ପୁରୀ, ୧୬/୦୮ : ନନ୍ଦୋତ୍ସବ ପାଇଁ ଚଳଚଞ୍ଚଳ ଶ୍ରକ୍ଷେତ୍ର। ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀକୃଷ୍ଣ ଧରା ଅବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ପାଳନ ହେଉଛି। ଭାଦ୍ରବ କୃଷ୍ଣ ନବମୀ ତିଥିରେ ମଙ୍ଗଳ ଆଳତି ପରେ ମହାଜନ ସେବକମାନେ ରାମ-କୃଷ୍ଣ ଦୁଇ ଚଳନ୍ତି ଦେବ ବିଗ୍ରହଙ୍କୁ ହାତରେ ବିଜେ କରାଇ ଜଗମୋହନସ୍ଥିତ ଦୋଳିରେ ବସାଇବେ। ଦକ୍ଷିଣୀ ଘରୁ ମଦନମୋହନ ଆସି ଜଗମୋହନ ଦୋଳିରେ ବିଜେ କରିବେ।
ବିଜୁଳି କନ୍ୟାଙ୍କୁ ମାରିବା ନୀତି ଓ ଶ୍ରୀଦୁର୍ଗା ଦେବୀ ଭଣ୍ଡାର ଘରକୁ ବାହୁଡ଼ା ବିଜେ ଆଦି ନୀତିକାନ୍ତି ହେବ। ଏହା ପରେ ନନ୍ଦୋତ୍ସବ ନିମନ୍ତେ ରାମକୃଷ୍ଣ ଓ ମଦନମୋହନଙ୍କୁ ଏକ ଖଟ ଉପରେ ବିଜେ କରାଯିବ। ସେମାନଙ୍କର ମାଜଣା, ମାଳଫୁଲ ଲାଗି ଓ ବେଶ କରାଯିବ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ପାଲିଙ୍କିରେ ନେଇ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ପଡ଼ିଥିବା ଖଟ ଉପରେ ବିଜେ କରାଯିବ। ଏହାପରେ ଭିତରଚ୍ଛ ମହାପାତ୍ର ନନ୍ଦ ରାଜା ରୂପରେ ଶ୍ରୀନଅରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ। ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦ ରାଜାଙ୍କୁ ଦେବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବାର ଆଶଙ୍କା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।