ଭୁବନେଶ୍ଵର, ୩୦/୦୩ : ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼। ବେଙ୍କ ମନ୍ତବ୍ୟକୁ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ନିନ୍ଦା ପରେ ଏବେ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ,"ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ ନେଇ ଯାହା କହିଲେ ତାହା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। ସେ ଜାଣି ନାହାନ୍ତି ଯେ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ନିଜ କାର୍ଯ୍ୟାଳୟକୁ ବିଜୁ ବାବୁଙ୍କୁ ଡକାଇଥିଲେ। ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ। ମୁଁ ସେ ସମୟରେ ୧୩ ବର୍ଷ ବୟସର ଥିଲି। ଦୁବେଙ୍କୁ ମନସ୍ତତ୍ୱବିତ୍ତଙ୍କୁ ଦେଖାଇବା କଥା।"

ସୂଚନାନୁଯାୟୀ, ଝାଡ଼ଖଣ୍ଡରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଥିବା ବିଜେପିର ନିଶିକାନ୍ତ ଦୁବେ ଶୁକ୍ରବାର ୧୯୬୨ ଚୀନ୍‌ ଯୁଦ୍ଧ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଆମେରିକା ସରକାରଙ୍କ ଟଙ୍କା ଓ ସିଆଇଏ ସହାୟତାରେ ଚୀନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିଲେ । ଆମେରିକା ଓ ସିଆଇଏ ସହିତ ନେହରୁଙ୍କ ଲିଙ୍କ୍‌ ଥିଲେ ତତ୍‌କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଆମେରିକା ରାଷ୍ଟ୍ରଦୂତଙ୍କ ପାଖକୁ ନେହରୁ ଲେଖିଥିବା ଦୁଇଟି ଚିଠିର ଅବତାରଣା କରି ଦୁବେ କହିଛନ୍ତି ନେହରୁ ବିଜୁ ବାବୁଙ୍କୁ ସେତେବେଳେ ଆମେରିକା ପଠାଇଥିଲେ । ସେ ଆମେରିକା ସରକାର ଓ ସିଆଇଏ ସହିତ ପ୍ରତିରକ୍ଷା ସମ୍ପର୍କିତ କଥାବାର୍ତ୍ତା କରୁଥିଲେ । ଚୌଦ୍ୱାରର ଚାରବାଟିଆ ଏୟାରବେସ୍‌କୁ ଆମେରିକା ସରକାର ୧୯୬୩ରୁ ୧୯୭୯ ପର୍ଯ୍ୟନ୍ତ ବ୍ୟବହାର କରୁଥିଲା । ଯୁଦ୍ଧରେ ଭାରତର ପରାଜୟ ପାଇଁ ନେହରୁ ଓ ବିଜୁବାବୁ ଦାୟୀ ବୋଲି ଦୁବେ କହିଥିଲେ ।    

ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଏହାକୁ କଡ଼ା ନିନ୍ଦା କରିଥିଲେ। ଇତିହାସକୁ ବିକୃତ କରିବାକୁ ବିଜେପିର ଏହା ହୀନ ଉଦ୍ୟମ ବୋଲି କହିଥିଲେ। ସଂସଦୀୟ ଷ୍ଟାଣ୍ଡିଂ କମିଟି (ଆଇଟି ଓ ଯୋଗାଯୋଗ) ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ନିଶିକାନ୍ତ ଦୁବେ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ସାଂସଦ ମାନସ ରଂଜନ ମଙ୍ଗରାଜ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁଙ୍କ ଅବଦାନକୁ ଗୌଣ କରିବାକୁ ଏହା ଅପଚେଷ୍ଟା ବୋଲି କହିଛନ୍ତି । ସାଂସଦ ମୁନା ଖାଁ ଓ ନିରଞ୍ଜନ ବିଶି ମଧ୍ୟ ଏହି ମନ୍ତବ୍ୟର ନିନ୍ଦା କରିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ବିଜୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସସ୍ମିତ ପାତ୍ର