ଜାତୀୟ ପାରା ଆଥଲେଟିକ୍ ଚାମ୍ପିଅନସିପ୍, ୧୦୦ ମିଟରରେ ଜୟନ୍ତୀଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର,୨୦/୦୩: ପୁନେରେ ଚାଲିଥିବା ଜାତୀୟ ପାରା ଆଥଲେଟିକ୍ ଚାମ୍ପିଅନସିପ୍ରେ ଓଡ଼ିଆ ଧାବିକା ଜୟନ୍ତୀ ବେହେରା ରବିବାର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ଟି-୪୭ ବର୍ଗର ୧୦୦ ମିଟରକୁ ସେ ୧୩.୩୭ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ଶନିବାର ଜୟନ୍ତୀ ୪୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ଲାଲୁ ପ୍ରସାଦ ସୋରେନ ଓ ପଙ୍କଜ ଭୁଏ ଗୋଟିଏ ଗୋଟିଏ ବ୍ରୋଞ୍ଜ ପଦକ ପାଇଛନ୍ତି । ଏଥିସହିତ ଓଡ଼ିଶା ଏ ପର୍ଯ୍ୟନ୍ତ ୩ଟି ସ୍ୱର୍ଣ୍ଣ ଓ ୪ଟି ବ୍ରୋଞ୍ଜ ସହ ମୋଟ୍ ୭ଟି ପଦକ ଜିତିଛି ।
ଜୟନ୍ତୀ ୧୦୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଆନ୍ଧ୍ରର ଭବାନୀ ରୌପ୍ୟ ଓ ଉତ୍ତରପ୍ରଦେଶର ତୃପ୍ତି ରାଜପୁତ ବ୍ରୋଞ୍ଜ ଜିତିଥିଲେ । ପୁରୁଷ ଟି-୧୨ ବର୍ଗ ୧୦୦ ମିଟରରେ ଲାଲୁ ପ୍ରସାଦ ୧୨.୫୬ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପାଇଥିଲେ । ମହାରାଷ୍ଟ୍ରର ଶୁଭମ ଅରୁଣ ସିଂହନାଥ (୧୨.୯୭) ସ୍ୱର୍ଣ୍ଣ ଏବଂ ଦିଲ୍ଲୀର ସୁଜିତ (୧୨.୨୫) ରୌପ୍ୟ ଜିତିଥିଲେ । ଟି-୧୩ ବର୍ଗ ୧୦୦ ମିଟରରେ ପଙ୍କଜ ମଧ୍ୟ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି ବର୍ଗରେ ଗୁଜରାଟର ମିଟ୍ ତଧାନି ସ୍ୱର୍ଣ୍ଣ ଏବଂ ହିମାଚଳର ଅଭନିଲ କୁମାର ରୌପ୍ୟ ପଦକ ଜିତିଥିଲେ ।