ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ମାଣ୍ଡିଆ ବିକାଳିରୁ ଜାତୀୟ ଭାରୋତ୍ତୋଳକ ଭକ୍ତରାମ

ସାଧାରଣ କୃଷକ ପରିବାରରେ ଜନ୍ମ ହୋଇ କୌଣସି କ୍ରୀଡ଼ାକୁ ବର୍ତ୍ତମାନ ସମୟରେ କ୍ୟାରିୟର ଭାବେ ଗ୍ରହଣ କରିବା ଏତେ ସହଜ କଥା ନୁହେଁ । ଦୃଢ଼ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଏବଂ କ୍ରୀଡ଼ାବିତ ହେବାର ଜିଦ୍‌ ହିଁ ଜଣକୁ ଏ ଦିଗରେ ସଫଳ କରାଇପାରେ । ଯାହାର ଏକ ବଡ଼ ଦୃଷ୍ଟାନ୍ତ ସାଜିଛନ୍ତି ଯୁବ ଭାରୋତ୍ତୋଳକ ଭକ୍ତରାମ ଦେସ୍ତି । ସାଧାରଣ ପରିବାରରେ ଜନ୍ମ ହୋଇବି ସେ ଜାତୀୟସ୍ତରର ଭାରୋତ୍ତୋଳନରେ ସଫଳ ହୋଇ ପାରିଛନ୍ତି । ଦିନେ ସେ ଘରେ ପାଠ ପଢ଼ିବା ସହ ବାପାଙ୍କୁ କୃଷି କାର୍ଯ୍ୟରେ ସାହାର୍ଯ୍ୟ କରୁଥିଲେ, ବଜାରରେ ମାଣ୍ଡିଆ ବିକ୍ରି କରୁଥିଲେ । କିନ୍ତୁ ତାଙ୍କ ମନରେ ଥିଲା ଜଣେ ଭାରୋତ୍ତୋଳକ ହେବାର ନିଶା । ସମୟ ଆସିଲା, ସୁଯୋଗ ବି ମିଳିଲା, କ୍ରୀଡ଼ା ଛାତ୍ରାବାସ ପାଇଁ ସେ ଚୟନ ହେଲେ ଏବଂ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ ରହିଲେ । ଏତିକିରେ ତାଙ୍କ ଜୀବନର ସଂଘର୍ଷ ଶେଷ ହୋଇ ନଥିଲା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଭକ୍ତରାମଙ୍କ ଘର । ବାପା ସୁଦନ ଦେସ୍ତି ଓ ମାଆ ପୁଳା ଦେସ୍ତି । ଦୁଇଟି ଜାତୀୟ ସ୍ୱର୍ଣ୍ଣ ଜିତି ସାରିବା ପରେ ଭକ୍ତରାମ ଗତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ମାତ୍ର ସେ ସଫଳ ହୋଇପାରି ନଥିଲେ । ଗ୍ରୀଷ୍ମ ଅବକାଶରେ ସେ ଯେତେବେଳେ କ୍ରୀଡ଼ା ଛାତ୍ରାବାସରୁ ଘରକୁ ଫେରିଥିଲେ, ସେତେବେଳେ ଚାଷ କାମ କରୁଥିବା ବାପା ସୁଦନ ଓ ମାଆ ପୁଳା ତାଙ୍କ ଉପରେ ଘୋର ବିରକ୍ତ ପ୍ରକାଶ କରିଥିଲେ । ବାପା କହିଥିଲେ, ଖାଲି ଖେଳ ଖେଳ ହେଉଛୁ, ପଢ଼ା ଶୂନ, ଖେଳି କ’ଣ କରିବୁ? ଏବେ ସବୁ ବନ୍ଦ, ଘରେ ରହି ଚାଷ କର… । ବାପାଙ୍କ ଅବାଧ୍ୟ ହୋଇ ପାରି ନଥିଲେ ଭକ୍ତରାମ । ଖରା ଛୁଟି ସରିଗଲା, ହେଲେ ସେ ଆଉ ହଷ୍ଟେଲ୍‌ ଫେରି ନଥିଲେ । ବାପା ମାଆଙ୍କୁ ବହୁ ବୁଝାସୁଝା କରିଥିଲେ, ବିନତି ବି କଲେ କିନ୍ତୁ କିଛି ସୁଫଳ ମିଳି ନଥିଲା । ସେମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ । ଶେଷରେ ଘରେ ରହିବାକୁ ବାଧ୍ୟ ହେଲେ । ଚାଷ କାର୍ଯ୍ୟ
କଲେ । କ୍ୟାରିୟରଟା ଏହିଠାରୁ ଶେଷ ହୋଇଯିବ ବୋଲି ଭାବି ନେଇଥିଲେ । ଏ ବିଷୟ ଦିନେ ଭକ୍ତରାମ କୋଚ୍‌ ସୀତା ଜେନା (ବ୍ରହ୍ମପୁର)ଙ୍କୁ ଫୋନ୍‌ରେ କାନ୍ଦି କାନ୍ଦି ଜଣାଇଥିଲେ । କୋଚ୍‌ ସୀତା ଜେନା ସବୁ କିଛି ଶୁଣିବା ପରେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ପରେ ସେ ଫୋନରେ ସୁଦନ ଓ ପୁଳାଙ୍କୁ ବୁଝାଇଥିଲେ । ଭକ୍ତରାମକୁ ସୀତା କହିଥିଲେ- ଘରେ ରହିଲେ ଜଙ୍ଗଲକୁ ଯାଇ କାଠ ହାଣିବୁ । ଏଠାକୁ ଆସିଲେ ପଢି଼ ପୁଣି ପରୀକ୍ଷା ଦେଇପାରିବୁ । କ୍ରୀଡ଼ାରେ ତୁ ଭଲ କରୁଛୁ, ଆଗକୁ ଅଧିକ ପଦକ ଜିତିଲେ ପ୍ରୋତ୍ସାହନ ମିଳିବ । ଶେଷରେ କୌଣସିମତେ ବାପା ମାଆ ରାଜି ହେଲେ । ଘରୁ ହଷ୍ଟେଲ ଫେରିବାକୁ ଟଙ୍କା ନଥାଏ । ବଜାରରେ ମାଣ୍ଡିଆ ବିକ୍ରି କରି ବସ୍‌ ଟିକେଟ୍‌ ଯୋଗାଡ଼ କଲେ । ଶେଷରେ ପୁଣି ଭକ୍ତରାମ ହଷ୍ଟେଲ୍‌ରେ ଆସି ଅଭ୍ୟାସରେ ଯୋଗ ଦେଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତି ।

{"id":3413,"width":546,"height":438}

ଆଗାମୀ ସମ୍ଭାବନା
ମାଲକାନଗିରିରୁ ଫେରିଲା ପରେ ଆଉ ଦୁଇଟି ଜାତୀୟ ସ୍ୱର୍ଣ୍ଣ ଜିତିସାରିଲେଣି ଭକ୍ତରାମ । ତା ସହ ଖେଲୋ ଇଣ୍ଡିଆର ପ୍ରୋତ୍ସାହନ ରାଶି ୫୦ ହଜାର ଟଙ୍କା ପାଇଥିଲେ ସେ । ସେଥିରୁ କିଛି ଅର୍ଥ ଘରକୁ ପଠାଇଥିଲେ, ଯେଉଁଥିରେ ବାପା ମାଆ ଖୁସି ହୋଇଯାଇଥିଲେ । ଆଉ ପୁଅକୁ କେବେ ଆକଟ କରିବୁ ନାହିଁ ବୋଲି କହିଛନ୍ତି । ଦିନେ ପୁଷ୍ଟିକର ଖାଦ୍ୟ ନିୟମିତ ଖାଇବାକୁ ପାଇପାରୁ ନଥିବା ଭକ୍ତରାମ ଏବେ ଉନ୍ନତ କ୍ରୀଡ଼ା କୌଶଳ ସହ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ, ଉତ୍ତମ କୋଚିଂ ପାଇ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ‘ଚିତ୍ରକୋଣ୍ଡା ଭଳି ଉପାନ୍ତ ଅଞ୍ଚଳର ଆଦିବାସୀ ପିଲା ସେ । ତାଙ୍କ ମଧ୍ୟରେ ପ୍ରତିଭା ଥିଲା, ଦୃଢ଼ ଇଚ୍ଛାଶକ୍ତି ଥିଲା କିନ୍ତୁ ବିକଶିତ ହୋଇପାରୁ ନଥିଲା । କାରଣ ସୁଯୋଗ ନଥିଲା । ସୁଯୋଗ ମିଳିବା ପରେ ସେ ଉନ୍ନତ ପ୍ରଦର୍ଶନ କରୁଛନ୍ତି । ଜାତୀୟ ଶିବିର ତାଙ୍କ ପାଇଁ ବେଶ୍‌ ସହାୟକ ହେବ । ହୁଏତ ସେ ଅନ୍ତର୍ଜାତୀୟ ସୁଯୋଗ ପାଇପାରନ୍ତି, ଭଲ ଖେଳ ଜାରି ରଖିଲେ ତାଙ୍କ ପାଇଁ ନିଯୁକ୍ତି ସୁଯୋଗ ନିଶ୍ଚୟ ମିଳିବ ବୋଲି କହିଛନ୍ତି ତାଙ୍କ କୋଚ୍‌ ସୀତା ଜେନା ।

Copyright © 2022 - Summa Real Media Private Limited. All Rights Reserved.