିତ ସିଂହ ସୂଚନା ଦେଇଛନ୍ତି ଯେ, ଆଶିଓ୍ବାରା ପୋଲିସ ଗତ ବୁଧବାର ଅନ୍ଧେରିର ମେଟ୍ରୋପଲିଟନ୍ ମାଜିଷ୍ଟେ୍ରଟଭ୍କ ନିକଟରେ ଏକ ‘ବି ସମ୍ମରି ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟ ସେହି ସମୟରେ ଦାଖଲ କରାଯାଇଛି ଯେତେବେଳେ ପୋଲିସ ଅଭିଯୋଗ ପତ୍ର ଦାଖଲ କରିବା ପାଇଁ ଆହୁରି ମକଦ୍ଦମା ଚଳାଇବାର ଅନୁରୋଧ କରିବା ପାଇଁ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ପାଇନଥାଏ।