ମାଲକାନଗିରି, ୦୫/୦୯: ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର। ମାଲକାନାଗିରି ଜିଲ୍ଲାର କନ୍ଦେଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା ଓ କୋରାପୁଟ ଜିଲ୍ଲାରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କାର୍ଯ୍ୟରତ ତରୁଣ କୁମାର ଦାସଙ୍କୁ ଆଜି ଦିଲ୍ଲୀଠାରେ ରାଷ୍ଟ୍ରପତି ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୫୦ ହଜାର ଟଙ୍କା ନଗଦ ରାଶି ଓ ମାନପତ୍ର ସହିତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି, ଭାରତର ମାନ୍ୟବର ଶିକ୍ଷାମନ୍ତ୍ରୀ , ଶିକ୍ଷା ରାଜ୍ୟ ମନ୍ତ୍ରୀ ଏବଂ ଭାରତର ଶିକ୍ଷା ସଚିବ ମଧ୍ୟ ଉପସ୍ଥିତ ଥିଲେ। ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଶିକ୍ଷକମାନଙ୍କ ସହିତ ଭାବ ବିନିମୟ କରି ଶୁଭେଚ୍ଛା ଜଣାଇଥିଲେ। 

ଶିକ୍ଷା କ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ଏହି ଶିକ୍ଷକ ଦ୍ବୟଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପରେ ଶୁଭେଚ୍ଛାର ସୁଅ ଛୁଟିଛି। ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହି ଗୌରବମୟ ମୁହୂର୍ତ୍ତରେ ଜିଲ୍ଲା ଓ ରାଜ୍ୟକୁ ଗୌରବାନ୍ଵିତ କରିଥିବା ଏହି ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ନୂଆଦିଲ୍ଲୀ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷକଦ୍ବୟଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।