ନୂଆଦିଲ୍ଲୀ: ସାଧାରଣ ସଭାରେ ବିଜୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସାଂସଦ ସସ୍ମିତ ପାତ୍ର । ସେ ରାଜ୍ୟସଭାର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। କମିଟିର ଅଧ୍ୟକ୍ଷ ପଦରେ ନିଶିକାନ୍ତ ଥିବାରୁ ପ୍ରତିବାଦ କରି ସେ ଏହି ଇସ୍ତଫା ଦେଇଛନ୍ତି। ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ନିଶିକାନ୍ତଙ୍କ ମନ୍ତବ୍ୟ ଅପମାନଜନକ, ମିଥ୍ୟା ଓ ଆଧାରହୀନ। ବିଜୁ ବାବୁ ଜଣେ ଆନ୍ତର୍ଜାତିକସ୍ତରର ମହାନ ବ୍ୟକ୍ତିତ୍ୱ ଏବଂ ଜଣେ କିମ୍ବଦନ୍ତୀ ପୁରୁଷ। ଭାରତର ବିଶ୍ୱ କୂଟନୀତି ନିଶ୍ଚିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବାରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷିୟ ମାନଙ୍କୁ ସମର୍ଥନ କରିବାରେ ତାଙ୍କର ଭୂମିକା ଥିଲା। ଏହା ଦର୍ଶାଉଛି ଯେ ଭାରତୀୟ ଜନତା ପାର୍ଟି ପାଇଁ ଓଡ଼ିଆ ଅସ୍ମିତା କ’ଣ। ସେମାନେ ଓଡ଼ିଆ ଅସ୍ମିତା ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ବିଜୁ ବାବୁଙ୍କ ଭଳି ଜଣେ ରାଜନେତାଙ୍କ ବିରୁଦ୍ଧରେ ଏପରି ଅପମାନଜନକ, ମିଥ୍ୟା ଏବଂ ମନଗଢ଼ା ବୟାନ ଦେବା ପାଇଁ ଏତେ ନିମ୍ନ ସ୍ତରକୁ ଯାଇଥାନ୍ତି।"