ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଜାତୀୟ ସମ୍ବିଧାନ ଦିବସ

ଭୋଗରାଇ,୨୬/୧୧,(ଆ.ପ୍ର.) ବାଲେଶ୍ଵର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ମହାବିଦ୍ୟାଳୟ ଭାବେ ପରିଚିତ ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଆରଆଇଏଚଏସ)ରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର କେଦାର ସିଂ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଆଇକ୍ୟୁଏସି ସଂଯୋଜକ ତଥା ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଡଃ ଧୀରେନ୍ଦ୍ର କୁମାର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଜାତୀୟ ସମ୍ବିଧାନ ଦିବସ ପାଳନର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ।
ଅଧିକାଂଶ ନାଗରିକ ସମ୍ବିଧାନ ସମ୍ପର୍କରେ ଅଜ୍ଞ ଥିବାରୁ ଭାରତବର୍ଷର ଗଣତନ୍ତ୍ର ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି ବୋଲି ପ୍ରକାଶ କରିବା ସହିତ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ଗାଁ,ସାହି,ବସ୍ତିରେ ସମ୍ବିଧାନ ସମ୍ପର୍କରେ ଶିକ୍ଷାଦାନ କରିବା ଜରୁରୀ ବୋଲି ଡଃ ଜେନା ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ଦାସ ସମ୍ବିଧାନ ପ୍ରଣୟନ କ୍ଷେତ୍ରରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଦେଶର ସମ୍ବିଧାନ ସମ୍ପର୍କରେ ବିଶେଷ ଜ୍ଞାନ ଆହରଣ କରିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ ।
ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର ଜଗଦୀଶ ଚନ୍ଦ୍ର ଗିରି,ବିତ୍ତ ଅଧିକାରୀ ପ୍ରଫେସର ଅଚିନ୍ତ୍ୟ କୁମାର ଦାସ, ପରୀକ୍ଷା ଅଧିକାରୀ ପ୍ରଫେସର ରମେଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ସମ୍ବିଧାନର ସମସ୍ତ ଧାରା ଓ ଉପଧାରା ସମ୍ପର୍କରେ ସଠିକ ଭାବେ ଅବଗତ ହେଲେ ନାଗରିକ ଅଧିକାର ସୁରକ୍ଷା ସହିତ ନିଜର ଓ ଦେଶର ବିକାଶରେ ଉପଯୁକ୍ତ ଯୋଗଦାନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ସମ୍ବିଧାନ ସଚେତନତା ସଭାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷା କର୍ମଚାରୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ସଭା ପ୍ରାରମ୍ଭରେ ସମ୍ବିଧାନ ମୁଖବନ୍ଧ ପାଠ ପୂର୍ବକ ସାମୁହିକ ‘ଶପଥ ପାଠ’ କରାଯାଇଥିଲା। ମହାବିଦ୍ୟାଳୟର ଏନଏସଏସ ଅଧିକାରୀ ପ୍ରଫେସର ବ୍ରଜବିହାରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମହାବିଦ୍ୟାଳୟର ଭାରତ ସ୍କାଉଟ୍ସ ଓ ଗାଇଡ୍ସର ରୋଭର ରେଞ୍ଜର ମାନେ ନାଟକ ମାଧ୍ୟମରେ ଭାରତର ସମ୍ବିଧାନ ସମ୍ପର୍କିତ ସଚତନତା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।