ପୁରୀ,୦୫/୦୪: ଆଉ ମାତ୍ର କିଛି ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଠାରୁ ମହାପ୍ରଭୁଙ୍କ ଆରମ୍ଭ ହେବ ଚନ୍ଦନଯାତ୍ରା । ଦୀର୍ଘ  ୨୧ ଦିନ ଧରି ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା  ଦେଖିବା ଲାଗି ନରେନ୍ଦ୍ର ଚତୁଃପାଶ୍ୱର୍ରେ ହଜାର  ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ । ହେଲେ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି ନରେନ୍ଦ୍ର  ପୁଷ୍କରିଣୀ । ଏପର୍ଯ୍ୟନ୍ତ ସରିନାହିଁ ସୌନ୍ଦର୍ଯୀକରଣ  ତଥା ପୁନରୁଦ୍ଧାର କାର୍ଯ୍ୟ । ମନ୍ଥର ଗତିରେ କାର୍ଯ୍ୟ  ଚାଲିଥିବାରୁ ନିର୍ଦ୍ଧାରିତ ସମୟରେ ଶେଷ ହେବା  ନେଇ ଆଶଙ୍କା ଦେଖାଦେଇଛି । ଦାୟିତ୍ୱରେ ରହିଥିବା  ଅଧିକାରୀଙ୍କ ଉପଯୁକ୍ତ ତଦାରଖ ଓ ସମୀକ୍ଷା  ଅଭାବରୁ କାର୍ଯ୍ୟ ମାତ୍ରାଧିକ ବିଳମ୍ବ ହେଉଛି ।  

ବର୍ତ୍ତମାନ ଜଟିଆବାବାଜୀ ଛକଠୁ ମାର୍କେଟ ଛକକୁ  ସଂଯୋଗ କରୁଥିବାର ରାସ୍ତା ପାଶ୍ୱର୍ପଟେ ପାଚେରି  ନିର୍ମାଣ ଜାରି ରହିଛି । ମାଟିକୁ ବାହାର କରାଯାଇ  ବାହାରେ ଗଦା କରାଯାଇଛି । ପାଚେରି କାର୍ଯ୍ୟ ସରିଲେ ବ୍ୟାରିକେଡ କାମ ଆରମ୍ଭ ହେବ ବୋଲି  ଜଣାପଡ଼ିଛି । ପାଚେରି କାର୍ଯ୍ୟ ସରି ନଥିବାରୁ  ପଲସ୍ତରା ଓ ବ୍ୟାରିକେଡ କାର୍ଯ୍ୟ ଧାର୍ଯ୍ୟ ସମୟ  ପୂର୍ବରୁ ଶେଷ ହେବା ନେଇ ଆଶଙ୍କା ଦେଖାଦେଇଛି ।  ସେହିଭଳି ଶୌଚାଳୟ କାର୍ଯ୍ୟ ମଧ୍ୟ ଜାରି ରହିଛି ।  

ଏସମ୍ପର୍କରେ ଓବିସିସି ଅଧିକାରୀ ଗିରିଜା ଶଙ୍କର  ନାୟକ କୁହନ୍ତି, ଅକ୍ଷୟତୃତୀୟା ପୂର୍ବରୁ ବାକି  ରହିଥିବା ସୌନ୍ଦର୍ଯୀକରଣ କାମ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ  ଶୌଚାଳୟ କାର୍ଯ୍ୟ ନିଶ୍ଚିତ ଭାବେ ସମ୍ପୂର୍ଣ୍ଣ କରାଯିବ ।  ଅନ୍ୟ ସମସ୍ତ କାର୍ଯ୍ୟ ସରିଯାଇଛି ।  ନରେନ୍ଦ୍ର ପୁଷ୍କରିଣୀର ରକ୍ଷଣାବେକ୍ଷଣା ଦାୟିତ୍ୱ  ଶ୍ରୀମନ୍ଦିର ପ୍ରଶାସନ ଓ ପୌରପାଳିକା ହାତରେ  ରହିଛି । କିନ୍ତୁ ପରିତାପର ବିଷୟ ନରେନ୍ଦ୍ର ପୁଷ୍କରିଣୀ  ଓ ଏହାର ଚତୁଃପାଶ୍ୱର୍କୁ ସଫା କରାଯାଉନାହିଁ ।  ନରେନ୍ଦ୍ରର ଭିତର ପାହାଚ ଓ ପାଣିରେ ପାଣି  ବୋତଲଠାରୁ ଆରମ୍ଭ କରି ଅଳିଆ ଆବର୍ଜନା  ଭାସୁଛି । ସେହି ଭଳି ମାନସିକ ଚୁଟି ପଡୁଥିବା  ପାଶ୍ୱର୍କୁ ବେଢା ଉପରେ ଲୋକେ ଘରକରଣା  ସାମଗ୍ରୀ ରଖିଲେଣି । କେଉଁଠି ବାଲି ଗଦା ହୋଇଛି  ତ ଅନ୍ୟ କେଉଁଠି ସାଇକଲ ଦୋକାନ ଖୋଲିଲାଣି ।  ଆଉ କେଉଁଠି ପୁରୁଣା ଗାଡ଼ି ରଖାଯାଇଛି । ଫଳରେ  ନରେନ୍ଦ୍ର ଚତୁଃପାଶ୍ୱର୍ ପରିତ୍ୟକ୍ତ ଅବସ୍ଥାରେ  ପଡ଼ିରହିଛି । ଏନେଇ ଜଣେ ସ୍ଥାନୀୟ ବାସିନ୍ଦା  କହିଛନ୍ତି, ନରେନ୍ଦ୍ର ପୁନଃରୁଦ୍ଧାର ଓ ସୌନ୍ଦର୍ଯୀକରଣ  ଲାଗି କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି ।  ହେଲେ ଏହାର ରକ୍ଷଣାବେକ୍ଷଣା ଅଭାବରୁ  ଆବର୍ଜନାମୟ ହୋଇପଡ଼ିଛି । ପୌରପାଳିକା  ସଫେଇ କର୍ମଚାରୀମାନେ କେବଳ ରାସ୍ତା ସଫା  କରୁଥିବାବେଳେ ନରେନ୍ଦ୍ର ପୁଷ୍କରିଣୀର ବାହାର ପାଶ୍ୱର୍  ବେଢାରେ ଝାଡୁ ମାରୁନାହାନ୍ତି । କେବଳ ୨୧ଦିନ  ଚାପ ବେଳେ ଏଠାରେ ପ୍ରଶାସନିକ ଅଧିକାରୀଙ୍କ  ଦେଖା ମିଳିଥାଏ । 

ଏସମ୍ପର୍କରେ ପୌରପାଳିକା  କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରାଙ୍କୁ  ପଚାରିବାରୁ ସେ କହିଛନ୍ତି, ମୋ ନିକଟରେ ଖବର  ପହଞ୍ଚିଛି। ଖୁବ୍‌ଶୀଘ୍ର ନରେନ୍ଦ୍ରକୁ ପରିଷ୍କାର କରିବା  ସହ ଚତୁଃପାଶ୍ୱର୍ରୁ ଜବରଦଖଲ ହଟାଯିବ । ରାଜ୍ୟ  ସରକାର ନରେନ୍ଦ୍ର ସମେତ ମାର୍କଣ୍ଡେୟ ଓ ଇନ୍ଦ୍ରଦ୍ୟୁମ୍ନ  ପୁଷ୍କରିଣୀର ପୁନରୁଦ୍ଧାର ଲାଗି ଅବଢ଼ା ଯୋଜନାରେ  ୬୬ କୋଟି ଟଙ୍କା ମଞ୍ଜୁର କରିଥିଲେ ।