PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

୨୦ ମନ୍ତ୍ରୀଙ୍କ ସହ ଶପଥ ନେଲେ ନବୀନ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କ୍ରମାଗତ ପଞ୍ଚମ ପାଳିର ନୂଆ ଇନିଂସ୍‌ ଆଜି ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭାବେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ତାଙ୍କ ସହ ୨୦ ମନ୍ତ୍ରୀ ବି ନେଇଛନ୍ତି ଶପଥ । ପ୍ରଦର୍ଶନୀ ପଡ଼ିଆରେ ଭବ୍ୟ ଉତ୍ସବରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ ।

ଓଡ଼ିଶା ରାଜନୀତି ଇତିହାସରେ ଆଜି ନୂଆ ଅଧ୍ୟାୟ ଲେଖାଗଲା ପ୍ରଦର୍ଶନୀ ପଡ଼ିଆରେ । ପ୍ରଥମ କରି ବିଶାଳ ଜନସମାଗମ ଭିତରେ ଆୟୋଜିତ ହେଲା ସରକାର ଗଠନର ଶପଥ ଗ୍ରହଣ ସମାରୋହ । ନବୀନଙ୍କ ପଞ୍ଚମ ପାଳିର ଶୁଭାରମ୍ଭ ହେଲା ।

ଏହି ନିଆରା ଦୃଶ୍ୟ ଓ ଇତିହାସର ସାକ୍ଷୀ ହେବାକୁ ହଜାର ହଜାର ସାଧାରଣ ଜନତା ଓ ନବୀନ ପ୍ରେମୀ ଛୁଟି ଆସିଥିଲେ ପ୍ରଦର୍ଶନୀ ପଡ଼ିଆକୁ । ବିଧାୟକ ଓ ନୂଆ କରି ମନ୍ତ୍ରୀ ହେବାକୁ ଥିବା ନେତାଙ୍କ ପରିବାର, ଆତ୍ମୀୟ ବି ପହଞ୍ଚିଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ବି ଆସିଥିଲେ ଅତିଥି । ଶିଳ୍ପପତି, ପ୍ରତିଷ୍ଠିତ ସାମ୍ବାଦିକ ଓ ବିଭିନ୍ନ ଦଳର ରାଜନେତାଙ୍କ ସହ ସାହିତ୍ୟ ଓ କଳା ଜଗତର ତାରକା ବି ଆସିଥିଲେ । ନବୀନ ପ୍ରେମୀଙ୍କ ଭିତରେ ଥିଲା ଅପୂର୍ବ ଉତ୍ସାହ । ପ୍ରଥମରୁ ଶପଥ ନେବାକୁ ଥିବା ମନ୍ତ୍ରୀମାନେ ମଞ୍ଚରେ ଆସନ ନେଇ ସାରିଥିଲେ ।

ସକାଳ ୧୦ଟା ୪୫ । ମଞ୍ଚରେ ପହଞ୍ଚିଲେ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଖେଳିଗଲା ଉତ୍ସାହ ସମାରୋହ ସ୍ଥଳରେ । ସଙ୍ଗେ ସଙ୍ଗେ ପୁଲିସ ବ୍ରାସ୍‌ ବ୍ରାଣ୍ଡ୍‌ ଜାତୀୟ ସଙ୍ଗୀତ ‘ଜନ ଗଣ ମନ…’ ଧୁନ୍‌ ଭାସି ଉଠିଲା । ସମସ୍ତେ ଛିଡ଼ା ହୋଇ ସମ୍ମାନ ଜଣାଇଲେ । ଏହା ପରେ ଆସନ ଅଳଙ୍କୃତ କଲେ ସମସ୍ତେ ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଶପଥ ପାଠ ଆରମ୍ଭ ହେବା ନେଇ ସୂଚନା ଦେଲେ । ହସହସ ମୁହଁରେ ନବୀନ ନିଜ ଆସନରୁ ଉଠି ପୋଡ଼ିୟମ ପାଖକୁ ଆସିଲେ । ଉପସ୍ଥିତ ହଜାର ହଜାର ଜନତାଙ୍କ ଆଡ଼କୁ ଚାହିଁଲେ । ଚଷମା ପିନ୍ଧିଲେ । ଏପଟେ ରାଜ୍ୟପାଳ ଶପଥ ପାଠ ଆରମ୍ଭ କଲେ… ଆଇ…. । ନବୀନ କହିଲେ… ଆଇ ନବୀନ ପଟ୍ଟନାୟକ… ।

ନବୀନଙ୍କ ଶପଥ ନେବାବେଳେ ମଞ୍ଚ ସମ୍ମୁଖରେ ବସିଥିବା ଅତିଥିଙ୍କ ମଧ୍ୟରେ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା ବେଶ୍‌ ଖୁସି ଜଣାପଡ଼ୁଥିଲେ । ତାଳି ମାରି ସ୍ୱାଗତ ଜଣାଉଥିଲେ ଭାଇ ଭଉଣୀ । ଦଳର ନେତା ଓ କର୍ମୀମାନେ କର୍ମୀମାନଙ୍କ ଭିତରେ ଯେମିତି ଆନନ୍ଦର ଜୁଆର ଫୁଟି ପଡୁଥିଲା । ଶପଥ ପାଠ ପରେ ପରମ୍ପରା ଅନୁଯାୟୀ ନବୀନ ଦସ୍ତଖତ କରିଥିଲେ ଆବଶ୍ୟକୀୟ କାଗଜପତ୍ରରେ । ଏହି ସମୟରେ ଦର୍ଶକ ଗ୍ୟାଲେରୀରୁ ହୁଳହୁଳି ସ୍ୱର କମ୍ପାଇ ଦେଇଥିଲେ ।

ନବୀନଙ୍କ ଶପଥ ପାଠ ପରେ ପାଳି ପଡ଼ିଥିଲା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କର । ପ୍ରଥମେ ଡକା ହେଲା ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁ । ତା’ ପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ ଓ ନବକିଶୋର ଦାସ ଜଣକ ପରେ ଜଣେ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଥିଲେ ।

ପ୍ରାୟ ସମସ୍ତେ ଓଡ଼ିଆରେ ଶପଥ ପାଠ କରିଥିଲେ । କେବଳ ରଣେନ୍ଦ୍ର ଇଂରାଜୀରେ ଶପଥ ନେଇଥିବାବେଳେ ସାନ୍ତାଳି ଭାଷାରେ ଶପଥ ଗ୍ରହଣ କରିଥିଲେ ସୁଦାମ । ଏହା ପରେ ପାଳି ପଡ଼ିିଲା ରାଷ୍ଟ୍ର ମନ୍ତ୍ରୀମାନଙ୍କର । ପ୍ରଥମେ ଶପଥ ନେଲେ ପଦ୍ମିନୀ ଦିଆନ । ତାଙ୍କ ପରେ ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାଏକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା । ଶେଷରେ ଶପଥ ନେଇଥିଲେ ଜଗନ୍ନାଥ ସାରକା ।

ଏହା ସହ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଉତ୍ସବ ଶେଷ ହେଲା ବୋଲି ଘୋଷଣା କଲେ । ଏପଟେ ଭାସି ଆସିଲା ଜାତୀୟ ସଙ୍ଗୀତର ଧୁନ୍‌ । ଉତ୍ସବ ସରିବା ପରେ ଆରମ୍ଭ ହୋଇଗଲା ଉଲ୍ଲାସର ପର୍ବ । ନୂଆ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ମାଡ଼ି ଆସିଲା । କିଏ ହାତ ମିଳାଇ ଅଭିନନ୍ଦନ ଜଣାଉଥିଲା ତ କିଏ ଫୁଲ ଦେଇ । ସମର୍ଥକ ସେଲ୍‌ଫି ପାଇଁ ଘେରି ଯାଉଥିଲେ । ପ୍ରଦର୍ଶନୀ ପଡ଼ିଆରେ ସମର୍ଥକଙ୍କ ଗହଳି ଜମିଥିଲା । ବାହାରେ ବି ପ୍ରବଳ ଭିଡ଼ । ପୂରା ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା ଏହି ଭବ୍ୟ ସମାରୋହ ପାଇଁ ।