PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

‘କାଳିଆ’କୁ କେହି ରୋକି ପାରିବେନି,୧୨.୪୫ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ୬୦୦ କୋଟି

ପୁରୀ, ୨୫ା୧(ବ୍ୟୁରୋ): ପୁରୀରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବହୁପ୍ରଶଂସିତ ଫ୍ଲାଗସିପ୍‌ ଯୋଜନା ‘କାଳିଆ’ । ଅନ୍ନଦାତା ବା ଚାଷୀମାନଙ୍କ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରି ୧୨.୪୫ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୬୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀ, ଭାଗଚାଷୀ, ଭୂମିହୀନ ପରିବାର ଓ କୃଷି ଶ୍ରମିକ ସାମିଲ ହେବେ । ‘କାଳିଆ’ ଯୋଜନାକୁ କେହି ରୋକିପାରିବେ ନାହିଁ । ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ପ୍ରତି ରବି ଓ ଖରିଫ୍‌ ଫସଲ ପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଯୋଗେ ୫ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । “ଆପଣମାନେ ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି । ଆପଣମାନେ ଦେଉଥିବା ଚାଉଳରେ ମହାପ୍ରସାଦ ହେଉଛି । ଆପଣ ଦେଉଥିବା ପରିବା ମହାପ୍ରସାଦରେ ଲାଗୁଛି । ଆପଣମାନେ ଏକ ମହାନ କାର୍ଯ୍ୟ କରୁଛନ୍ତି । ପବିତ୍ର କାର୍ଯ୍ୟ କରୁଛନ୍ତି । ତେଣୁ ଏହି ଯୋଜନାର ନାମ ମୁଁ କାଳିଆ ରଖିଲି ବୋଲି ପୁରୀ ମାଳତୀପାଟପୁର ନିକଟ ରାହାଙ୍ଗିରିଆ ଠାରେ ଅନୁଷ୍ଠିତ ‘କାଳିଆ’ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ଲକ୍ଷାଧିକ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନଦାତା ବୋଲି ସମ୍ବୋଧନ କରିଛନ୍ତି । ମୁଁ ଚାହେଁ ଆମର ଅନ୍ନଦାତାମାନେ ଭଲରେ ରୁହନ୍ତୁ । କେବଳ ଗୋଟିଏ ଥର ସାହାଯ୍ୟ କଲେ, ସମସ୍ୟା ଦୂର ହେବନାହିଁ । ତେଣୁ ଏପରି ଯୋଜନା ହେବା ଦରକାର ଯେପରି ଆପଣମାନେ ସବୁ ଫସଲରେ ସବୁ ଋତୁରେ ସାହାଯ୍ୟ ପାଇପାରିବେ । ସେଥିପାଇଁ ଏ କାଳିଆ ଯୋଜନା । ଏହା ଦ୍ୱାରା ଆପଣ ୩ବର୍ଷରେ ୬ଟି ଋତୁରେ ସାହାଯ୍ୟ ପାଇବେ ବୋଲି ନବୀନ କହିଛନ୍ତି ।
ଖରିଫ୍‌ ଫସଲ ପାଇଁ ଆପଣଙ୍କୁ ଅକ୍ଷୟ ତୃତୀୟା ଦିନ ମିଳିବ ପାଞ୍ଚ ହଜାର ଟଙ୍କା । ରବି ପାଇଁ ନୂଆଖାଇ ଦିନ ମିଳିବ ପାଞ୍ଚହଜାର ଟଙ୍କା । ଏ ଟଙ୍କା ସିଧା ଆପଣଙ୍କ ଆକାଉଣ୍ଟକୁ ଯିବ । ଆପଣମାନେ ଜାଣିରଖନ୍ତୁ, କାଳିଆକୁ କେହି ରୋକିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଡାଇରେକ୍ଟ ବ୍ୟାଙ୍କ ଟ୍ରାଞ୍ଜାକସନ୍‌ ସୁଇଚ୍‌ ଟିମ୍‌ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ବାବଦ ୫ ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ମିଶନ ଶକ୍ତି ସମାବେଶରେ ମହିଳାଙ୍କୁ ନିଜ ସହ ମଞ୍ଚ ଉପରେ ଅତିଥି ଚେୟାରେ ବସାଇବା ଭଳି ଏହି ଚାଷୀ ସମାବେଶରେ ୪ ଜଣ ଚାଷୀଙ୍କୁ ଅତିଥି ଚେୟାରରେ ବସାଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ସମସ୍ତ ନେତା, ମନ୍ତ୍ରୀ, ବିଧାୟକ, ସାଂସଦମାନେ ମଞ୍ଚ ତଳେ ବସିଥିଲେ । ମଞ୍ଚ ଉପରେ ଏହି ଚାରି ସମ୍ମାନିତ ଅତିଥି ଥିଲେ ପୁରୀର ଗନ୍ଧର୍ବ ପରିଡା, ଦେବଗଡର ବିଜେଡି କୃଷକ ମୋର୍ଚ୍ଚା ସଭାପତି ପ୍ରସନ୍ନ କୁମାର ପଲେଇ, କୋରାପୁଟର ତପନ କୁମାର ପଣ୍ଡା ଏବଂ ମୟୂରଭଞ୍ଜର ସଞ୍ଜିତ୍‌ ମହାନ୍ତି । ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ, ‘ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ । ଆପଣମାନଙ୍କୁ ମୋର ନମସ୍କାର ଓ ଜୁହାର । ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି । ଆଜି କାଳିଆ କାର୍ଯ୍ୟକ୍ରମ ପାଇଁ ୧୨.୪୫ ଲକ୍ଷ ଚାଷୀମାନଙ୍କୁ ପ୍ରଥମ ପର୍ଯ୍ୟାୟ ଟଙ୍କା ଟଙ୍କା ପଠାଇଛି । ଆଜି ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ‘କାଳିଆ’ ଯାତ୍ରା ଆରମ୍ଭ କଲି । କାଳିଆ ଯାତ୍ରାକୁ କେହି ରୋକିପାରିବେ ନାହିଁ । ଓଡ଼ିଶା ଅର୍ଥନୈତିକ ବିକାଶରେ ଏହା ଏକ ମାଇଲ ଖୁଣ୍ଟ ହୋଇ ରହିବ । କାଳିଆ ଯୋଜନା ଦ୍ୱାରା ଆପଣମାନଙ୍କର ଚାଷ ବାସ ଭଲ ହେବ । ଆପଣଙ୍କ ପରିବାରର ଉନ୍ନତି ହେବ । ଏହି ଯୋଜନା ସାରା ଦେଶକୁ ବାଟ ଦେଖାଇବ ।’
ଆଜି ପ୍ରଦାନ କରାଯାଇଥିବା ସହାୟତା ରାଶିରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ୧ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀଙ୍କୁ ସହାୟତା ମିଳିଛି । ପ୍ରଥମ ପର୍ଯ୍ୟାୟରେ ତାଲିକାଭୁକ୍ତ ସମୁଦାୟ ୧୨.୪୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ସାଢ଼େ ୧୦ ଲକ୍ଷ ଚାଷୀଙ୍କ ମୋବାଇଲ୍‌ ନମ୍ବର ସରକାରଙ୍କ ନିକଟରେ ରହିଛି । ସହାୟତା ରାଶି ଟ୍ରାନ୍ସଫର ପରେ ସେମାନଙ୍କୁ ମୋବାଇଲ୍‌ରେ ଏ ସମ୍ପର୍କରେ ମେସେଜ୍‌ ପଠାଯାଇଛି ।
ସଭା ଉପରେ ୧୦ ଜଣ ଚାଷୀଙ୍କୁ କାଳିଆ ସହାୟତା ପତ୍ର ବଣ୍ଟନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଭିନେତା କୁନା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ସମାବେଶକୁ ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ ଲୋକେ ଦେଖିବା ନିମନ୍ତେ ବ୍ୟବସ୍ଥା ହୋଇଥିଲା । ହେଲେ ପ୍ରାୟ ଲକ୍ଷେ ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା । ସମାବେଶ ସ୍ଥଳ ନିକଟରେ ହୋଇଥିବା ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଦିନ ୧୨ଟା ୪୫ରେ ପହଞ୍ଚିଥିଲେ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ସ୍କୁଲ ଖେଳପଡ଼ିଆରେ କରାଯାଇଥିବା ହେଲିପ୍ୟାଡରେ ଅବତରଣ କରି ଶ୍ରୀମନ୍ଦିର ଦର୍ଶନ ନିମନ୍ତେ ଯାଇଥିଲେ । ସେଠାରୁ ସମାବେଶ ସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମ ସାରିବା ପରେ ଭୁବନେଶ୍ୱର ଫେରି ଯାଇଥିଲେ ।

ସମ୍ବନ୍ଧିତ ଖବର