ନୂଆଦିଲ୍ଲୀ,୨୪/୧ : କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ନସିମୁଦ୍ଦିନ ସିଦ୍ଦିକି ଲକ୍ଷ୍ନୌରେ ଗଣମାଧ୍ୟମ ସାମ୍ନାରେ ଆସିଛନ୍ତି । ସେ ଦାବି କରିଛନ୍ତି କି ଗତ ଦୁଇ ମାସ ହେବ ଚର୍ଚ୍ଚା ହେଉଥିଲା । ଆଜି ମୋର ସମର୍ଥକମାନଙ୍କ ସହିତ ନିଷ୍ପତ୍ତି ନିଆଯାଇଛି ଯେ ମୁଁ କଂଗ୍ରେସ ଛାଡିବା ଉଚିତ । ସିଦ୍ଦିକି କହିଛନ୍ତି ଯେଉଁ ଲୋକମାନେ ଏଠାରେ ଉପସ୍ଥିତ ଅଛନ୍ତି ସେମାନଙ୍କ ପଛରେ ହଜାର ହଜାର ଲୋକ ଅଛନ୍ତି । ଏହି ନିଷ୍ପତ୍ତି ନେବା ସହଜ ନ ଥିଲା । ଆମେ ଖୁବଶୀଘ୍ର ଆମର ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରିବୁ ।

ନସିମୁଦ୍ଦିନ ସିଦ୍ଦିକି ଆଜି ଅପରାହ୍ନରେ ହଠାତ୍ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ କାହିଁକି ଇସ୍ତଫା ଦେଇଛନ୍ତି ସେ ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତଥାପି, ସେ ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି।

କଂଗ୍ରେସରୁ ଇସ୍ତଫା ଦେବା ପରେ ନସିମୁଦ୍ଦିନ ସିଦ୍ଦିକି କହିଛନ୍ତି, "ମୁଁ କଂଗ୍ରେସରେ ରହିବା ଉଚିତ କି ନାହିଁ ସେ ବିଷୟରେ ଦୁଇ ମାସ ଧରି ଆଲୋଚନା ଚାଲୁଥିଲା । ଆଜି ମୁଁ ୭୩ ଜଣଙ୍କୁ ଡାକିଲି, ଯେଉଁଥିରୁ କେତେକ ଉତ୍ତର ପ୍ରଦେଶର, କିଛି ଉତ୍ତରାଖଣ୍ଡରୁ ଏବଂ କେତେକ ଦିଲ୍ଲୀରୁ ଥିଲେ । ଏହି ୭୩ଜଣ ଲୋକ ଶହ ଶହ, ଏପରିକି ହଜାର ହଜାର ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି । ଆମେ ସେମାନଙ୍କ ମତାମତ ନେଇଥିଲୁ ଏବଂ ସମସ୍ତେ ଏକମତ ହୋଇଥିଲୁ ଯେ ଇସ୍ତଫା ଦେବା ଭଲ ହେବ।’ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ନସିମୁଦ୍ଦିନ ସିଦ୍ଦିକୀଙ୍କ ଇସ୍ତଫା କଂଗ୍ରେସ ଦଳ ପାଇଁ ଏକ ବଡ଼ ଧକ୍କା ଅଟେ ବୋଲି ଆଲୋଚନା ହେଉଛି ।