ମଣିଷ ନଥିବା ଏକ ଦ୍ୱୀପ, ଯେଉଁଠି ଶୁଭୁଥାଏ ପକ୍ଷୀର ଗୀତ, ମୟୂରର ଡାକ ସହ ତାଳଦେଇ ସମୁଦ୍ର ଲହଡ଼ିର ରେଶମୀ ସଙ୍ଗୀତ । ମନେହୁଏ ଏହି ସଙ୍ଗୀତରେ ମତୁଆଲା ହୋଇ ବିରାଟ ବୃକ୍ଷରାଜି ଖୁସିରେ ନୃତ୍ୟ କରୁଛନ୍ତି । ଏଠି ପ୍ରକୃତି ଦେଖାଇ ଦେଇଛି ଯେ, ମଣିଷ ଯେତେ ବଡ଼ କରିତ୍କର୍ମା ହେଉ, ଯେତେ ବଡ଼ ସହର ଗଢ଼ିଦେଉ ପଛେ, ପରିଶେଷରେ ପ୍ରକୃତିର ଗୋଟିଏ ଫୁତ୍କାର ହିଁ ସବୁକିଛି ଶେଷ କରିଦେଇପାରେ । ମଣିଷ ଚାଲିଯିବା ପରେ, ଗଛ-ଲତା-ଜୀବଜନ୍ତୁ ଅଳ୍ପ କିଛି ସମୟ ଭିତରେ ସେସବୁକୁ ଆବୋରି ନେବେ ଓ ସେହି କୃତ୍ରିମ, ନିର୍ଜୀବ ଇଟା ପଥର କାନ୍ଥ କବାଟରେ ଜୀବନ ଭରିଦେଇ ପାରିବେ ।

ଏହା ଏକ ଜୀବନ୍ତ ପ୍ରମାଣ ଯେ, ପୃଥିବୀ ଆମର ନୁହେଁ, ଆମେ କେବଳ ଏହାର ଅତିଥି । ମାଲିକ ତ କେବଳ ପ୍ରକୃତି । ମୁଁ କହୁଛି ‘ରସ୍ ଦ୍ୱୀପ କଥା’ । ଏହି ଦ୍ୱୀପକୁ ଦେଖିଲେ ମନେହୁଏ, ପ୍ରକୃତି ନିଜେ କହୁଛି "ତୁମେ ଗଲା ପରେ ମୋର ସ୍ପର୍ଶ ଏହି ସ୍ଥାନକୁ ଆଉ ସୁନ୍ଦର କରିପାରିବ । ରସ୍ ଦ୍ୱୀପ (Ross Island), ଭାରତର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଏକ ଐତିହାସିକ ଓ ପର୍ଯ୍ୟଟନସ୍ଥଳୀ । ଏହା ପୋର୍ଟ ବ୍ଲେୟାରଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଏବଂ ବର୍ତ୍ତମାନର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ନାମରେ ପରିଚିତ । ୨୦୧୮ ଡିସେମ୍ବର ୩୦ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନାମ ପରିବର୍ତ୍ତନ କରି ନେତାଜୀଙ୍କ ନାମରେ ନାମିତ କରିଥିଲେ। ଏହି ଦ୍ୱୀପରେ ନେତାଜୀ ପ୍ରଥମ ଥର ପାଇଁ ୧୯୪୩ ଡିସେମ୍ବର ୨୯ ତାରିଖରେ ଭାରତର ସ୍ୱାଧୀନ ତ୍ରିବର୍ଣ୍ଣ ଧ୍ୱଜା ଉତ୍ତୋଳନ କରିଥିଲେ, ଯାହା ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ।

୧୮୫୮ ମସିହାରେ ବ୍ରିଟିଶମାନେ ଏହି ଦ୍ୱୀପକୁ ଆଣ୍ଡାମାନର ପ୍ରଶାସନିକ ମୁଖ୍ୟାଳୟ ଭାବେ ବ୍ୟବହାର କରିଥିଲେ । ଏଠାରେ ବ୍ରିଟିଶ ଅଫିସରମାନଙ୍କ ବଙ୍ଗଳା, ବଜାର, ଚର୍ଚ୍ଚ, ହସ୍ପିଟାଲ୍, ଟ୍ରେଜେରି, ପ୍ରିଣ୍ଟିଙ୍ଗ ପ୍ରେସ୍ ଓ ବେକେରି ଆଦି ନିର୍ମାଣ କରାଯାଇଥିଲା । ଏହାକୁ "ମିନି ପ୍ୟାରିସ୍' ନାମରେ ଡକାଯାଉଥିଲା, କାରଣ ଏଠାକାର ସୌନ୍ଦର୍ଯ୍ୟ ଓ କାରୁକାର୍ଯ୍ୟ ଅତୀବ ଆକର୍ଷଣୀୟ ଥିଲା । ଆମେ ଯେବେ ଏହି ରସ୍ ଦ୍ୱୀପ ଦେଖିଲୁ ଆଶ୍ଚର୍ଯ୍ୟ ହେଲୁ ଜାଣି ଯେ, ଇଂରେଜମାନଙ୍କ ସମୟରେ ମଧ୍ୟ ଏଠାରେ ବିଦ୍ୟୁତ ସଂଯୋଗର ଭଲ ବ୍ୟବସ୍ଥା ଥିଲା । ନୃତ୍ୟ ପାଇଁ ଉଦ୍ଦିଷ୍ଟ ସ୍ଥାନ ରହିଥିଲା । ପିଲାଙ୍କ ପାଇଁ ପାର୍କ ସୁବିଧା ରହିଥିଲା । ଅନେକ ଅତ୍ୟାଧୁନିକ ବନ୍ଦୋବସ୍ତ ଦେଖି ପ୍ରଶଂସା କରିବାକୁ ଇଚ୍ଛାହୁଏ । ତେବେ ୧୯୪୧ ମସିହାରେ ଭୂମିକମ୍ପ ଓ ୧୯୪୨ ମସିହାରେ ଜାପାନୀ ଆକ୍ରମଣ ଯୋଗୁଁ ଏହି ଦ୍ୱୀପ ଧ୍ୱଂସପ୍ରାପ୍ତ ହୋଇଯାଇଥିଲା ।

ବ୍ରିଟିଶମାନେ ଏହା ଛାଡ଼ି ପୋର୍ଟ ବ୍ଲେୟାରକୁ ସ୍ଥାନାନ୍ତରିତ ହୋଇଥିଲେ । ବର୍ତ୍ତମାନ ଏହି ଦ୍ୱୀପକୁ ଗଛଗୁଡ଼ିକ ଏକ ଅଲଗା ରୂପରେ ସଜାଇଛନ୍ତି । ବ୍ରିଟିଶ କମିଶନରଙ୍କ ବଡ଼ ବଙ୍ଗଳାର ବାରଣ୍ଡାରେ ଶତାୟୁ ବଟଗଛ, ଅଶ୍ୱତ୍ଥ ଓ ଶାଳିନ୍ଦି ଗଛ ସବୁ ବିରାଜମାନ । ସେମାନଙ୍କ ବିଶାଳ କୋରଡ଼ମାନଙ୍କରେ ହଜାର ହଜାର ପକ୍ଷୀ ବାସ କରୁଛନ୍ତି ଓ ସେମାନଙ୍କ ସୁନ୍ଦର କଳରବରେ ଏହି ବଙ୍ଗଳାର ହତାକୁ ଭରିଦେଉଛନ୍ତି । ଗଛର ଚେର ଏପରି ଭାବେ ଇଟା ସିମେଣ୍ଟର ଭାଙ୍ଗିରୁଜି ଯାଇଥିବା ଘର କବାଟ ଓ ଝରକାଗୁଡିକୁ ଶକ୍ତ କରି ଧରିଛନ୍ତି ଯେ, ଏହି କୋଠା ଓ ବୃକ୍ଷ ଦୁହେଁ ଅଭିନ୍ନ । ଚର୍ଚ୍ଚର ଗମ୍ବୁଜ ଓ ବେଦି ଉପରେ ଗଛ ହୋଇ ବଡ଼ ହୋଇଯାଇଛି, ଯାହା ଦେଖିଲେ ଲାଗେ ପ୍ରକୃତି ମଣିଷର ଧର୍ମସ୍ଥଳୀକୁ ମଧ୍ୟ ନିଜର ମନ୍ଦିର କରିନେଇଛି । ଲତା-ଗୁଳ୍ମ ଓ ଫଙ୍ଗସ୍ କୋଠାଗୁଡ଼ିକର ରଙ୍ଗ ବଦଳାଇ ଦେଇଛନ୍ତି । ପୁରୁଣା ଇଟା ଉପରେ ସବୁଜ ଓ ନୀଳ ରଙ୍ଗର ଶୈବାଳ ଜମିଯାଇଛି । ଯେମିତି ପ୍ରକୃତି ନିଜ ହାତରେ ଏକ ନୂଆ ପେଣ୍ଟିଂ କରୁଛି ଓ କରିଚାଲିଛି । ଲତାଗୁଡ଼ିକ ଝୁଲି ହୋଇ ବଙ୍ଗଳାର ଝରକା ଓ ଦୁଆରକୁ ବନ୍ଦ କରିଦେଇଛନ୍ତି । ବଲ୍ରୁମ୍ର ଚଟାଣ, ଯେଉଁଠି ବ୍ରିଟିଶ ଅଫିସରମାନେ ନାଚୁଥିଲେ ସେହି ସ୍ଥାନରେ ପ୍ରକୃତି ଏକ ଛୋଟିଆ ପୋଖରୀ ଗଢିଛି, ଯେଉଁଠି କଇଁଛମାନେ ରହୁଛନ୍ତି । ସୁଇମିଂ ପୁଲ୍ରେ ବର୍ଷାପାଣି ଜମି ତାହା ଏକ ପ୍ରାକୃତିକ ଜଳାଶୟ ହୋଇଗଲାଣି, ଯେଉଁଠି ହରିଣ ପାଣି ପିଉଛନ୍ତି । ଜନ୍ତୁମାନେ ମାଲିକ ଏହି ଭୂଖଣ୍ଡର । ମୟୂର ଚର୍ଚ୍ଚର ବେଦି ଉପରେ ନାଚୁଛି । ହରିଣମାନେ କମିଶନରଙ୍କ ବଙ୍ଗଳା ବାରଣ୍ଡାରେ ରହୁଛନ୍ତି ।

ଏହି ଛୋଟିଆ ଦ୍ୱୀପ ମାତ୍ର ୦.୩୨ ବର୍ଗ କି.ମି. । ମଣିଷଙ୍କ ବସତି ନଥିବାରୁ ପ୍ରକୃତିର ଏକ ଅପୂର୍ବ ଅଭୟାରଣ୍ୟ ହୋଇଗଲାଣି । ମୟୂର ଓ ଚିତ୍ତଲ ହରିଣ ତ ସବୁଠି ଦେଖାଯାଏ, ଏହାଛଡ଼ା ଆହୁରି ଅନେକ ଜୀବଜନ୍ତୁ ଏଠାରେ ମୁକ୍ତ ବିଚରଣ କରନ୍ତି । ଧଳା ବକ, ଆଣ୍ଡାମାନ ଟିଲ୍, ସମୁଦ୍ର ଈଗଲ, କିଙ୍ଗଫିଶର ବହୁତ ଦେଖାଯାଆନ୍ତି । ରାସ୍ତାରେ ଚାଲବୁଲ କରନ୍ତି । ଆଣ୍ଡାମାନ ଦେଶୀ ଏଣ୍ଡୁଅ ବହୁତ ବଡ଼ ବଡ଼ ପ୍ରାୟ ୪-୫ ଫୁଟ । ଏମାନେ ପୁରୁଣା ଭବନ ଭିତରେ ଓ ବାହାରେ ବୁଲନ୍ତି । ପର୍ଯ୍ୟଟକଙ୍କୁ ଦେଖିଲେ ଭୟ କରନ୍ତି ନାହିଁ । ଦ୍ୱୀପ ଚାରିପାଖେ ଅଳ୍ପ ଗଭୀର ପାଣି ଥିବାରୁ ବହୁପ୍ରକାର ରଙ୍ଗୀନ ମାଛ, ସମୁଦ୍ର କଇଁଛ, ଷ୍ଟାରଫିଶ, କ୍ରାବ୍ ଓ କେତେକ ସମୟରେ ଡଲଫିନ୍ ଦୂରରୁ ଦେଖାଯାଏ । ସବୁଠାରୁ ବଡ଼ କଥା, ଏଠାକାର ଜୀବଜନ୍ତୁମାନେ ମଣିଷଠାରୁ ବେଶି ଭୟ କରନ୍ତି ନାହିଁ । ହରିଣ ଆପଣଙ୍କ ହାତରୁ ଖାଇବା ମାଗେ, ମୟୂର ଆପଣଙ୍କ ସାମ୍ନାରେ ନାଚେ, ବଡ଼ ଏଣ୍ଡୁଅ ଆପଣଙ୍କ ପାଖଦେଇ ଚାଲିଯାଏ । ଏହା ଯେମିତି ଏକ ଜଙ୍ଗଲର ସହର ନୁହେଁ, ବରଂ ଏକ ଜୀବନ୍ତ ପ୍ରାଣୀ ରାଜ୍ୟ! ଏହାର ବର୍ତ୍ତମାନର ମନୋରମ ପରିବେଶ ଦେଖି ମନେହେଲା, ମଣିଷ ତିଆରି କରିଥିବା ଏହି ଦ୍ୱୀପଠାରୁ ପ୍ରକୃତିର କାରୁକାର୍ଯ୍ୟପୂର୍ଣ୍ଣ ଏହି ଅଞ୍ଚଳର ସୌନ୍ଦର୍ଯ୍ୟର ତୁଳନା ନାହିଁ । କାରଣ ପ୍ରକୃତିର ଏହି ନିର୍ମାଣରେ ଗଛଲତା, ପଶୁପକ୍ଷୀ, ଶୈବାଳ, ସାମୁଦ୍ରିକ ଜୀବସମୂହ, ସମସ୍ତ ଜୀବନ୍ତ ଉପାଦାନମାନଙ୍କ ଭୂମିକା ରହିଛି । ତେଣୁ ଏଠାକାର ପରିବେଶ ଜୀବନରେ ଭରପୂର ।

ଏଠାରେ ଥରେ ଆମ ଆବଶ୍ୟକତା, ଆମ ସ୍ୱାର୍ଥଠାରୁ ଊଦ୍ଧ୍ୱର୍କୁ ଉଠି ଦେଖିବାକୁ ଯଦି ଚେଷ୍ଟା କରିବା, ତା'ହେଲେ ଆମେ ଦେଖିପାରିବା ପ୍ରକୃତି କିପରି ମଣିଷର ପୁରୁଣା ସହରକୁ ନିଜର କରିନେଇଛି । ମନେହୁଏ, ଆମ ଅଭିମାନ, ଆମ ଅହଂକାର, ଗର୍ବ, ସବୁକିଛି ଏହି ପ୍ରକୃତି ଆଗରେ କିଛି ନୁହଁ । ଆମ ଅବସ୍ଥିତି ଏହି ବିଶାଳ ଜୀବଜଗତରେ ନଗଣ୍ୟ । ତେଣୁ ଗୁଡେ ନିର୍ଜୀବ, ମୂଲ୍ୟହୀନ ପଦାର୍ଥରେ ପୃଥିବୀକୁ ଭରିଦେଇ, ବ୍ରହ୍ମାଣ୍ଡକୁ ଉତ୍ତେଜିତ କରି, ନିଜକୁ ଶ୍ରେଷ୍ଠଜୀବ ବିଚାରିବା ଅପେକ୍ଷା, ପ୍ରକୃତି ସହ ମିଶି, ଆମେ ମନ ତଥା ପ୍ରାଣରେ ପ୍ରାକୃତିକ ହୋଇଯିବା ଓ ଦିନେ ଏହି ମହାଜାଗତିକ ସ୍ପନ୍ଦନରେ ନିଜକୁ ହଜାଇଦେବା ଅନ୍ୟ କୋଟି କୋଟି ଜୀବ ଭଳି ।