କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟ: ନିଶା କବଳରେ ୭.୧୩ କୋଟି ଭାରତୀୟ

ନୂଆଦିଲ୍ଲୀ,୧୯।୨: ନିଶା କବଳରେ ରହିଛନ୍ତି ଦେଶର କୋଟି କୋଟି ସଂଖ୍ୟାର ଲୋକେ। ଏନେଇ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି। ଏହି ସର୍ଭେରେ କୁହାଯାଇଛି ପ୍ରାୟ ୭.୧୩ କୋଟି ଭାରତୀୟ ବିଭିନ୍ନ ପ୍ରକାର ମାଦକଦ୍ରବ୍ୟ ସେବନ କରୁଛନ୍ତି। ଏମାନଙ୍କ ମଧ୍ୟରେ ନିଶା ସେବନ କରିବାର ଏଭଳି ଅଭ୍ୟାସ ପଡିଯାଇଛି ଯେ ତାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ଯାହାକି ଏବେ ଆବଶ୍ୟକତା ଅନୁସାରେ ଉପଲବ୍ଧ ନାହିଁ। ଭାରତ ସରକାର ଏହି ସର୍ଭେରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ କରିଛନ୍ତି। କୁହାଯାଉଛି ଯେ ସର୍ଭେରେ ସବୁଠାରୁ ଅଧିକ ୫.୧୭ କୋଟି ଲୋକଙ୍କୁ ମଦ ପିଇବାର ନିଶା ରହିଛି।

ସେଭଳି ୭୨ ଲକ୍ଷ ଲୋକ ଭାଙ୍ଗ, ୬୦ ଲକ୍ଷଙ୍କୁ ଅଫିମ ଓ ଚରସ ଏବଂ ୧୧ ଲକ୍ଷ ଲୋକଙ୍କୁ ନିଶା ବଟିକା କିମ୍ବା ଇଞ୍ଜେକସନ ନେବାର ଖରାପ ଅଭ୍ୟାସ ରହିଛି। ସର୍ଭେରେ ୭୦,୨୯୩ ଜଣ ଲୋକଙ୍କୁ ସାମିଲ କରାଯାଇଛି। ଯେଉଁମାନେ କି ବିପଦଜନକ କିସମର ଡ୍ରଗ୍ସ ବ୍ୟବହାର କରୁଛନ୍ତି।

ସର୍ଭେରେ ଆଶଙ୍କା କରାଯାଉଛି ଯେ ମାଦବଦ୍ରବ୍ୟ ବ୍ୟବହାର କରୁଥିବା ଲୋକଙ୍କ ବାସ୍ତବିକ ସଂଖ୍ୟା ସର୍ଭେ ରିପୋର୍ଟ ଠାରୁ ଅଧିକ ହୋଇପାରେ। ଏହି ସର୍ଭେରେ ୧୮୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ପରିବାରଙ୍କୁ ସାମିଲ କରାଯାଇଛି। ରିପୋର୍ଟରେ କୁହାଯାଇଚି ଡ୍ରଗ୍ସ ଏବଂ ମଦର ନିଶା ଖୁବ୍ ଚିନ୍ତାଜନକ। କାରଣ ଲୋକଙ୍କ ସ୍ବାସ୍ଥ୍ୟ ସହିତ ଏହା ତାଙ୍କର ଆର୍ଥିକ ସ୍ତରରେ ମଧ୍ୟ କ୍ଷତି କରୁଛି। ଅଧିକାଂଶ ଲୋକ ଭାଙ୍ଗ ଖାଇ ନିଶା ସେବନ କରିବାର ଆରମ୍ଭ କରୁଛନ୍ତି। ଏହାପରେ କୋକିନ୍, ହିରୋଇନ୍ ଭଳି ବିପଦଜନକ ମାଦକଦ୍ରବ୍ୟ ନେବା ଆରମ୍ଭ କରିଦେଇଥାନ୍ତି।

ସର୍ଭେରେ ଜଣାପଡିଛି ମୋଟ ୨୭.୩ ପ୍ରତିଶତ ପୁରୁଷ ଏବଂ ୬.୪ ପ୍ରତିଶତ ମହିଳା ମଦ ପିଉଛନ୍ତି। ମଦ ପିଇବାରେ ସବୁଠାରୁ ଖରାପ ସ୍ଥିତି ଚଣ୍ଡୀଗଡ, ତ୍ରିପୁରା ଓ ପଞ୍ଜାବରେ ରହିଛି। ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ୪.୨ କୋଟି ଲୋକ ଏବଂ ଦ୍ବିତୀୟରେ ରହିଛି ପଶ୍ଚିମବଙ୍ଗ। ସେଠାରେ ୧.୪ କୋଟି ଲୋକ ଓ ତୃତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ ରହିଥିବା ବେଳେ ସେଠାରେ ୧.୨ କୋଟି ଲୋକ ମଦ ପିଅନ୍ତି। ଏହି ସର୍ଭେ ରିପୋର୍ଟ ‘ମ୍ୟାଗ୍ନିଚ୍ୟୁଟ୍ ଅଫ୍ ସବଷ୍ଟେନ୍ସ ଏବ୍ୟୁଜ ଇନ୍ ଇଣ୍ଡିଆ’ ଶୀର୍ଷକ ସର୍ଭେ ରିପୋର୍ଟ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ନିର୍ଦେଶରେ ଏମ୍ସର ନ୍ୟାସନାଲ ଡ୍ରଗ୍ସ ଡିପେଣ୍ଡେନ୍ସ ଟ୍ରୀଟମେଣ୍ଟ ସେଣ୍ଟର ଦ୍ବାରା ପ୍ରସ୍ତୁତ କରାଯାଇଛି। ନିଶା ପ୍ରଭାବରେ ଯେଉଁ ଲୋକଙ୍କର ତୁରନ୍ତ ଚିକିତ୍ସା ଦରକାର ସେଥିରେ ୨୮ ଲକ୍ଷ ଲୋକ ୟୁପି, ୫.୭ ଲକ୍ଷ ପଞ୍ଜାବ ଓ ୪.୯ ଲକ୍ଷ ଲୋକ ଓଡିଶାରେ ରହିଛନ୍ତି।