ଦାୟିତ୍ୱ ନେଲେ, କାଳିଆ ଦେଲେ; ପ୍ରଥମ ଦିନରେ ହିଁ ପ୍ରତିଶ୍ରୁତି ପୂରଣ କଲେ ନବୀନ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ପ୍ରଥମ ଦିନରେ ହିଁ ପ୍ରତିଶ୍ରୁତି ରଖିଲେ ନବୀନ । ଲଗାତାର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କେଇ ଘଣ୍ଟା ଭିତରେ ୮ ଲକ୍ଷ ୪୦ ହଜାର ‘କାଳିଆ’ ହୀତାଧିକାରୀଙ୍କ ଜମାଖାତାକୁ ଟଙ୍କା ପଠାଯାଇଛି ।
କେବଳ ସେତିକି ନୁହେଁ, ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ‘କାଳିଆ’ ହୀତାଧିକାରୀ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରାଯାଇଛି । ଅତିରିକ୍ତ ୩୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରଥମ କ୍ୟାବିନେଟ୍ରେ ପ୍ରଥମ ନିଷ୍ପତ୍ତିରେ ମହିଳାମାନଙ୍କ ପାଇଁ ମଧ୍ୟ ଭଣ୍ଡାର ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସାୟ ସୁଯୋଗ ଘୋଷଣା କରିଛନ୍ତି । ଧାନ ସଂଗ୍ରହ ଠାରୁ ମଧ୍ୟାହ୍ନ ଭୋଜନ ଯୋଗାଇବା ପର୍ଯ୍ୟନ୍ତ କାମ ମିଳିବ ଏସ୍ଏଚ୍ଜିଙ୍କୁ ।
ଭୋଟ୍ ପୂର୍ବରୁ ନବୀନ ଘୋଷଣା କରିଥିଲେ, ସରକାର ଗଠନର ପ୍ରଥମ ଦିନରେ ହିଁ ବାଦ୍ ପଡ଼ିଥିବା ହୀତାଧିକାରୀଙ୍କୁ ମିଳିବ ‘କାଳିଆ’ ଯୋଜନାର ଦୁଇଟି କିସ୍ତି ଟଙ୍କା । ନିର୍ବାଚନ ଆଚରଣ ବିଧି ଆଳରେ ଅତିରିକ୍ତ ହୀତାଧିକାରୀଙ୍କ ଜମାଖାତାକୁ ଟଙ୍କା ପଠାଇବା ବନ୍ଦ କରିଦେଇଥିଲେ । ନବୀନ ଏକଥା ବି ପ୍ରତିଶ୍ରୁତି ଦେଇଥିଲେ, ଜଣେ ବି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବାଦ୍ ପଡ଼ିବେ ନାହିଁ । ମହିଳା ଏସ୍ଏଚ୍ଜିଙ୍କୁ ୫୦୦୦ କୋଟି ଟଙ୍କାର ସରକାରୀ କାମ ଦିଆଯିବ ବୋଲି ମଧ୍ୟ କଥା ଦେଇଥିଲେ ନବୀନ ।
କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଅତିରିକ୍ତ ୩୨.୩୪ ଲକ୍ଷ କୃଷକ ପରିବାର ମଧ୍ୟରୁ ୧୬.୭୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୫.୬ ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାରକୁ ଏହି କାଳିଆ ଯୋଜନାରେ ସହାୟତା ଅର୍ଥ ଯୋଗାଇ ଦିଆଯିବ । ଏହା ବ୍ୟତୀତ ପୂର୍ବରୁ ସହାୟତା ପାଇଥିବା ୪୨.୬୫ ଲକ୍ଷ କୃଷକ ପରିବାରକୁ ଚଳିତ ବର୍ଷ ନିର୍ଦ୍ଧାରିତ କାଳିଆ ଯୋଜନା ଯୋଗାଇ ଦିଆଯିବ । ଏହି ଯୋଜନାରେ ଆଜି ୮.୪ ଲକ୍ଷ ଚାଷୀ ପରିବାରକୁ ପ୍ରଥମ କିସ୍ଥି ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ୨୫ ଲକ୍ଷ ଚାଷୀଙ୍କୁ ଆସନ୍ତା ୭ ଦିନ ଭିତରେ ଟଙ୍କା ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅତିରିକ୍ତ ସଂଖ୍ୟାକୁ ମିଶାଇଲେ କାଳିଆ ଯୋଜନା ହତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୦ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭାଗ ଚାଷୀ । ଅବଶିଷ୍ଟ ୨୫ ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାର । ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇଥିବା ୪୨.୬୫ ଲକ୍ଷ କୃଷି ପରିବାରଙ୍କୁ କାଳିଆ ସହାୟତା ରାଶି ଯୋଗାଇ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୩୩.୨୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଏବଂ ୯.୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାର ।
୧୦ଟି ବିଭାଗରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟବସାୟର ସୁଯୋଗ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଏଣିକି ଅଙ୍ଗନବାଡି କେନ୍ଦ୍ରକୁ ପ୍ରାକ୍ ବିଦ୍ୟାଳୟ ୟୁନିଫର୍ମ ଯୋଗାଇବେ । ଏହା ସହ ଧାନ ସଂରକ୍ଷଣ, କିରୋସିନ ଡିଲରସିପ୍, ମଞ୍ଜି ଉତ୍ପାଦନ, ମଧ୍ୟାହ୍ନ ଭୋଜନ ପରିଚାଳନା, ମାଣ୍ଡିଆ ଲଡୁ ଯୋଗାଣ, ଚାରା ରୋପଣ ଏବଂ ଜଙ୍ଗଲ ଜାତ ଦ୍ରବ୍ୟର ମାନବୃଦ୍ଧି, ସହରାଞ୍ଚଳରେ ବିଭିନ୍ନ ସେବା, ଗ୍ରାମପଞ୍ଚାୟତ ପୋଖରୀରେ ମାଛ ଚାଷ, ହସ୍ପିଟାଲ୍କୁ ଖାଦ୍ୟ ଯୋଗାଣ, ସାନିଟାରୀ ନାପକିନ୍, ମଶାରୀ ଯୋଗାଣ, ଗ୍ରାମ୍ୟ ସଡ଼କ ରକ୍ଷଣାବେକ୍ଷଣ ଏବଂ ଇଲେକ୍ଟ୍ରି ମିଟର ରିଡିଂ ଓ ବିଲ୍ ଆଦାୟ ଆଦି କାର୍ଯ୍ୟ କରିବେ । ପ୍ରତ୍ୟେକ ବିଭାଗ ସହିତ ଏନେଇ ନିର୍ଦ୍ଦିଷ୍ଟ ବୁଝାମଣାପତ୍ର ସ୍ୱାକ୍ଷର ହେବ ।
ବର୍ତ୍ତମାନସୁଦ୍ଧା ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳା ମିଶନ ଶକ୍ତିରେ ସାମଲ ହୋଇଛନ୍ତି । ସାରା ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ଏହା ବିପ୍ଳବ ସୃଷ୍ଟି କରିଛି । ସେମାନଙ୍କ ଚିରସ୍ଥାୟୀ ରୋଜଗାର ପନ୍ଥା ସୃଷ୍ଟି କରିବା ତଥା ଦୀର୍ଘମିଆଦି ଜୀବିକା ପ୍ରଦାନ ପାଇଁ ମିଶନ ଶକ୍ତି ପ୍ରୟାସ କରୁଛି । ସେଥିଲାଗି ଏସ୍ଏଚ୍ଜିର ମହିଳା ଉଦ୍ୟୋଗୀମାନଙ୍କୁ ସରକାରୀ କାର୍ଯ୍ୟକ୍ରମ ସହ ଯୋଡ଼ା ଯାଉଛି । ଏହା ଜ୍ୱଳନ୍ତ ଉଦାହରଣ ହେଉଛି ସାରା ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ୭୨, ୧୮୭ ଗୋଟି ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ଘରକୁ ନେବା ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ଯୋଗାଇ ଦେଉଛନ୍ତି । ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକ୍ରମ ଅଧୀନରେ ୨୫, ୬୩, ୯୫୨ ସଂଖ୍ୟକ ଗର୍ଭବତୀ ମହିଳା, ପ୍ରସୂତି ମା, ୬ ମାସରୁ ୩ ବର୍ଷ ଶିଶୁ ଏବଂ ୬ ମାସରୁ ୬ ବର୍ଷ ପୃଷ୍ଟିହୀନ ଶିଶୁଙ୍କୁ ଘରକୁ ନେବା ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ଛତୁଆ ଗହମ, ବୁଟ, ବାଦାମ ଏବଂ ଚିନିର ସମିଶ୍ରଣରେ ପ୍ରସ୍ତୁତ ହୋଇ ୬୬୧ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରଦାନ କରାଯାଉଛି । ତୃଣମୂଳସ୍ତରରେ ଏସ୍ଏଚ୍ଜିର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ପୃଷ୍ଟିହୀନତା ଦୂରୀକରଣ ଦିଗରେ ଏହା ଓଡ଼ିଶାର ଅନନ୍ୟ ମଡେଲ ।