ଜାତୀୟ ଅସମତା ସ୍ଥିତି ରିପୋର୍ଟ, ଓଡ଼ିଶାରେ ରକ୍ତହୀନତା ଉତ୍କଟ

ଭୁବନେଶ୍ୱର,୨୦/୫ : ଗତ ୫ ବର୍ଷରେ ରାଜ୍ୟରେ ଶିଶୁ ରକ୍ତହୀନତା ହାର ପାଖାପାଖି ୧୯ ପ୍ରତିଶତ ବଢ଼ିଯାଇଛି । ୨୦୧୫-୧୬ରେ ୫ ବର୍ଷରୁ କମ୍ ଶହେ ଶିଶୁଙ୍କ ମଧ୍ୟରୁ ୪୫ ଜଣ ରକ୍ତହୀନତାରେ ଆକ୍ରାନ୍ତ ଥିଲେ । ଏବେ ଏ ହାର ୬୪%କୁ ବଢ଼ି ଯାଇଛି । ୧୫ରୁ ୪୯ ବର୍ଷ ମହିଳାଙ୍କ କ୍ଷେତ୍ରରେ ୬୪.୪% ରକ୍ତହୀନତାର ଶିକାର ହେଉଛନ୍ତି । ୫ ବର୍ଷ ତଳେ ଏହି ହାର ୫୧% ଥିଲା । ଅର୍ଥାତ୍ ୧୩ ପ୍ରତିଶତରୁ ଅଧିକ ବଢ଼ିଗଲା ।
ରକ୍ତହୀନତାର ଏହି ଉଦ୍ବେଗଜନକ ଚିତ୍ର ପ୍ରକାଶ ପାଇଛି ଜାତୀୟ ଅସମତା (ଷ୍ଟେଟ୍ ଅଫ୍ ଇନିକ୍ୱାଲିଟି ଇନ୍ ଇଣ୍ଡିଆ) ରିପୋର୍ଟରେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟର ତଥ୍ୟର ତୁଳନାତ୍ମକ ବିଶେଷଣ କରି ବୁଧବାର ଏ ରିପୋର୍ଟ ପ୍ରକାଶ କରିଛି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ । ଏଥିରେ ଦର୍ଶାଯାଇଛି, ଗ୍ରାମାଞ୍ଚଳରେ ୬୫.୬% ଓ ସହରାଞ୍ଚଳରେ ୫୬.୨% ଶିଶୁ ରକ୍ତହୀନତାର ଶିକାର ହୋଇଛନ୍ତି । ଏହି ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୫-୪୯ ବର୍ଷ ବୟସ ଭିତରେ ୬୧.୮% ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଫଳରେ ପ୍ରସବ ବେଳେ ଅନେକ ମହିଳା ମୃତ୍ୟୁମୁଖରେ ପଡୁଛନ୍ତି । ସେମାନଙ୍କଠାରୁ ଜନ୍ମିତ ଶିଶୁ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି ।
ସବୁଠାରୁ ଚିନ୍ତାର ବିଷୟ ହେଲା ୧୫ରୁ ୧୯ ବର୍ଷ ଭିତରେ କିଶୋରୀଙ୍କ ମଧ୍ୟରୁ ୬୫.୫%ଙ୍କ ଦେହରେ ରକ୍ତହୀନତା ରହିଛି । ୨୦୧୫-୧୬ରେ ଏହା ୫୧ ପ୍ରତିଶତ ଥିଲା । ଏହି କିଶୋରୀମାନେ ବିବାହ ପରେ ସନ୍ତାନ ଜନ୍ମ ବେଳେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି । ଅର୍ଥାତ ରାଜ୍ୟରେ ଶହେରୁ ୬୬ ଜଣ କିଶୋରୀ ଏଥିରେ ପୀଡିତ ।
୫ ବର୍ଷରୁ କମ୍ ଶିଶୁଙ୍କ କ୍ଷେତ୍ରରେ ପୁଷ୍ଟିହୀନତା ଏବେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ । ୩୧% ଶିଶୁଙ୍କ ଉଚ୍ଚତା ସେମାନଙ୍କ ବୟସ ଅନୁଯାୟୀ କମ୍ ରହିଛି । ଦେଶରେ ଏହା ୩୫ ପ୍ରତିଶତ ଥିବା ବେଳେ ଓଡ଼ିଶା ଜାତୀୟ ହାରଠୁ ଭଲରେ ଅଛି । ୧୮% ଶିଶୁଙ୍କ ଓଜନ ଉଚ୍ଚତା ତୁଳନାରେ କମ୍ ରହିଛି । ୨୯.୭% ଶିଶୁଙ୍କ ଓଜନ ବହୁତ କମ୍ ରହିଛି । ଅର୍ଥାତ ଶହେରୁ ୩୦ ଜଣ ଶିଶୁ ଅପପୁଷ୍ଟିର ଶିକାର ବୋଲି ରିପୋର୍ଟରେ ଦର୍ଶାଯାଇଛି । ୨୦୧୫-୧୬ରେ ୩୪ ଜଣ ଶିଶୁ ଅପପୁଷ୍ଟିର ଶିକାର ହେଉଥିଲେ । ଏବେ ଏହା ୪% କମିଛି ସତ କିନ୍ତୁ ତଥାପି ଉଦବେଗଜନକ ରହିଛି । ଜାତୀୟ ସ୍ତରରେ ଏହି ହାର ୩୨% ରହିଛି ।
ଏବେ ରାଜ୍ୟରେ ଜନ୍ମ ହେଉଥିବା ପ୍ରତି ହଜାରେ ଶିଶୁଙ୍କ ମଧ୍ୟରୁ ୩୬ ଜଣ ପ୍ରାଣ ହରାଉଛନ୍ତି । ୨୦୧୫-୧୬ରେ ଏହା ୩୯ ଥିଲା । ୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ପ୍ରତି ହଜାରରେ ମୃତ୍ୟୁ ହାର ରହିଛି ୪୧ । ୫ ବର୍ଷ ତଳେ ଏହା ୪୮ ଥିଲା । ଅର୍ଥାତ ଶିଶୁ ମୃତ୍ୟୁହାର ରୋକିବାରେ ଆମେ କିଛି ମାତ୍ରାରେ ସଫଳ ହୋଇଛୁ, କିନ୍ତୁ ଏହା ଏବେ ବି ଚିନ୍ତାଜନକ ରହିଛି ।
ଦୁଇ ଦଶନ୍ଧି ତଳେ ଅନାହାର ମୃତ୍ୟୁ, ଛୁଆ ବିକ୍ରି ପାଇଁ ଓଡ଼ିଶା ସାରା ଦେଶରେ ଚର୍ଚ୍ଚାରେ ରହୁଥିଲା । ପୂର୍ବ ଭାରତର ଏହି ଭୂଖଣ୍ଡ ଭୋକର ଭୂଗୋଳ ଭାବେ ପରିଚିତ ଥିଲା । କିନ୍ତୁ ଗତ କିଛି ବର୍ଷ ଭିତରେ ଏସବୁକୁ ପଛରେ ଛାଡ଼ି ଆସିଛି ଆମ ରାଜ୍ୟ । ସରକାରଙ୍କ ଟଙ୍କିକିଆ ଚାଉଳ, ରେକର୍ଡ ପରିମାଣର ଧାନ ଉତ୍ପାଦନ, ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ହେଉ କିମ୍ବା ପଞ୍ଚାୟତିରାଜ ଅନୁଷ୍ଠାନକୁ ଅଧିକ ଅନୁଦାନ ଫଳରେ ଅନାହାର ମୃତ୍ୟୁ ରିପୋର୍ଟ କମିଗଲାଣି । ଛୁଆ ବିକ୍ରି ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଉନି ।
ଗତ ଦୁଇ ବଶନ୍ଧିରେ ଉତ୍କଟ ଭୋକ ଓ ଅନାହାର ଉପରେ ଆମେ ନିୟନ୍ତ୍ରଣ ଆଣିଛୁ ସତ କିନ୍ତୁ ଉଭା ହୋଇଛି ନୂଆ ଚ୍ୟାଲେଞ୍ଜ । ପୁଷ୍ଟିହୀନତା, କୁପୋଷଣ ଓ ରକ୍ତହୀନତା ପରି ଚ୍ୟାଲେଞ୍ଜ । ଏବେ ବି ଓଡ଼ିଶାରେ ଏହି ସମସ୍ୟା ଭୟଙ୍କର ଅବସ୍ଥାରେ ରହିଛି । ରକ୍ତହୀନତାର ମୁକାବିଲା ପାଇଁ ‘ଅମ୍ଲାନ’ ଯୋଜନା, ଅପପୁଷ୍ଟି ରୋକିବାକୁ ‘ସୋପାନ’ ଭଳି ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଭିଟାମିନଯୁକ୍ତ ଚାଉଳ, ଚୂନା ମାଛ ଦେବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।