ଗୋଦାମରେ ଖତ ଖାଉଛି ମହାପ୍ରଭୁଙ୍କ ନନ୍ଦିଘୋଷ ଚକ, ଆବର୍ଜନାରେ ପଡିଛି ରଥ ଗୁଜ

ପୁରୀ,୨୩/୦୩: ମହାପ୍ରଭୁଙ୍କ ରଥତ୍ରୟଙ୍କୁ ଦେବତା ଜ୍ଞାନ କରି କୋଟି କୋଟି ଭକ୍ତ ରଥ ଚକଙ୍କୁ ମୁଣ୍ଡିଆ ମାରୁଛନ୍ତି । ରଥ ନିର୍ମାଣ ସମୟରେ ଠାକୁରେ ଅଧିଷ୍ଠିତ ହେବା ପୂର୍ବରୁ ମଧ୍ୟ ଚକକୁ ସ୍ପର୍ଶ କରି ଠାକୁରଙ୍କୁ ଭକ୍ତି ନିବେଦନ କରନ୍ତି ଭକ୍ତ । ରଥଯାତ୍ରା ପରେ ରଥାଂଶକୁ ବିଭିନ୍ନ ସ୍ଥାନରେ ରଖି ହିନ୍ଦୁମାନେ ପୂଜାର୍ଚ୍ଚନା କରୁଛନ୍ତି । ହେଲେ ଏକ ଗୋଦାମ ଘର ଖତ ଗଦାରେ ପଡ଼ି ଶ୍ରୀଜଗନ୍ନାଥଙ୍କ ରଥାଂଶ ଖତ ଖାଉଥିବା ଦେଖିବାକୁ ମଳିଛି । ନନ୍ଦିଘୋଷ ଚକ ଉପରେ ଥାକ ମରା ହୋଇଛି ଚାଉଳ ବସ୍ତା । ଆବର୍ଜନାରେ ଲୋଟୁଛି ରଥ ଗୁଜ ।
ଏସ୍ଏସିଏସ୍ କଲେଜ ଛକ ପାଶ୍ୱର୍ ଗୋଦାମରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ନଜରକୁ ଆସିଛି । ଗୋଦାମ ବାରଣ୍ଡାରେ କାନ୍ଥକୁ ଆଉଜି ରହିଛି ନନ୍ଦିଘୋଷ ରଥ ଚକ । ଚକ ଉପରେ ଚାଉଳ ବସ୍ତା ଥାକ ମରାଯାଇଛି । ଚଟାଣରେ ଲୋଟୁଛି ମହାପ୍ରଭୁଙ୍କ ରଥର ଗୁଜ । ଏହି ଅଂଶ ହେଉଛି ରଥର ରକ୍ଷା କବଚ । ସେଥିରେ ନୃସିଂହଙ୍କ ପ୍ରତିଛବି ରହିଛି । ଠାକୁରଙ୍କ ରଥର ଗୁଜ ଆବର୍ଜନା ଭିତରେ ପଡ଼ିଛି । ଗୁଜ ନିକଟରେ ଅଇଁଣ୍ଠା ପାଣି ବୋତଲ, ପାନ ଛେପ ଓ ଅଳିଆ କଢ଼ା ବେଲ୍ଚା ପଡ଼ିଛି । ରାସ୍ତାର ଧୂଳି ଓ ବର୍ଷା ପାଣି ଚକରେ ପଡ଼ୁଛି । ଏଭଳି ସ୍ଥିତିରେ ରଥ ଚକକୁ ଦେଖି ଅନେକ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ବାସେଳି ସାହିର ଜଗନ୍ନାଥ ମହାନ୍ତି ଓ ସିଦ୍ଧମହାବୀର ଅଞ୍ଚଳର ସତ୍ୟ ସାହୁ କୁହନ୍ତି, ରଥକୁ ଏଭଳି ହତାଦର କରିବା ଅର୍ଥ ଠାକୁରଙ୍କୁ ଅବମାନନା କରିବା । ଜଗନ୍ନାଥଙ୍କ ରଥକୁ ଲୋକେ ଚାହିଁ ବସିଛନ୍ତି । ନିଜ ନିଜ ଅଞ୍ଚଳରେ ପୂଜା କରି ଠାକୁରଙ୍କ କୃପା ଲାଭ କରିବାକୁ । ହେଲେ ସେମାନଙ୍କୁ କୌଣସି ସୁବିଧା ମିଳୁନି ରଥାଂଶ ନେବାକୁ । ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ରଥାଂଶ ଦେଉଥିଲେ ମଧ୍ୟ ଏହା କିପରି ବ୍ୟବହାର ହେଉଛି ଜାଣିବାକୁ ଚେଷ୍ଟା କରୁନି ।
ସୂଚନା ଥାଉକି ଉକ୍ତ ଚକ ମାସେ ହେଲାଣି ସେଠାରେ ଅବହେଳିତ ଅବସ୍ଥାରେ ପଡ଼ିଛି । ଶ୍ରୀମନ୍ଦିର ପ୍ରଶାସନ ଠାରୁ ସଂଗ୍ରହ ପରେ ସେଠାରେ ରଖାଯାଇଛି । କଟକର ଜଣେ ବ୍ୟକ୍ତି ଏହାକୁ ନେଇଯିବେ । କିଛି ଦିନ ପୂର୍ବେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧି ବଡ଼ଦାଣ୍ଡରେ ଟ୍ରଲିରେ ବୁହା ହେଉଥିବା ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ପୁଣି ସାହି ଗଳିକନ୍ଦି ପଥଚାରୀଙ୍କ ପାଦତଳେ ମହାପ୍ରସାଦ ଲୋଟୁଥିବା ଦୃଶ୍ୟ ନିତିଦିନିଆ । ଏଣୁ ଶ୍ରୀଜଗନ୍ନାଥ ଧାମରେ ଅସଲରେ ମହାପ୍ରଭୁଙ୍କ ପ୍ରତି ଅପମାନ ହେଉଥିବା ଯାତ୍ରୀମାନେ ସମାଲୋଚନା କରୁଛନ୍ତି ।