ନୂଆଦିଲ୍ଲୀ,୦୫/୦୧: ୱେଷ୍ଟଇଣ୍ଡିଜ କ୍ରିକେଟର କିରନ୍ ପୋଲାର୍ଡ ଇଣ୍ଟରନ୍ୟାସନାଲ କ୍ରିକେଟ ଏବଂ ଆଇପିଏଲରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଏବେ ସେ କେବଳ ଫ୍ରାଞ୍ଚାଇଜ କ୍ରିକେଟ ଖେଳୁଛନ୍ତି । ପୋଲାର୍ଡଙ୍କ ଅଧିନାୟତ୍ୱରେ ଏମଆଇ ଏମିରେଟର୍ସ ଇଣ୍ଟରନ୍ୟାସନାଲ ଲିଗ୍ ଟି୨୦ ୨୦୨୫-୨୬ ଫାଇନାଲରେ ଏଣ୍ଟ୍ରୀ କରିଥିଲା । ଯେଉଁଠି ଦଳକୁ ପରାସ୍ତ ହେବାକୁ ପଡିଛି । ମ୍ୟାଚର ପରିଣାମ ଗୋଟିଏ ପଟେ ହେଲେ ଚର୍ଚ୍ଚା କିଛି ଅନ୍ୟକୁ ନେଇ ଚାଲିଛି । କିରନ୍ ପୋଲାର୍ଡଙ୍କ ସହ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ବଲୋର୍ ନସୀମ୍ ଶାହ । ମ୍ୟାଚ ଚାଲିଥିବା ବେଳେ ଦୁହିଁଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥିବା ଦେଖିବାକୁ ମିଳିଛି ।
ilt20 ଫାଇନାଲ ରବିବାର ଖେଳାଯାଇଥିଲା । ଟ୍ରଫି ଟକ୍କରରେ ମୁହାଁମୁହିଁ ହୋଇଥିଲେ ଡେଜର୍ଟ ଭାଇପର୍ସ ଓ ଏମଆଇ ଅମିରାତ । ମ୍ୟାଚରେ ପାକିସ୍ତାନ ବୋଲର ନସୀମ ଓ ପୋଲାର୍ଡଙ୍କ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା । ଏହି ଘଟଣା ଏମଆଇ ଇନିଂସର ୧୧ତମ ଓଭରରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସଙ୍କଟରେ ପଡିଥିଲା ଦଳ । ୪ ୱିକେଟ ହରାଇ ୭୬ ରନ୍ କରିଥିଲା । ବଳକା ୯ ଓଭରରେ ଜିତିବାକୁ ଦଳକୁ ୧୦୭ ରନ୍ ଦରକାର ଥିଲା । ନସୀମଙ୍କ ଓଭରରେ ଶେଷ ଲେନ୍ଥ ବଲକୁ ଡିଫେଣ୍ଡ କରିଥିଲେ ପୋଲାର୍ଡ । ବଲ୍ ସିଧା ନସୀମଙ୍କ ହାତରେ ଲାଗିଥିଲା । ଏହା ପରେ ନସୀମ ତାଳି ମାରି ପୋଲାର୍ଡଙ୍କୁ ଉସକାଇବାକୁ ଚେଷ୍ଟା କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଏହା ପରେ ଦୁହିଁଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ପୋଲାର୍ଡ-ନସୀମଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ପରେ ସାଥୀ ଖେଳାଳି ଓ ଅମ୍ପାୟାର ମାହୋଲ ଶାନ୍ତି କରିବାକୁ ଚେଷ୍ଟା କରିଥିଲେ ।
୪୬ ରନ୍ରେ ଜିତିଲା ଡେଜର୍ଟ ଭାଇପର୍ସ- ପ୍ରଥମେ ବ୍ୟାଟିଂ କରି ଡେଜର୍ଟ ଭାଇପର୍ସ ଅଧିନାୟକ ସାମ୍ କୁରାନ ୭୪ରନ୍ ଅପରାଜିତ ପାଳି ଖେଳିଥିଲେ । ନିର୍ଦ୍ଧାରତି ୨୦ ଓଭରରେ ଦଳ ୪ ୱିକେଟ ହରାଇ ୧୮୨ ରନ୍ କରିଥିଲା । ଏହି ଟାର୍ଗେଟର ପିଛା କରି ଏମଆଇ ୧୮.୩ ଓଭରରେ ୧୩୬ ରନ୍ କରିବାରେ ସକ୍ଷମ ହୋଇଥିଲା । ୪୬ ରନର୍ ବାଜି ମାରିଥିଲେ ଡେଜର୍ଟ । ତୃତୀୟ ଥର ପାଇଁ ilt20 ଟ୍ରଫି ଜିତିଥିଲା ।